ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିସନ୍ କେନ୍ଦ୍ରୀୟ ପ୍ରତିନିଧି ଦଳ : ଦୁର୍ବଳ ଭିତ୍ତିଭୂମି ରୋଗୀ ସେବାକୁ ନେଇ ବିଗିଡ଼ିଲେ
ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପରେ ଜାତୀୟ ସ୍ବାସ୍ଥ୍ୟ ମିସନ୍ର କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ଓଡ଼ିଶାେର ପହଞ୍ଚିଛନ୍ତି। ପ୍ରଥମ ଦିନ ପୁରୀ ସହର, ବ୍ରହ୍ମଗିରି ଏବଂ ସାତପଡ଼ା ଅଞ୍ଚଳର ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରି ସ୍ବାସ୍ଥ୍ୟ ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ସ୍ବାସ୍ଥ୍ୟ ସେବା ପାଇଁ ମିଳିଥିବା ଅନୁଦାନ ଠିକ୍ ବାଟରେ ଖର୍ଚ ହୋଇଛି କି ନାହିଁ, ତାର ସବିଶେଷ ତଥ୍ୟ ବି ସାଙ୍ଗରେ ନେଇଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ଦଳ ଜିଲ୍ଲାର ସ୍ବାସ୍ଥ୍ୟ ସେବାକୁ ନେଇ ବିରକ୍ତିଭାବ ପ୍ରକାଶ କରିଛନ୍ତି। ଫନି ପରବର୍ତୀ ସ୍ବାସ୍ଥ୍ୟସେବା ପୁନରୁଦ୍ଧାର କ୍ଷେତ୍ରରେ ପୁରୀ ପଛରେ ପଡ଼ିଥିବାରୁ ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଅପରାହ୍ନରେ ଜାତୀୟ ସ୍ବାସ୍ଥ୍ୟ ମିସନ୍ର ନିର୍ଦେଶକ ମନୋଜ କୁମାର ଝାଲାନିଙ୍କ ନେତୃତ୍ବରେ ଏହି ତିନି ଜଣିଆ ଟିମ୍ ଆସିଛନ୍ତି। କେନ୍ଦ୍ରୀୟ ଦଳ ଆସିବା ପୂର୍ବରୁ ସଜେଇ ହୋଇ ଯାଇଥିଲା ମୁଖ୍ୟ ଚିକିତ୍ସାଳୟ। ଅବ୍ୟବସ୍ଥା ଉପରେ ପରଦା ଢ଼ାଙ୍କିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଇଥିଲା। ତଥାପି ଏହି ଦଳର ନଜରରୁ ଖସି ପାରି ନଥିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଗଫଲତି। ରୋଗୀ ସେବା ହେଉ କି ସ୍ବାସ୍ଥ୍ୟସେବା ଭିତ୍ତିଭୂମି, ସବୁକୁ ନେଇ ବିଗିଡ଼ିଥିଲେ ପ୍ରତିନିଧି ଦଳ। ପରେ ରେଳ ଷ୍ଟେସନ୍ ରାସ୍ତାରେ ଥିବା କମଳାଦେବୀ ମାତୃମଙ୍ଗଳ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ପ୍ରତିନିଧି ଦଳ। ଏଠାରେ ବି ଚିକିତ୍ସା ସେବାକୁ ନେଇ ନିଜର ଅସନ୍ତୋଷ ଝାଡ଼ିଥିଲେ। ଆସନ୍ତାକାଲି ଏହି ପ୍ରତିନିଧି ଦଳ ଭୁବନେଶ୍ବର ଆସିବା ସହିତ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।