ନୂଆଦିଲ୍ଲୀ: ଦେଶରେ ଦେବାଳିଆ ମାମଲା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଟି)ରେ ଦେବାଳିଆ (ଇନ୍ସଲ୍ଭେନ୍ସି) ମାମଲା ସଂଖ୍ୟା ୨୫୦୦ରୁ ଅଧିକ ହୋଇଗଲାଣି। କିନ୍ତୁ ଏହି ମାମଲାଗୁଡ଼ିକର ସମାଧାନ କରିବା ପାଇଁ ଆବଶ୍ୟକ ବିଚାରପତି ନାହାନ୍ତି।
ଏବେ ଏନ୍ସିଏଲ୍ଟିର ୧୦ଟି ଖଣ୍ଡପୀଠ ରହିଛି ଓ ମୋଟ ୨୬ ଜଣ ଷ୍ଟାଫ୍ଙ୍କୁ ନେଇ ଶୁଣାଣି ଚାଲିଛି। ଏତେ କମ୍ ଷ୍ଟାଫ୍ଙ୍କୁ ନେଇ ଏତେ ଅଧିକ ସଂଖ୍ୟକ ମାମଲାର ସମାଧାନ ଠିକ୍ ସମୟରେ କରିବା ପ୍ରାୟ ଅସମ୍ଭବ ମନେ ହେଉଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ଯେତିକି ଦେବାଳିଆ ମାମଲା ଦାୟର ହୋଇଛି ତାହାକୁ ଠିକ୍ ସମୟରେ ସମାଧାନ କରିବାକୁ ହେଲେ ଆଗାମୀ ୫ ବର୍ଷ ଭିତରେ ୮୦ଟି ଖଣ୍ଡପୀଠ ଆବଶ୍ୟକ।
ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ପ୍ରଭାବଶାଳୀ ଦେବାଳିଆପଣ ପ୍ରକ୍ରିୟାର ଆବଶ୍ୟକତା ରହିଛି। ଠିକ୍ ସମୟ ଭିତରେ ମାମଲାଗୁଡ଼ିକର ସମାଧାନ ହେବା ଜରୁରୀ। କାରଣ ଦେବାଳିଆର ଶିକାର ହୋଇଥିବା ସଂସ୍ଥାଗୁଡ଼ିକରେ ନିବେଶ କରିବା ପାଇଁ ବିଦେଶର ଅନେକ ନିବେଶକ ଚାହିଁ ରହିଛନ୍ତି। ଯଦି ଠିକ୍ ସମୟରେ ମାମଲାଗୁଡ଼ିକର ସମାଧାନ ନହେବ ତେବେ ନିବେଶକମାନେ ଦୂରେଇ ଯିବେ। ଏହା ହେଲେ ଇନ୍ସଲ୍ଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍ (ଆଇବିସି)ର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ।
୨୦୧୬ ଜୁନ୍ରେ ଏନ୍ସିଏଲ୍ଟି ସ୍ଥାପନ କରାଯାଇଥିଲା। ମାତ୍ର ୨୦୧୭ରେ ଆଇବିସି ଲାଗୁ ହେବା ପରେ ଏହା ସକ୍ରିୟ ହୋଇଥିଲା। ବିପୁଳ ପରିମାଣର ଋଣ ନେଇଥିବା ସଂସ୍ଥା ଯଦି ୬ ମାସ ଭିତରେ ପରିଶୋଧ ଯୋଜନା ଦାଖଲ କରୁନାହିଁ ତେବେ ତାହାକୁ ସିଧାସଳଖ ଏନ୍ସିଏଲ୍ଟିକୁ ଟାଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ଏହା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ୧୨ଟି ବଡ଼ ଋଣ ଖିଲାପୀଙ୍କ ତାଲିକା ଜାରି କରାଯାଇଥିଲା। ସେଗୁଡ଼ିକର ବିଚାର ଏବେ ଏନ୍ସିଏଲ୍ଟିରେ ଚାଲିଛି। ଚଳିତ ବର୍ଷ ଜାନୁଆରି ୩୧ ସୁଦ୍ଧା କୋର୍ଟରେ ୯୦୭୩ଟି ମାମଲା ଦାୟର କରାଯାଇଥିଲା। ସେଥି ମଧ୍ୟରୁ ୨୫୧୧ଟି ମାମଲା ଦେବାଳିଆପଣକୁ ନେଇ ଦାୟର କରାଯାଇଛି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର