ବାଲିଅନ୍ତା: କୁଶଭଦ୍ରା, କୁଆଖାଇ ଓ ଭାର୍ଗବୀ ନଦୀର ବିଭିନ୍ନ ସ୍ଥାନରେ ନଦୀବନ୍ଧ ଏବେ ଦୁର୍ବଳ ଅବସ୍ଥାରେ ରହିଛି। ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ଆଗକୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ହେଲେ ଦୁର୍ବଳ ନଦୀବନ୍ଧ ଓ ଘଳିଆ ସ୍ଥାନ ମରାମତି ଦିଗରେ ଜଳ ସଂପଦ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଯାହାଫଳରେ ନଦୀ ଉପକୂଳବର୍ତ୍ତୀ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ବେଣ୍ଟପୁର ପଞ୍ଚାୟତର ସମାଜସେବୀ ରଶ୍ମିରଞ୍ଜନ ସାହୁଙ୍କ ସମେତ ଅନ୍ୟ ଗ୍ରାମବାସୀଙ୍କ ସୂଚନା ଅନୁସାରେ ବେଣ୍ଟପୁର ଜଳସେଚନ କାର୍ଯ୍ୟାଳୟ ସୀମା ପରିସରଭୁକ୍ତ କୁଶଭଦ୍ରା ନଦୀର ବେଣ୍ଟପୁର ଦିୱାନପାଟଣା ଠାରୁ ଆରମ୍ଭ କରି, ଜାଗିରି ଓ ପାଟପୁର ପର୍ଯ୍ୟନ୍ତ ନଦୀବନ୍ଧରୁ ଅତଡ଼ା ଧସୁଛି। ସେହିପରି ଟାୱାର କାମ ପାଇଁ ପଠା ତଡ଼ା ହେବା ସହିତ ମାଟି ଚୋରି ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁଥି ପାଇଁକି ବନ୍ଧ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି। ପ୍ରାଚୀ ଡିଭିଜନ ବାଲିଅନ୍ତା କେନାଲ ସବ ଡିଭିଜନ ଅଧୀନ କୁଶଭଦ୍ରା ନଦୀର କୁଳସାହି, ବେତେଣ୍ଡା, ନୂଆସାହି, ସାହେବ ନଗର, ମହୁଖଣ୍ଡା ଆଦି ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ନଦୀବନ୍ଧ ଦୁର୍ବଳ ଅବସ୍ଥାରେ ଥିବା ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା, କରୁଣାକର ପରିଡ଼ା, ବିଷ୍ଣୁପ୍ରିୟା ସେଠୀ କହିଛନ୍ତି। ବେଧଡ଼କ ଭାବେ ବାଲି ଓ ମାଟି ଉଠାଣ ଯୋଗୁ ବନ୍ଧ ନଷ୍ଟ ହୋଇଯାଇଛି। ହେଲେ ତହସିଲ କିମ୍ବା ଜଳସେଚନ ବିଭାଗ ଚୋରା ବାଲି ଓ ମାଟି ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସେହିପରି କୁଆଖାଇ ନଦୀର ଟଙ୍କପାଣି ବ୍ରିଜ, ଧବଳାହାର ଏବଂ ବଇଁଚୁଆ ପାର୍ଶ୍ବରେ ମଧ୍ୟ ନଦୀବନ୍ଧ ଅବସ୍ଥା ଖରାପ ଅଛି। ବାଲିପାଟଣା କେନାଲ ସବ ଡିଭିଜନ ଅଧୀନ ଭାର୍ଗବୀ ନଦୀର ସାତକାଣିଆ, ବାୟାଁପନା, ଚଢ଼େଇବର ଏବଂ ଝିଣ୍ଟିଶାସନ ବନ୍ଧ ଦୁର୍ବଳ ରହିବା ସହ ବିଗତ ବନ୍ୟା ସମୟରେ ଏସବୁ ଜାଗାରେ ସୃଷ୍ଟି ହୋଇଥିବା ଘଳିଆ ଏଯାଏ ମରାମତି ହୋଇନାହିଁ। ଅନୁରୂପ ଭାବେ ଦୟାନଦୀର ଖଟୁଆପଡ଼ା ଗ୍ରାମ ନିକଟରେ ଏକାଧିକ ସ୍ଥାନରେ ମାଟି ଧସୁଥିବା ଖବର ମିଳିଛି। ବନ୍ଧରେ ପଥର ଓ ବୁରୁଜ ନିର୍ମାଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।