ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ : ସ୍ତ୍ରୀ, ଝିଅକୁ ଛୁରିରେ ପ୍ରାଣାନ୍ତକ ଆକ୍ରମଣ

ରାୟଗଡା : ରଘୁନାଥ ନାଗ ଜଣେ ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ ଆଜି ରାୟଗଡ଼ା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିଜ ହିତାହିତ ଜ୍ଞାନକୁ ଭୁଲି ନିଜ ପତ୍ନୀ ଓ ଝିଅକୁ ଛୁରି ଭୁସି ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ମା, ଝିଅଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ରାୟଗଡ଼ା ଟାଉନ ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରଘୁନାଥକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ରାୟଗଡ଼ା ସହର ଆନ୍ଧ୍ର ବ୍ୟାଙ୍କ ଗଳିରେ  ରଘୁନାଥ ନିଜ ପରିବାର ଲୋକଙ୍କ ସହ ରହି ଆସୁଛନ୍ତି। ଗତ କିଛି ଦିନ ହେଲା ମାନସିକ ଭାରସାମ୍ୟ ହରାଇ ରଘୁନାଥ ପରିବାର ଲୋକଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିବା ସହ ଗାଳିଗୁଲଜ କରୁଥିଲେ। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ରଘୁନାଥ ମଦ୍ୟପାନ କରି ଘରକୁ ଆସିଥିଲେ। ସାମାନ୍ୟ କଥାକୁ ନେଇ ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରଘୁନାଥ ଗୋଟିଏ ଛୁରିରେ ପତ୍ନୀ ଲୀଳା ଏପଂ ଝିଅ ଗାୟତ୍ରୀଙ୍କୁ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପତ୍ନୀ ଚିତ୍କାର କରିବାରୁ ପଡ଼ୋଶୀ ଦୌଡ଼ି ଆସି ଲୀଳା ସହ ଗାୟତ୍ରୀଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଛୁରା ମାଡରେ ଲୀଳା ଓ ଗାୟତ୍ରୀଙ୍କ ମୁଣ୍ଡ, ଛାତି, ପିଠି ଓ ହାତ ସହ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ପାରିବାରିକ କଳହକୁ କେନ୍ଦ୍ର କରି ରଘୁନାଥ ପ୍ରତିଦିନ ଘରେ ଗଣ୍ଡଗୋଳ କରୁଥିବା ବେଳେ ଆଜି ଦଂପତିଙ୍କ ମଧ୍ୟରେ ଝଗଡ଼ାରେ ରଘୁନାଥ ଉତ୍ତ୍ୟକ୍ତ ହୋଇ ଛୁରାରେ ଆକ୍ରମଣ ସମୟରେ ଝିଅ ଗାୟତ୍ରୀ ମଝିକୁ ଚାଲି ଆସିବାରୁ ତାକୁ ମଧ୍ୟ ଆକ୍ରମଣ କରିଥିବା କୁହାଯାଉଛି। ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ରଘୁନାଥଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ କହିବା ହେଲା, ପରିବାର ଲୋକ ତାଙ୍କୁ ଅପହରଣ କରିବାକୁ ଯୋଜନା କରୁଥିଲେ। ତେଣୁ ସେ ନିଜକୁ ରକ୍ଷା କରିବାକୁ ଯାଇ ଏଭଳି ଆକ୍ରମଣ କରିଛି।

ସମ୍ବନ୍ଧିତ ଖବର