ଛତିଶଗଡର ବେଆଇନ ଡ୍ୟାମ ନିର୍ମାଣ ପ୍ରସଙ୍ଗ:ସ୍ଥିିତି ପରଖିଲା ଜଳସେଚନ ବିଭାଗ

ଚନ୍ଦାହାଣ୍ଡି: ଛତିଶଗଡ଼ ସରକାରଙ୍କ ଦାଦାଗିରି ଏବଂ ନଦୀ ପାଣି ଅଟକାଇ ଡ୍ୟାମ ନିର୍ମାଣ ବିବାଦ ଥମୁ ନଥିବା ବେଳେ ସଂପ୍ରତି ଓଡିଶା-ଛତିଶଗଡ ସୀମାନ୍ତ ଖପରାଡିହି-ଅମାଡ ନିକଟସ୍ଥ ତେଲ ଓ ବରେହୀ ନଦୀର ମୁହାଣରେ ଏକ ଡ୍ୟାମ ନିର୍ମାଣ କରି ନୂଆ ବିବାଦ ସୃଷ୍ଟି କରିଛି। ଏଥିନେଇ ଗଣମାଧ୍ୟମରେ ଲଗାତାର ଭାବେ ଖବର ପ୍ରକାଶ ପାଇବା ପରେ ଘଟଣାସ୍ଥଳକୁ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ ମିଶ୍ର, ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମା ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ନିର୍ମାଣ ସ୍ଥଳକୁ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ଭିଡ଼ ଲାଗିଛି। ଗତକାଲି ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଚିଠି ନଂ. ୧୪୪୧/୧୮ ପ୍ରକାରେ ଚନ୍ଦାହାଣ୍ଡି ତହସିଲଦାର ହୃଦାନନ୍ଦସିଂ ମାଝୀ ଏବଂ ଥାନା ଅଧିକାରୀ ତରଣୀସେନ ନାୟକ ଖପରାଡିହି ମୌଜାକୁ ଯାଇ ଓଡିଶାର ସୀମା ଚିହ୍ନଟ କରିବା ସହ ନାଲି ପତାକା ପୋତି ୧୪୪ ଧାରା ଜାରି କରିଥିଲେ। ୧୪୪ ଧାରା ତିନି ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡିଛି । ଆଜି ଅତିରିକ୍ତ ତହସିଲଦାର ଶରତ ଶବରଙ୍କ ନେତୃତ୍ୱରେ ଓଡିଶା ଜଳସେଚନ ବିଭାଗ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶିବରାମ ପଣ୍ଡା, ଯନ୍ତ୍ରୀ ଅମରେନ୍ଦ୍ର ସାମଲ, ବିଭୁତି ଭୂଷଣ ପଟ୍ଟନାୟକଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ୍‌ ବିବାଦୀୟ ଅମାଡ ଡ୍ୟାମ ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି। ତେଲନଦୀ ଉପରମୁଣ୍ଡରେ ଥିବା ଫଟିକି, ଝୁଲେନବର, ଜୋରାବନ୍ଧ, ବାବୁରିଆ, ସନ୍ଧିମୁଣ୍ଡା, ବେହେରାମୁଣ୍ଡା ଏବଂ ଖପରାଡିହି ଆଦି ନଦୀ କୂଳିଆ ଅଞ୍ଚଳ ପରିଦର୍ଶନ କରି ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି। ଏହି ବୈଷୟିକ ଟିମ୍‌ ଅନୁଧ୍ୟାନ ସଂପର୍କିତ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।
ପ୍ରକାଶଥାଉକି ଦୀର୍ଘ ଏକ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଲଗାତାର ଭାବେ ବିଭିନ୍ନ ଗଣମାଧ୍ୟମରେ ତେଲନଦୀ ଅବବାହିକା ଅମାଡ ଠାରେ ଛତିଶଗଡର ଡ୍ୟାମ ନିର୍ମାଣ ନେଇ ଲଗାତର ଭାବେ ଖବର ପ୍ରକାଶ ହେବା ପରେ ପ୍ରଥମେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ଘଟଣା ସ୍ଥଳ ପରିଦର୍ଶନ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିିଥିଲେ। ଏହି ବିବାଦୀୟ ଡ୍ୟାମ ନିର୍ମାଣକୁ ନେଇ ରାଜନୈତିକ ଦଳ ମଧ୍ୟରେ ଏବେ ଛକାପଞ୍ଝା ଲାଗି ରହିଛି।

ସମ୍ବନ୍ଧିତ ଖବର