ହାତୀ ସଂରକ୍ଷଣ କର୍ମଶାଳା : ସଂଖ୍ୟା ବୃଦ୍ଧି ନୁହେଁ, ସୁରକ୍ଷା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର : ସେଭ୍ ଏଲିଫାଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟର ୭ମ ପ୍ରତିଷ୍ଠା ଦିବସ ଓ ହାତୀ ସଂରକ୍ଷଣ କର୍ମଶାଳା ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ, ହାତୀ ସଂଖ୍ୟାରେ ଓଡ଼ିଶା ଦେଶରେ ୫ମ ସ୍ଥାନରେ ରହିଛି। ତେବେ ହାତୀଙ୍କ ବାସସ୍ଥଳୀ ନଷ୍ଟ ହେବା ସହ ସେମାନଙ୍କ ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ଫଳରେ ହାତୀମାନେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। ଏହାଦ୍ବାରା ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ ବଢ଼ୁଛି। ଚଳିତ ବର୍ଷରେ ହର୍ପିସ୍ ଯୋଗୁଁ ହୋଇଥିବା ହାତୀ ମୃତ୍ୟୁର ଅନୁଧ୍ୟାନ ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଉଛି। ରାଜ୍ୟ ସରକାର ହାତୀଙ୍କୁ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ହାତୀ କରିଡର୍‌କୁ ବିପଦମୁକ୍ତ କରିବା ସହ ରେଳବାଇ ଓ ବିଦ୍ୟୁତ ଆଘାତଜନିତ ହାତୀ ମୃତ୍ୟୁକୁ କମ୍ କରିବା ଲାଗି ଦୁଇ ସଂସ୍ଥା ସହିତ ଆଲୋଚନା କରାଯାଉଛି। ଢେଙ୍କାନାଳ ଓ ଆଠଗଡ଼ ଅଞ୍ଚଳରେ ହାତୀଙ୍କ ପାଇଁ ବ୍ରଜବନ୍ଧୁ ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ସମ୍ଭବ ନୁହେଁ ବୋଲି ଶ୍ରୀ ଆରୁଖ ମତବ୍ୟକ୍ତ କରିଥିଲେ।

ପିସିସିଏଫ୍‌(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ କହିଲେ, କିଛି ବର୍ଷ ହେବ ହାତୀ-ମଣିଷ ଭିତରେ ସଂଘର୍ଷ ବଢ଼ିଛି। ରାଜ୍ୟରେ ହାତୀଙ୍କ ଚଳପ୍ରଚଳ ଏ ପର୍ଯ୍ୟନ୍ତ ବାଧାମୁକ୍ତ ହୋଇପାରିନି। ତେବେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ହାତୀଙ୍କ ଭବିଷ୍ୟତ ବେଶ ସୁରକ୍ଷିତ ବୋଲି ଶ୍ରୀ ଉପାଧ୍ୟାୟ କହିଥିଲେ। ବେ‌ଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ସେଣ୍ଟର ଫର ଇକୋଲୋଜିକାଲ ସାଇନ୍‌ସର ପ୍ରଫେସର ରମଣ ସୁକୁମାର ହାତୀମାନଙ୍କର ପରିଚାଳନାରେ ରହିଥିବା ତ୍ରୁଟି ସଂପର୍କରେ ଉଲ୍ଲେଖ କହିଥିଲେ। ସେ କହିଥିଲେ, ଯେଉଁ ଅଞ୍ଚଳରେ ଯେତିକି ସଂଖ୍ୟକ ହାତୀ ରହିପାରିବାର କ୍ଷମତା ରହିଛି, ସେଠାରେ ସେହି ଅନୁପାତରେ ହାତୀ ରହୁନାହାନ୍ତି। ଫଳରେ ସଂଘର୍ଷ ବଢ଼ୁଛି। ଏହାସହ ହାତୀମାନଙ୍କର ପ୍ରାକୃତିକ ବାସସ୍ଥଳୀକୁ ସୁରକ୍ଷିତ ରଖିବା ଓ ହାତୀ ଖାଉଥିବା ଗଛଗୁଡ଼ିକ ଅଧିକ ମାତ୍ରାରେ ସୃଷ୍ଟି କରାଯିବା ଜରୁରୀ। ଫଳରେ ହାତୀମାନେ ଜଙ୍ଗଲକୁ ଛାଡ଼ି ଜନବସତି ଆଡ଼କୁ ମୁହାଁଇବେ ନାହିଁ। ହାତୀଙ୍କ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବ ନ ଦେଇ ପ୍ରଥମ‌େ ରାଜ୍ୟରେ ଥିବା ହାତୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ। ରାଜ୍ୟରେ ଥିବା ୩ଟି ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ଶିମିଳିପାଳ ବନାଞ୍ଚଳ ହାତୀଙ୍କ ପାଇଁ ସୁରକ୍ଷିତ। ମାତ୍ର ମହାନଦୀ ବନାଞ୍ଚଳ ଓ ସମ୍ବଲପୁର ବନାଞ୍ଚଳର ପରିସୀମା ବୃଦ୍ଧି ସହ ଦୁଇ ଅଭୟାରଣ୍ୟ ଭିତରେ ବାଧାରହିତ କରିଡର ସ୍ଥାପନ କରିବା ଉପରେ ଶ୍ରୀ ସୁକୁମାର ଗୁରୁତ୍ବ ଦେଇଥିଲେ।

ଓଡ଼ିଶା ପରିବେଶ ସମିତିର ସଭାପତି ଏସ୍‌ଏନ୍‌ ପାତ୍ର କହିଲେ, ଗତ ୮/୧୦ବର୍ଷ ହେବ ରାଜ୍ୟରେ ହାତୀ ସଂଖ୍ୟାରେ ବିଶେଷ ପରିବର୍ତନ ହେଉନାହିଁ। ହାତୀ-ମଣିଷ ସଂଘର୍ଷ ବଢ଼ୁଛି। ଜନସାଧାରଣଙ୍କ ସହଯୋଗରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଶ୍ରୀ ପାତ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ବନ୍ୟ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ପୂର୍ବତନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ବିଜୟ କେତନ ପଟ୍ଟନାୟକ ଓ ପୂର୍ବତନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ପ୍ରାରମ୍ଭରେ ଟ୍ରଷ୍ଟର ଅଧ୍ୟକ୍ଷ ରଜନୀକାନ୍ତ ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ଜିତଶତ୍ରୁ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ। ପରେ ଦିନବ୍ୟାପୀ ବିଭିନ୍ନ ଅଧିବେଶନରେ ବକ୍ତାମାନେ ନିଜର ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର