ବିଶ୍ୱ ମ୍ୟାଲେରିଆ ଦିବସ ଆଜି : ରାଜ୍ୟରେ କମୁନି ମ୍ୟାଲେରିଆ

ଭୁବନେଶ୍ୱର : ଆସନ୍ତାକାଲି ବିଶ୍ୱସ୍ତରରେ ପାଳିତ ହେବ ବିଶ୍ୱ ମ୍ୟାଲେରିଆ ଦିବସ। ବିଶ୍ୱବ୍ୟାପୀ ମ୍ୟାଲେରିଆର ଭୟାବହତାକୁ ନେଇ ଲୋକମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱରେ ୧୦୬ଟି ଦେଶର ୩.୩ ବିଲିଅନ୍‌ ଲୋକ ମ୍ୟାଲେରିଆର ଶିକାର ହେଉଥିବା ଜଣାପଡ଼ିଛି।

ଜାତୀୟ ବାହକରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍‌ଭିବିଡିସିପିରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ ମସିହାରେ ଓଡ଼ିଶାରେ ୯୫ ହଜାର ୪ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ଏଥିରେ ୮୯ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦୧୫ ମସିହାରେ ୪ଲକ୍ଷ ୩୬ହଜାର ୮୫୦ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏହି ବର୍ଷ ୮୦ଜଣ ପ୍ରାଣ ହରାଇଥିଲେ। ୨୦୧୬ରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇ ୪ଲକ୍ଷ ୪୯ହଜାର ୬୯୭ରେ ପହଞ୍ଚିଥିଲା। ସେହିବର୍ଷ ମ୍ୟାଲେରିଆରେ ୭୭ଜଣ ପ୍ରାଣ ହରାଇଥିଲେ। ୨୦୧୭ ମସିହାରେ ୩ଲକ୍ଷ ୫୨ହଜାର ୧୪୭ଜଣ ମ୍ୟାଲେରିଆରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ଜଣ ପ୍ରାଣ ହରାଇଥିଲେ। ସେଥିରୁ ରାୟଗଡ଼ା ଜିଲ୍ଲାରେ ସର୍ବାଧକ ୪୯ହଜାର ୩୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଜଣ ପ୍ରାଣ ହରାଇଥିଲେ। ଏହା ପଛକୁ କୋରାପୁଟ। ଏହି ଜିଲ୍ଲାରେ ୩୫ହଜାର ୮୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କେନ୍ଦୁଝର ଓ ଅନୁଗୁଳରେ ୩ଜଣ ପ୍ରାଣ ହରାଇଛନ୍ତି। ଚଳିତବର୍ଷ ମାର୍ଚ ସୁଦ୍ଧା ୧୧୧ଜଣ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆଗକୁ ବର୍ଷାଦିନ ରହିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟର ୧୭ଟି ଜିଲ୍ଲା ସର୍ବାଧିକ ମ୍ୟାଲେରିଆ ପ୍ରବଣ। ପ୍ରତିବର୍ଷ କୋରାପୁଟ, ମାଲକାନଗିରି, ନରବଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ମ୍ୟାଲେରିଆର ନିରାକରଣ ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୨୪ଟି ଜିଲ୍ଲାରେ ଏହା କାର୍ଯ୍ୟ କରୁଛି। ଏଥିରେ ୪୧୫୫ଟି କ୍ୟାମ୍ପ ଆୟୋଜନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ୩୭୬୩ଟି କ୍ୟାମ୍ପ ଆୟୋଜିତ ହୋଇଛି। ୪୩ହଜାର ମ୍ୟାଲେରିଆ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟର ତୃଣମୂଳସ୍ତରରେ ମ୍ୟାଲେରିଆ ଚିହ୍ନଟ ପାଇଁ ୩୦ଟି ଜିଲ୍ଲାରେ ଅଲିମ୍ପସ୍‌ କମ୍ପାନିର ୬ଶହ ମାଇକ୍ରୋସ୍କୋପ୍‌ ଦିଆଯାଇଛି। ସେହିପରି ମ୍ୟାଲେରିଆପ୍ରବଣ ଅଞ୍ଚଳରେ ଏଲଏଲଆଇଏନ୍‌ ମଶାରି ବଣ୍ଟନ କରାଯାଇଛି। ୧୭ଟି ଜିଲ୍ଲାରେ ସଂପୂର୍ଣ୍ଣ ଭାବେ ଏହି ମଶାରି ଦିଆଯାଇଥିବା ବେଳେ ଯାଜପୁର, ସୋନପୁର ଓ ଢେଙ୍କାନାଳ ଜିଲ୍ଲାର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଏହି ମଶାରି ଦିଆଯାଇଛି। ରାଜ୍ୟରେ ମ୍ୟାଲେରିଆ ଅଭିଯାନରେ ୪୭ହଜାର ୪୭୪ଜଣ ତାଲିମପ୍ରାପ୍ତ ଆଶାକର୍ମୀ ରହିଛନ୍ତି। ସେମାନଙ୍କ ନିକଟରେ ମ୍ୟାଲେରିଆ ଚିହ୍ନଟ ପାଇଁ ଆରଡିକେ କିଟ୍‌ ଦିଆଯାଇଥିବା ବେଳେ ଔଷଧ ଦିଆଯାଇଛି। ଏହାସହ ରାଜ୍ୟର ୨୨ଟି ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଡିଡିଟି ସିଞ୍ଚନ କରାଯାଇଛି। ଏଥିରେ ୭୦/୮୦ଲକ୍ଷ ଲୋକ ଉପକୃତ ହେଉଥିବା ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର