ଭୁବନେଶ୍ବର: ସପ୍ତାହକ ତଳେ ଅର୍ଥ କମିସନ୍ ‘କାଳିଆ’ ଯୋଜନାକୁ ପ୍ରଶଂସା କରିଥିଲେ। ଆଜି ଦେଶର ଜଣାଶୁଣା କୃଷି ଅର୍ଥନୀତିଜ୍ଞଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପ୍ରଶାସକଙ୍କ ପର୍ଯ୍ୟନ୍ତ ସମସ୍ତେ ‘କାଳିଆ’କୁ ପୁଣି ପ୍ରଶଂସାରେ ପୋତି ପକାଇଲେ। ମୁଖ୍ୟମନ୍ତ୍ରୀ ଏଥିରେ ସ୍ବର ମିଳାଇ କହିଥିଲେ, କାଳିଆ କେବଳ ଓଡ଼ିଶା ନୁହେଁ, ସାରା ଦେଶର ଚାଷୀଙ୍କ ଉନ୍ନତି ପାଇଁ ବାଟ ଖୋଲିବ। ଚାଷୀଙ୍କ ପାଇଁ ଦେଶରେ ଏହା ଏକ ଆଦର୍ଶ େଯାଜନା। ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସିଆଇଆଇ ସହଯୋଗରେ ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା’। ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ କୃଷି ଓ କୃଷକର ବିକାଶ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁଯୋଗର ପ୍ରଦର୍ଶନ କରାଯାଇଛି। ଦେଶର ଜଣାଶୁଣା ଅଭିଜ୍ଞ କୃଷି ବିଶେଷଜ୍ଞ, କୃଷି ବୈଜ୍ଞାନିକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ କୃଷି ଉଦ୍ୟୋଗୀମାନେ ଯୋଗ ଦେଇ ରାଜ୍ୟରେ କୃଷିର ବିକାଶ ନେଇ ମାନସ ମନ୍ଥନ ଆରମ୍ଭ କରିଛନ୍ତି। ମହୋତ୍ସବ ସ୍ଥଳରେ ‘କାଳିଆ’ ଯୋଜନାକୁ ଅଧିକ ଫୋକସ୍ରେ ରଖାଯାଇଥିବା ଦେଖିବାକୁ ମିଳିଛି। ମହୋତ୍ସବକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଚାଷୀ ଭାଇଭଉଣୀମାନଙ୍କ ପାଇଁ ‘କାଳିଆ’ ଯୋଜନା ବହୁତ ଭଲ। ଏଥିରେ ଛୋଟ ଚାଷୀ, ଭାଗ ଚାଷୀ ଓ କୃଷି ଶ୍ରମିକ ସମସ୍ତେ ଉପକାର ପାଇବେ। ରବି ଓ ଖରିଫ ଋତୁ ପାଇଁ ସହାୟତା ସହିତ ବିନା ସୁଧରେ ଋଣ, ବୀମା ସୁବିଧା ଓ ଜୀବିକା ସୁବିଧା ସବୁ ବ୍ୟବସ୍ଥା ଏଥିରେ ଅଛି। ରାଜ୍ୟ ସରକାରଙ୍କର ଏହା ସବୁଠାରୁ ବଡ଼ ଯୋଜନା, ଯେଉଁଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କାଳିଆ ଯୋଜନା ସହାୟତାକୁ ଚାଷ କାମରେ ଲଗାଇ ରୋଜଗାର ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ େଦଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶର ଚାଷୀଙ୍କୁ ଉନ୍ନତି ବାଟ ଦେଖାଇବ: ନବୀନ
୫ ଦିନିଆ ମହୋତ୍ସବରେ କୃଷିର ପୂର୍ଣ୍ଣାଙ୍ଗ ପ୍ରଦର୍ଶନୀ
ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୧୪ରେ ୧୦ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ପାଣି ଯୋଗାଇବା ପାଇଁ ଘୋଷଣା କରାଯାଇଥିଲା। ଗତ ୪ ବର୍ଷରେ ଜଳସେଚନ ପାଇଁ ଆମେ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛୁ। ଆଜି ଆମେ ୮ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇଛୁ। ଆଗାମୀ ଏପ୍ରିଲ୍ ସୁଦ୍ଧା ଲକ୍ଷ୍ୟ ପୂରଣ ହେବ। କୃଷି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି। କୃଷି ପାଇଁ ସ୍ବତନ୍ତ୍ର ବଜେଟ୍ ଅଣାଯାଉଛି। କୃଷକଙ୍କ ଆୟ ବଢ଼ାଇବା, ଅଧିକ ଉତ୍ପାଦନ ପାଇଁ ବୈଷୟିକ ଜ୍ଞାନକୌଶଳ ସହାୟତା ଓ ବଜାର ସୁବିଧା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ଚାଷୀମାନଙ୍କ ସହଯୋଗରୁ ଓଡ଼ିଶା ୫ ଥର କୃଷି କର୍ମଣ ପୁରସ୍କାର ପାଇଛି। ଓଡ଼ିଶା ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି। ସମସ୍ତେ ମିଶି କୃଷି କ୍ଷେତ୍ରରେ ଓଡ଼ିଶାକୁ ଆହୁରି ଆଗକୁ ନେବା ପାଇଁ ସେ ଆହ୍ବାନ ଦେଇଥିଲେ। କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ‘କାଳିଆ’ ଯୋଜନା ସମ୍ପର୍କରେ ସେ କହିଥିଲେ ଏହା ନିଶ୍ଚିତ ଭାବେ ଚାଷୀଙ୍କ ପାଇଁ ଅଭିନବ ଓ ପ୍ରଶଂସନୀୟ ପଦକ୍ଷେପ। ସାରା ଦେଶର ଚାଷୀଙ୍କ ସମସ୍ୟା ସମାଧାନରେ ଏହା ମାର୍ଗଦର୍ଶନ ଦେବ। ତେେବ ପଞ୍ଜାବ ପରି ଚାଷୀଙ୍କ ଆୟ ବୃଦ୍ଧି, ଅପପୁଷ୍ଟି କମାଇବା, ଅଧିକ ଜମିକୁ ଜଳସେଚନ ସୁବିଧା ଦେବା ଆଦି ପ୍ରସଙ୍ଗ ଉପରେ ରାଜ୍ୟ ସରକାର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃଷି ଲଗାଣ ଓ ମୂଲ୍ୟ ଆୟୋଗ ଅଧ୍ୟକ୍ଷ ବିଜୟ ପାଲ ଶର୍ମା କାଳିଆ ଯୋଜନାକୁ ପ୍ରଶଂସା କରିବା ସହ ଏହା ନିଶ୍ଚିତ ଚାଷୀଙ୍କ ପାଇଁ ଉପଯୋଗୀ ହେବ ବୋଲି ଆଶାପ୍ରକଟ କରିଥିଲେ। ସିଆଇଆଇର ବରିଷ୍ଠ କର୍ମକର୍ତ୍ତା ବି ଥ୍ୟାଗରାଜନ୍ ଅତିଥି ଭାବେ ଯୋଗ ଦେଇଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ େସୗରଭ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ। ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ବିଶାଲ ଗଗନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ ଜଣ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ‘ଓଡ଼ିଶା କୃଷି ଉତ୍ପାଦକ ସଂଘ ନୀତି’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।