ଭୁବନେଶ୍ୱର: ଚୀନ୍ ଶିଳ୍ପପତିମାନଙ୍କର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଥିଲେ। ଏଚ୍ ୟୁ ଚଙ୍ଗ୍ସ୍ହେଙ୍ଗ୍ଙ୍କ ନେତୃତ୍ୱରେ ଫ୍ୟୁଜିଅନ୍ ପ୍ରୋଭିନ୍ସ୍ ଅଫ୍ ଚାଇନାରୁ ଆସିଥିବା ଏହି ଛଅ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ସହ ବ୍ୟବସାୟିକ ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଆସିଛନ୍ତି। ସେମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଲେ, ପ୍ରାକୃତିକ ସମ୍ପଦରେ ସମୃଦ୍ଧ ଓଡ଼ିଶା ଉତ୍ପାଦନ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା କ୍ଷେତ୍ରରେ ଦେଶରେ ଶ୍ରେଷ୍ଠ ତିନିଟି ରାଜ୍ୟ ମଧ୍ୟରେ ରହିଛି। ଏଠାକାର ବ୍ୟାବସାୟିକ ପରିବେଶ, ଭିତ୍ତିଭୂମି ଓ ଦକ୍ଷ ମାନବ ସମ୍ବଳ ଶିଳ୍ପ ପାଇଁ ଅନୁକୂଳ ରହିବ। ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ପର୍ଯ୍ୟଟନ ଇଲେକ୍ଟ୍ରାନିକ୍ସ, ପେଟ୍ରୋ କେମିକାଲ୍ସ୍ ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ଶିଳ୍ପ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସନ୍ତା ୩୧ ତାରିଖରେ ଚୀନ୍ ଗସ୍ତ କରି ସେଠାକାର ଶିଳ୍ପପତିମାନଙ୍କୁ ଓଡ଼ିଶାର ସୁବିଧା, ସୁଯୋଗ ସମ୍ପର୍କରେ ଅବଗତ କରାଇବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ଉନ୍ନୟନ କମିସନର୍, ଶିଳ୍ପ ବିଭାଗର ପ୍ରମୁଖ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।