ଟିଟିଲାଗଡ଼ : ସାରା ବିଶ୍ୱରେ ବର୍ତ୍ତମାନ ଚହଳ ପକାଇ ଦେଇଛି ହଲିଉଡ଼ ଫିଲ୍ମ ଏଭେଞ୍ଜର୍ସ ଏଣ୍ଡ ଗେମ୍। ଅଧିକରୁ ଅଧିକ ଦର୍ଶକ ଏହି ଫିଲ୍ମକୁ ଦେଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ଏହି ଫିଲ୍ମ ସହ ରହିଛି ଟିଟିଲାଗଡ଼ ଲିଙ୍କ୍। ଏହି ଫିଲ୍ମର ଭିଜୁଆଲ ଇଫେକ୍ଟ ଦେଇଛନ୍ତି ଟିଟିଲାଗଡ଼ ମାଟିର ଜଣେ ଝିଅ।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ ସାଧାରଣ ମନ୍ଦିର ପୂଜକଙ୍କ ଝିଅ ହୋଇ ହଲିଉଡ଼ ପର୍ଯ୍ୟନ୍ତ ସଂପର୍କ କରି ପାରିଥିବା ମିତା ଦାଶଙ୍କ କଥା ଶୁଣିଲେ କାହାଣୀ ପରି ଲାଗେ।
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତ ମୁଖ୍ୟାଳୟରେ ଥିବା ଜଗନ୍ନାଥ ମନ୍ଦିରରେ ଜଣେ ପୂଜକ ଭାବେ କାର୍ଯ୍ୟ କରନ୍ତି ନିରଞ୍ଜନ ଦାଶ। ଘରେ ସ୍ତ୍ରୀ, ଦୁଇପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର। ବଡ ଝିଅ ମିତା ବାଙ୍କେଲ ଗାଁ ହାଇସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ଟିଟିଲାଗଡ଼ ଡିଏଭି କଲେଜରେ ବିଜ୍ଞାନ ବିଭାଗରେ ଯୁକ୍ତଦୁଇ ପଢ଼ିଛନ୍ତି। ମିତା ଯୁକ୍ତ ଦୁଇ ଶେଷ କରିବା ପରେ ଭୁବନେଶ୍ୱରରେ ତିନି ବର୍ଷ ଧରି ଆନିମେସନ କୋର୍ସ କରିଥିଲେ। ପ୍ରଥମେ ପୁନାର ଏକ କଂପାନିରେ ଚାକିରି ପାଇ ବିଭିନ୍ନ ଫିଲ୍ମ ପାଇଁ ଭିଜୁଆଲ ଇଫେକ୍ଟ ତଥା ଆନିମେସନ ଦେଇଥିଲେ। ପରେ ପରେ ହାଇଦ୍ରାବାଦର ଡିଜିଟାଲ ଡୋମେନ ନାମକ ଏକ କଂପାନିରେ ଚାକିରି ଆରମ୍ଭ କଲେ। ଏହି କଂପାନି ବଡ଼ ବଡ଼ ହଲିଉଡ଼ ଫିଲ୍ମ ପାଇଁ ଭିଜୁଆଲ ଇଫେକ୍ଟ ଦେଇ ଆସୁଥିଲା। ଇତିମଧ୍ୟରେ ହଲିଉଡ଼ ଫିଲ୍ମ ଏଭେଞ୍ଜର୍ସ ଏଣ୍ଡ ଗେମର ଭିଜୁଆଲ ଇଫେକ୍ଟ ଦେବାକୁ ମିତାଙ୍କୁ ଅଫର ଆସିଲା। ସେ ପ୍ରଥମେ ଏହାକୁ ବିଶ୍ୱାସ କରି ପାରି ନଥିବା ବେଳେ ଏହା ସତ ବୋଲି ଜାଣି ତାଙ୍କ ଖୁସିର ସୀମା ରହି ନଥିଲା।
ଏହି ଖବର ମିତାଙ୍କ ପରିବାର ଓ ପରିଚିତ ମହଲରେ ପ୍ରଚାର ହେବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି। ମିତା କହିଥିଲେ ଯେ ଏହି ଫିଲ୍ମରେ କାମ କରିବା ତାଙ୍କ ପାଇଁ ଏକ ସ୍ୱପ୍ନ ସଦୃଶ ଥିଲା ଓ ବର୍ତ୍ତମାନ ଯେତିକି ବି ପ୍ରଶଂସା ମିଳୁଛି ତାହା ମଧ୍ୟ ତାଙ୍କ ପାଇଁ ସ୍ୱପ୍ନ ସଦୃଶ। ଏହି ଯାତ୍ରା ତାଙ୍କ ପାଇଁ ବହୁ କଷ୍ଟକର ଥିଲା। ଆଗାମୀ ଦିନରେ ସେ ଜଣେ ଭିଇଏସ୍ ବା ଭିଜୁଆଲ ଇଫେକ୍ଟ ସୁପରଭାଇଜର ହେବାର ଲକ୍ଷ୍ୟ ରଖିଛନ୍ତି।