ଘୁଞ୍ଚି ଘୁଞ୍ଚି ଯାଉଛି ଓ୍ଵାଟ୍କୋ
ନଗର ଉନ୍ନୟନ ବିଭାଗ ଫାଇଲ୍ ଛାଡ଼ୁନି, କ୍ୟାବିନେଟ୍ ନିଷ୍ପତ୍ତିକୁ ବି ମାନୁନାହାନ୍ତି
ଭୁବନେଶ୍ୱର: ରାଜଧାନୀର ପାନୀୟ ଜଳ ଯୋଗାଣ ଜନସ୍ୱାସ୍ଥ୍ୟ ବିଭାଗ ହାତରୁ କଢ଼ାଯିବ। ପାନୀୟ ଜଳ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥା ଓ୍ଵାଟ୍କୋ (ଜଳ ନିଗମ) କରିବ। ଏହାଦ୍ୱାରା ରାଜଧାନୀବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇ ହେବ ଏବଂ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ ହେବ। ଏହିଭଳି ନିଷ୍ପତ୍ତି ଗତ ତିନି ବର୍ଷ ତଳୁ ନଗର ଉନ୍ନୟନ ବିଭାଗ ନେଲାଣି। ହେଲେ ଏହାକୁ କାର୍ଯ୍ୟକାରୀ କରିପାରୁନି। କେତେବେଳେ ଅର୍ଥ ବିଭାଗ ଯୋଗୁଁ ଓ୍ଵାଟ୍କୋ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି ତ କେତେବେଳେ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଅବହେଳାରୁ। କିନ୍ତୁ ଏବେ ଓ୍ଵାଟ୍କୋ ଭାଗ୍ୟ ଖୋଲୁନି ନଗର ଉନ୍ନୟନ ବିଭାଗ ସଚିବ ଯୋଗୁଁ। ଯେଉଁ ସଚିବ କିଛି ମାସ ତଳେ ଓ୍ଵାଟ୍କୋକୁ କାର୍ଯ୍ୟକାରୀ କରିବାକୁ ଘନ ଘନ ବୈଠକ କରୁଥିଲେ। ଆଉ ନିର୍ଦ୍ଦେଶ ଦେଇଥିଲେ ଯେ, ଏପ୍ରିଲ ୧ରୁ ଓ୍ଵାଟ୍କୋ କାର୍ଯ୍ୟକାରୀ ହେବ ସେ ଏବେ ଫାଇଲ୍ ମାଡ଼ି ବସିଛନ୍ତି। ସଚିବଙ୍କ ପାଖରେ ଓ୍ଵାଟ୍କୋ ଫାଇଲ୍ ଅଟକି ଥିବାରୁ ଏନେଇ ମୁହଁ ଫିଟାଇବାକୁ କେହି ସାହସ କରୁନାହାନ୍ତି। ସଚିବ କାହା ଇଙ୍ଗିତରେ ଚୁପ୍ ରହିଛନ୍ତି ତାହା ଏବେ ରହସ୍ୟ ଘେରରେ।
Sambad is now on WhatsApp
Join and get latest news updates delivered to you via WhatsApp
ଓ୍ଵାଟ୍କୋରେ କ’ଣ ବଦଳିବ
ଓ୍ଵାଟ୍କୋ ପ୍ରାରମ୍ଭିକ ପର୍ଯ୍ୟାୟରେ ଜନସ୍ୱାସ୍ଥ୍ୟ ବିଭାଗର ଭୁବନେଶ୍ୱର ଡିଭିଜନ୍-୧, ଡିଭିଜନ-୨ ଓ ଡିଭିଜନ-୩ ଜଳ ଯୋଗାଣ କରୁଥିବା ଅଞ୍ଚଳରେ ଜଳ ଯୋଗାଣ କରିବ। ତେଣୁ ଜନସ୍ୱାସ୍ଥ୍ୟ ବିଭାଗର ଢାଞ୍ଚାକୁ ଭୁବନେଶ୍ୱରରେ ପୂରା ବଦଳାଯିବ। ରାଜଧାନୀରେ ଜଳ ଯୋଗାଣ ଏବଂ ଆବଣ୍ଟନ ପାଇଁ ଦୁଇଟି ଡିଭିଜନ୍ ରହିବ। ଆଉ ଏକ ଡିଭିଜନ୍ ସରକାରୀ କ୍ୱାର୍ଟର୍ସ, ରାଜଭବନ, ସଚିବାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟର ରକ୍ଷଣାବେକ୍ଷଣ କରିବ। ଭୁବନେଶ୍ୱର ଡିଭିଜନ୍-୨କୁ ଓ୍ଵାଟ୍କୋ ଡିଭିଜନ୍-୧ରେ ପରିଣତ କରାଯିବ। ଏହା ଅଧୀନରେ କୁଆଖିଆ, ପଳାସୁଣୀ, ଚନ୍ଦ୍ରଶେଖରପୁରରେ ଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିବ। ସେହିପରି ବର୍ତମାନ ଥିବା ଜନସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର ଡିଭିଜନ-୧କୁ ଓ୍ଵାଟକୋ ଡିଭିଜନ-୨ରେ ପରିଣତ କରାଯିବ। ଏହା ଅଧୀନରେ ମୁଣ୍ଡୁଳି, ଘାଟିକିଆ, ହାଇଲେଭେଲ୍, ଭୁଆସୁଣୀ ଭଳି ପ୍ରମୁଖ ପାନୀୟ ଜଳ ଯୋଗାଣ କେନ୍ଦ୍ର ରହିବ। ଜନସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଡିଭିଜନ୍ ୩ ରହିବ। ଏହାର ନୂଆ ନାମକରଣ ହେବ। ଏହା ଅଧୀନରେ ଥିବା ସମସ୍ତ ଅଫିସ୍ ଓ୍ଵାଟ୍କୋକୁ ଚାଲିଯିବ। କେବଳ ଡିଭିଜନ୍ ଅଫିସ ରହିବ। ଏହା ଅଧୀନରେ ଏବେ ଡିଭିଜନ୍-୧ ଅଧୀନରେ ଥିବା ୟୁନିଟ-୩, ୟୁନିଟ-୪ ସବ୍ଡିଭିଜନ ଏବଂ ଡିଭିଜନ୍-୨ ଅଧୀନରେ ଥିବା ୟୁନିଟ-୯ ସବ୍ଡିଭିଜନ ନୂଆକରି ହେବାକୁ ଥିବା ଜନସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର ଡିଭିଜନ୍ ଅଧୀନକୁ ଆସିଯିବ। ବାକି ସମସ୍ତ ଅଫିସ ଓ୍ଵାଟ୍କୋ ଅଧୀନରେ ରହିବ।
ସବ୍ସିଡ୍ ଚିନ୍ତା ଘାରୁଛି
ଏବେ ଜନସ୍ୱାସ୍ଥ୍ୟ ବିଭାଗ ଓ୍ଵାଟ୍କୋକୁ କାର୍ଯ୍ୟକ୍ଷମ କରିବା ପାଇଁ ୬୦କୋଟି ଟଙ୍କା ଦେଇଥିବାବେଳେ ଏଥିରେ କର୍ମଚାରୀଙ୍କ ବେତନ ଓ ଜଳଯୋଗାଣ ରହିଛି। ସୂଚନା ଅନୁଯାୟୀ ଜନସ୍ୱାସ୍ଥ୍ୟ ବିଭାଗ ଏବେ ଭୁବନେଶ୍ୱର, ଖୋର୍ଧା ଓ ଜଟଣୀରେ ପ୍ରାୟ ୯୬ହଜାର ପାଣି ସଂଯୋଗ ଦେଇଛି। ଏଥିପାଇଁ ବାର୍ଷିକ ପ୍ରାୟ ୨୫କୋଟି ଟଙ୍କା ଆୟ କରୁଛି। ହେଲେ ଖର୍ଚ୍ଚ କରୁଛି ପ୍ରାୟ ୬୭କୋଟି । ଏହି ବଳକା ଟଙ୍କା ଏବେ କେଉଁଠୁ ଆସିବ ସେ ଚିନ୍ତା ଓ୍ଵାଟ୍କୋକୁ ଘାରିଛି। ରାଜ୍ୟ ସରକାର ସବ୍ସିଡି ଦରରେ ପାଣି ଯୋଗାଉ ଥିବାରୁ ଲୋକଙ୍କୁ ବହୁତ କମ୍ ଦେୟ ଦେବାକୁ ପଡ଼ୁଛି। ଓ୍ଵାଟ୍କୋକୁ ଜଳ ଯୋଗାଣର ସମସ୍ତ ଦାୟିତ୍ୱ ଦିଆଗଲେ ସମସ୍ତ ଆୟ ଓ ବ୍ୟୟ ଓ୍ଵାଟକୋ ହିଁ କରିବ। ଏଥିପାଇଁ ସରକାର ଟଙ୍କାଟେ ବି ଦେବେନି। ତେଣୁ ବିନା ସବ୍ସିଡିରେ ଓ୍ଵାଟ୍କୋ ଚଳାଇବା କଷ୍ଟକର ହୋଇପଡ଼ିବ। ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ୩ବର୍ଷ ପାଇଁ ସହାୟତା ଯୋଗାଇବେ। ଏହାପରେ ସବୁ ଆୟ ଓ ବ୍ୟୟ ଓ୍ଵାଟକୋ ହିଁ ବହନ କରିବ। ପ୍ରଥମ ବର୍ଷ ସରକାର ଓ୍ଵାଟ୍କୋକୁ ସମସ୍ତ ଖର୍ଚ୍ଚ ସବ୍ସିଡ୍ ଆକରରେ ଦେବେ, ଏହାପରେ ଅଧା ଦେବେ, ତୃତୀୟ ବର୍ଷ ୨୫ପ୍ରତିଶତ ସବ୍ସିଡ୍ ଦେବେ। ଚତୁର୍ଥ ବର୍ଷରୁ ଓ୍ଵାଟକୋ ତା’ର ଆୟ ବ୍ୟୟ ହିସାବ କରିବ। ଏପରି ହେଲେ ଓ୍ଵାଟକୋ ସବ୍ସିଡି ଦରରେ ପାଣି ଯୋଗାଇ ପାରିବନି। ଏବେ ଖର୍ଚ୍ଚର ଅଧାରୁ କମ୍ ଆୟ ହେଉଥିବାରୁ ଆଗକୁ ପାଣି ଉପରୁ ସବ୍ସିଡି ଉଠାଇ ଦିଆଯିବ। ପ୍ରଥମ ଆକଳନ ଅନୁଯାୟୀ ଏବେ ଜଳକର ବାବଦକୁ ଯିଏ ଯେତିକି କର ଦେଉଛନ୍ତି ଆଗକୁ ଏହାର ପ୍ରାୟ ୪ଗୁଣା ଦେବେ। କମର୍ସିଆଲ୍ ସଂଯୋଗ ହୋଇଥିଲେ ୟୁନିଟ ପିଛା(ହଜାରେ ଲିଟରରେ ଏକ ୟୁନିଟ) ୧୧ଟଙ୍କା ୨୬ପଇସା, ଘରୋଇ ସଂଯୋଗ ହୋଇଥିଲେ ୟୁନିଟ ପିଛା ୩ଟଙ୍କା ୯୫ପଇସା ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଡେଟ୍ଲାଇନ୍ ୪ଥର ଘୁଞ୍ଚିଲାଣି
ପ୍ରଥମେ ଏପ୍ରିଲ ୧, ୨୦୧୬ରୁ ଓ୍ଵାଟ୍କୋ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଜନସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ପ୍ରସ୍ତୁତ ନ ଥିବା କହିବାରୁ ଏହାକୁ ବର୍ଷକ ପାଇଁ ଘୁଞ୍ଚାଇ ଦିଆଗଲା। ଏପ୍ରିଲ ୧, ୨୦୧୭ରୁ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ସ୍ଥିର ହେଲା। କିନ୍ତୁ ହୋଇପାରିଲାନି। ଏପରିକି ଅକ୍ଟୋବର,୨୦୧୭ରୁ ଆରମ୍ଭ ହେବ ବୋଲି ସ୍ଥିର ହେଲା। ତଥାପି ହୋଇପାରିଲାନି। ଏହାପରେ ଏପ୍ରିଲ ୧, ୨୦୧୮ ନୂଆ ଡେଟ୍ଲାଇନ୍ ଘୋଷଣା ହେଲା। କିନ୍ତୁ ଏବେବି ଓ୍ଵାଟ୍କୋ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଲାଗି ରହିଛି।
ଏନେଇ ଜନସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓ୍ଵାଟ୍କୋ କାର୍ଯ୍ୟକାରୀ କରିବା ପାଇଁ ୯୦ଜଣ କର୍ମଚାରୀ ରହିବେ। ଏଥିରେ ୧୬ଜଣ ଅଧିକାରୀ ଓ ୭୪ଜଣ କର୍ମଚାରୀ ରହିବେ। ସମସ୍ତେ ଜନସ୍ୱାସ୍ଥ୍ୟ ବିଭାଗରୁ ଡେପୁଟେସନ୍ରେ ଯିବେ। ହେଲେ ଓ୍ଵାଟ୍କୋର ସ୍ଥାୟୀ କର୍ମଚାରୀ ଭାବେ ଗଣତି ହେବେ। ଜନସ୍ୱାସ୍ଥ୍ୟ ବିଭାଗର ଜଣେ ମୁଖ୍ୟଯନ୍ତ୍ରୀ ଓ୍ଵାଟ୍କୋର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିବାବେଳେ ଦୁଇଜଣ ଅଧୀକ୍ଷଣ ଯନ୍ତ୍ରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି। କିନ୍ତୁ ବର୍ତମାନ ସୁଦ୍ଧା ଓ୍ଵାଟ୍କୋ ଅଧୀନରେ କାର୍ଯ୍ୟକରିବାକୁ ଥିବା ନିର୍ବାହୀ ଯନ୍ତ୍ରୀ, ଉପ ନିର୍ବାହୀ ଯନ୍ତ୍ରୀ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଇଞ୍ଜିନିୟର/ ଜୁନିଅର ଇଞ୍ଜିନିୟର ଭଳି ୧୬ଜଣ ଅଧିକାରୀ ସ୍ଥାୟୀ ଭାବେ ନିଯୁକ୍ତି ପାଇନାହାନ୍ତି। ଓ୍ଵାଟ୍କୋ କାର୍ଯ୍ୟକ୍ଷମ ହେଲେ ଏଥିରେ କିଏ ସ୍ଥାୟୀ ଭାବେ କାର୍ଯ୍ୟ କରିବେ, କେଉଁ ଅଧିକାରୀମାନେ କେଉଁ ଭଳି ପଦବିରେ ରହିବେ, କାହାକୁ କେତେ ଅର୍ଥ ମଞ୍ଜୁର କରିବା କ୍ଷମତା ମିଳିବ, କିପରି ଲୋକଙ୍କ ଅଭିଯୋଗ ଗ୍ରହଣ କରାଯିବ ଓ ସମାଧାନ କରାଯିବ ତାହା ସ୍ଥିର କରିବାରେ ପ୍ରଥମେ ବିଳମ୍ବ ହେଲା। ଏହାପରେ ପଦବି ମଞ୍ଜୁର ପାଇଁ ଅର୍ଥ ବିଭାଗକୁ ପଠାଯାଇଥିବା ଫାଇଲ୍ ବହୁ ଦିନ ପଡ଼ି ରହିବା ପରେ ମଞ୍ଜୁର ହୋଇଥିଲା। ଓ୍ଵାଟକୋ ପରିଚାଳନା ପାଇଁ ପ୍ରସ୍ତୁତ ହୋଇଥିବା ଚୂଡ଼ାନ୍ତ ରୂପରେଖକୁ ସରକାର ଅନୁମୋଦନ କରିଛନ୍ତି। ଏବେ ବିଏମ୍ସି କମିସନର, ବିଡିଏ ଉପାଧ୍ୟକ୍ଷ, ଅର୍ଥ ବିଭାଗର ପ୍ରତିନିଧି, ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡର ସଦସ୍ୟ ସଚିବ ଏହାର ବୋର୍ଡ ଅଫ୍ ଡାଇରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗର ଜଣେ ମୁଖ୍ୟଯନ୍ତ୍ରୀଙ୍କୁ ପରିଚାଳନା ନିର୍ଦ୍ଦେଶକ, ଦୁଇଜଣ ସୁପରିନ୍ଟେଣ୍ଡେଟ୍ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ହେଲେ ଯେଉଁମାନେ ଯୋଜନାକୁ ରୂପ ଦେବେ, ଯେଉଁମାନଙ୍କୁ ନେଇ କାର୍ଯ୍ୟ ହେବ ସେମାନଙ୍କୁ ନିଯୁକ୍ତି ଦିଆଯାଇନି। ଏ ସଂକ୍ରାନ୍ତ ଫାଇଲ୍ ଏବେ ନଗର ଉନ୍ନୟନ ବିଭାଗରେ ଅଛି। ବିଭାଗ ମଞ୍ଜୁର କଲେ ଓ୍ଵାଟକୋ କାର୍ଯ୍ୟକାରୀ ହେବ। ଆସନ୍ତା ଜୁନ୍ ୧ରୁ ଓ୍ଵାଟ୍କୋ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।