ଥିମ୍‌, ୱାରିଙ୍କାଙ୍କ ଅଭିଯାନ ‌ଶେଷ: ତୃତୀୟ ରାଉଣ୍ଡ୍‌ରେ ଜୋକୋଭିକ, ନିଶିକୋରି, ହାଲେପ୍‌, ସେରେନା

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ‘ଅଷ୍ଟ୍ରେଲିଆନ୍‌ ଓପନ୍‌’ ଟେନିସ୍‌ ପ୍ରତିଯୋଗିତାରେ ସପ୍ତମ ମାନ୍ୟତା ଡୋମିନିକ୍‌ ଥିମ୍‌, ୨୦୧୪ ବିଜେତା ଷ୍ଟାନ୍‌ ୱାରିଙ୍କାଙ୍କ ଅଭିଯାନ ‌ଶେଷ ହୋଇଯାଇଛି। ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଅଷ୍ଟ୍ରେଲିଆର ଆଲେକ୍ସି ପୋପିରିନ୍‌ଙ୍କ ବିପକ୍ଷରେ ଖେଳୁଥିବା ଅଷ୍ଟ୍ରିଆ ତାରକା ଥିମ୍‌ ୫-୭, ୪-୬, ୦-୨ ସେଟ୍‌ରେ ପଛୁଆ ଥିଲା ବେଳେ ଆହତ ଯୋଗୁଁ ଓହରି ଯାଇଥିଲେ। ଅନ୍ୟପକ୍ଷରେ ଷୋଡ଼ଷ ମାନ୍ୟତା କାନାଡ଼ାର ମିଲୋସ୍‌ ରାଓନିକ୍‌ ୬-୭, ୭-୬, ୭-୬, ୭-୬ ସେଟ୍‌ରେ ସ୍ବିଜରଲାଣ୍ଡର ୱାରିଙ୍କାଙ୍କୁ ମାତ୍‌ ଦେଇ ବିଦାୟ ରାସ୍ତା ଦେଖାଇଥିଲେ। ଅନ୍ୟ ପୁରୁଷ ଏକକରେ ଶୀର୍ଷ ମାନ୍ୟତା ନୋଭାକ୍‌ ଜୋକୋଭିକ, ଚତୁର୍ଥ ମାନ୍ୟତା ଆଲେକ୍‌ଜାଣ୍ଡର ଜେରଭ, ଅଷ୍ଟମ ମାନ୍ୟତା କେଇ ନିଶିକୋରି ବିଜୟ ଧାରା ଜାରି ରଖି ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ୧୪ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ସର୍ବିଆର ଜୋକୋଭିକ୍‌ ୬-୩, ୭-୫, ୬-୪ ସେଟ୍‌ରେ ଫ୍ରାନ୍ସର ଜୋ-ୱିଲ୍‌ଫ୍ରିଡ୍‌ ସୋଙ୍ଗାଙ୍କୁ, ଜର୍ମାନିର ଜେରଭ ୭-୬, ୬-୪, ୫-୭, ୬-୭, ୬-୧ ସେଟ୍‌ରେ ଫ୍ରାନ୍ସର ଜେରେମି ଚାର୍ଡିଙ୍କୁ, ଜାପାନର ନିଶିକୋରି ୬-୩, ୭-୬, ୫-୭, ୫-୭, ୭-୬ ସେଟ୍‌ରେ କ୍ରୋଏସିଆର ଇଭୋ କାର୍ଲୋଭିକ୍‌ଙ୍କୁ ହରାଇଥିଲେ। ସେହିପରି ଏକାଦଶ ମାନ୍ୟତା କ୍ରୋଏସିଆର ବୋର୍ନା କୋରିକ, ଦ୍ବାଦଶ ମାନ୍ୟତା ଇଟାଲିର ଫାବିଓ ଫୋଗନିନି, ଏକବିଂଶ ମାନ୍ୟତା ଡେଭିଡ୍‌ ଗଫିନ୍‌ ମଧ୍ୟ ବିଜୟ ଜାରି ରଖି ପରବର୍ତୀ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ମହିଳା ଏକକରେ ଆମେରିକାର ୱିଲିୟମ୍ସ ଭଉଣୀ ସେରେନା ଓ ଭେନସ୍‌ଙ୍କ ସହ ଶୀର୍ଷ ମାନ୍ୟତା ସିମୋନା ‌ହାଲେପ୍‌, ନାଓମି ଓସାକା (ଚତୁର୍ଥ), ଏଲିନା ସ୍ବିତୋଲିନା (ଷଷ୍ଠ) ଏବଂ କାରୋଲିନା ପ୍ଲିସକୋଭା (ସପ୍ତମ) ନିଜ ନିଜ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ପୂର୍ବତନ ଶୀର୍ଷ ତଥା ‌ଏବର ଷୋଡ଼ଷ ମାନ୍ୟତା ସେରେନା ୬-୨, ୬-୨ ସେଟ୍‌ରେ ଉଗେନି ବୁଚାର୍ଡଙ୍କୁ ହରାଇ ଅଷ୍ଟମ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି ଦୌଡ଼ରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ତାଙ୍କ ଭଉଣୀ ‌ଭେନସ୍‌ ୬-୩, ୪-୬, ୬-୦ ସେଟ୍‌ରେ ୨୩ ମାନ୍ୟତା ଫ୍ରାନ୍ସର ଆଲିଜ୍‌ କର୍ନେଟ୍‌ଙ୍କୁ, ଜାପାନର ଓସାକା ୬-୨, ୬-୪ରେ ସ୍ଲୋଭେନିଆର ତାମିରା ଜିଦାନ୍‌ସେକ୍‌ଙ୍କୁ, ୟୁକ୍ରେନ୍‌ର ସ୍ବିତୋଲିନା ୬-୪, ୬-୧ ସେଟ୍‌ରେ ସ୍ଲୋଭାକିଆର ଭିକ୍ଟୋରିଆ କୁଜମୋଭାଙ୍କୁ, ଚେକ୍‌ଗଣରାଜ୍ୟର ପ୍ଲିସକୋଭା ୪-୬, ୬-୧, ୬-୦ ସେଟ୍‌ରେ ଆମେରିକାର ମାଡିସନ୍‌ ବ୍ରେଙ୍ଗଲେଙ୍କୁ ଏବଂ ଆମେରିକାର ଯୁବା ଖେଳାଳି ସୋଫିଆ କେନିନ୍‌ଙ୍କ ବିପକ୍ଷରେ ଶୀର୍ଷ ମାନ୍ୟତା ହାଲେପ୍‌ ୬-୩, ୬-୭ ଓ ୬-୪ ସେଟ୍‌ର କଷ୍ଟସାଧ୍ୟ ବିଜୟ ସହ ଦ୍ବିତୀୟ ରାଉଣ୍ଡ୍‌ ଅତିକ୍ରମ କରିଥିଲେ। ଏମାନଙ୍କ ସହ ଦ୍ବାଦଶ ମାନ୍ୟତା ଏଲିସ୍‌ ମର୍ତେନ୍ସ ଏବଂ ସପ୍ତଦଶ ମାନ୍ୟତା ମାଡିସନ୍‌ କିଜ୍‌ ମଧ୍ୟ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର