ଯୋଗୀ ଆଦିତ୍ୟନାଥଙ୍କ ମାରାଥନ୍ ପ୍ରଚାର : ବିଜୁବାବୁଙ୍କ ସ୍ବପ୍ନ ପୂରଣ କରିବ ବିଜେପି
ରାହୁଲ ପ୍ରଧାନମନ୍ତ୍ରୀ ହେବାକୁ ଦିବାସ୍ବପ୍ନ ଦେଖୁଛନ୍ତି, କଂଗ୍ରେସ ଓ ବିଜେଡିକୁ ସମାଲୋଚନା, ବିକାଶ ପାଇଁ ସିଙ୍ଗଲ୍ ନୁହେଁ, ଡବଲ ଇଂଜିନ ଦରକାର
ଫୁଲବାଣୀ/ରାଉରକେଲା/ଅନୁଗୁଳ : ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ବିଜୁବାବୁଙ୍କ ସ୍ବପ୍ନ ସାକାର ହେବ। ଏହିଭଳି କଥା କହି ବିଜେପିର ହେଭିୱେଟ୍ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋଟରମାନଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ଏଥିସହିତ, ବିଜେପିର ‘ଡବଲ୍ ଇଞ୍ଜିନ୍’ ସ୍ଳୋଗାନକୁ ଦୋହରାଇବା ସହିତ ଉଭୟ ବିଜେଡି ଓ କଂଗ୍ରେସ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହିତ, ଓଡ଼ିଶାର ବିକାଶ ପାଇଁ ଦେଶରେ ଦେଖାଦେଇଥିବା ମହାପରିବର୍ତ୍ତନରେ ଓଡ଼ିଶାବାସୀ ଭାଗିଦାରୀ ହେବାସହିତ ନବୀନ ସରକାରଙ୍କୁ ବଦଳାଇବା ପାଇଁ ଆହ୍ବାନ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯୋଗୀ ଆଦିତ୍ୟନାଥ ଆଜି ଦିନିକିଆ ଗସ୍ତରେ ଆସି ଫୁଲବାଣୀ, ରାଉରକେଲା ଓ ଅନୁଗୁଳଠାରେ ଆୟୋଜିତ ବିଜେପିର ନିର୍ବାଚନୀ ସଭାରେ ଯୋଗଦେଇଥିଲେ। ସେହିସବୁ ଅଞ୍ଚଳର ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସବୁ ସଭାରେ ତାଙ୍କ ସ୍ବର ଅତ୍ୟନ୍ତ ଶାଣିତ ଥିଲା। କଂଗ୍ରେସ ସହିତ ବିଜେଡିକୁ ସେ ତୀବ୍ର ସମାଲୋଚନା କରିଥିଲେ।
ସେ କହିଥିଲେ ଯେ, କଂଗ୍ରେସ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁସଲିମ ସମ୍ପ୍ରଦାୟ ସହ ହାତ ମିଶାଇ ଦେଶକୁ ବିଭାଜନ ସୃଷ୍ଟି କରିବାକୁ ଯାଉଛନ୍ତି। ହେଲେ କେନ୍ଦ୍ରରେ କଂଗ୍ରେସର ଦୀର୍ଘବର୍ଷର ଶାସନକୁ ଭାରତବାସୀ ପରଖିଥିବା ସହ ସାଢେ ୪ବର୍ଷର ମୋଦୀ ସରକାରଙ୍କ ଶାସନକୁ ବି ଦେଖିଛନ୍ତି। ଗାନ୍ଧୀ ପରିବାରକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରି ସାରିଥିବା ବେଳେ ଅପରିପକ୍ବ ରାହୁଲ ମନେ ମନେ ପ୍ରଧାନମନ୍ତ୍ରୀ ହୋଇ ସାରିଲେଣି। ରାହୁଲ ପ୍ରଧାନମନ୍ତ୍ରୀ ହେବା ଦିବାସ୍ବପ୍ନ ଦେଖିବା ବନ୍ଦ କରନ୍ତୁ ବୋଲି କହି ଯୋଗୀ କଟାକ୍ଷ କରିଥିଲେ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଟାର୍ଗେଟ କରି ଯୋଗୀ ବିଭିନ୍ନ ନୀତିର ସମାଲୋଚନା କରିଥିଲେ। ୧୯ ବର୍ଷ କାଳ ଶାସନ ଭିତରେ ଓଡ଼ିଶାରେ ବିକାଶର ନାଁ ଗନ୍ଧ ନାହିଁ। ଶାସନ କରିବାର ଶୈଳୀ ନବୀନଙ୍କୁ ଜଣା ନାହିଁ। ଓଡ଼ିଶାର ବିକାଶ ପାଇଁ ବିଜୁ ବାବୁ ବହୁ ସ୍ବପ୍ନ ଦେଖିଥିଲେ। ଏହାକୁ ସାକାର କରିବା ଲାଗି ତାଙ୍କର ସୁପୁତ୍ର ନବୀନବାବୁଙ୍କୁ ଓଡ଼ିଶାବାସୀ ୧୯ ବର୍ଷ ସୁଯୋଗ ଦେଲେ। ହେଲେ ବିକାଶ ହୋଇ ପାରିଲା ନାହିଁ। ଓଡ଼ିଶାରେ ବିଜେପି ସରକାର ଆସିଲେ ବିଜୁବାବୁଙ୍କ ସ୍ବପ୍ନ ସାକାର ହେବ ବୋଲି ଯୋଗୀ କହିଥିଲେ। ଏଥିସହିତ, ସେ ଆଜି ମୋଦିଙ୍କ ଡବଲ୍ ଇଞ୍ଜିନ୍ କଥା ଦୋହରାଇଥିଲେ। କେବଳ କେନ୍ଦ୍ର ନୁହେଁ, ରାଜ୍ୟରେ ବିଜେପିକୁ ବିପୁଳ ବିଜୟ ଦେଇ ଡବଲ ଇଞ୍ଜିନ୍ ସରକାର ଗଢ଼ିଲେ ଓଡ଼ିଶାେର ଏହା ଗ୍ରୋଥ୍ ଇଞ୍ଜିନ୍ ଭଳି କାମ କରିବ।
ଅନ୍ୟପକ୍ଷରେ, ଯୋଗୀ ଆଦିତ୍ୟନାଥ ବିଜେପିର ମୋଦୀ ସରକାରଙ୍କ ଉଜ୍ଜଳା ଯୋଜନାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ସମେତ ବିଭିନ୍ନ ଯୋଜନା କଥା ବଖାଣି ଥିଲେ। ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ କଥାକୁ ସେ ଦୋହରାଇଥିଲେ। ଏବଂ, ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାପାଇଁ ଆହ୍ବାନ ଦେଇଥିଲେ। ଏହିସବୁ ସଭାମାନଙ୍କରେ ବିଜେପିର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।