ସିରସା: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନ୍ସାଙ୍କୁ ଏକଦା ଶକ୍ତିଶାଳୀ ମହିଳା କୁହାଯାଉଥିଲା। ଏବେ ତାଙ୍କୁ ଆର୍ଥିକ ସଙ୍କଟର ଚିନ୍ତାଗ୍ରାସ କରିଛି। ଆର୍ଥାତ୍ ମୋକଦ୍ଦମା ଲଢ଼ୁଥିବା ଓକିଲଙ୍କୁ ପାରିଶ୍ରମିକ ଦେବା ପାଇଁ ବି ହନିପ୍ରୀତଙ୍କ ପାଖରେ ଟଙ୍କା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ଅଗଷ୍ଟ ୨୫ ତାରିଖରେ ପଞ୍ଚକୁଲା ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ୨୦ବର୍ଷ ଜେଲଦଣ୍ଡର ଶୁଣାଣି କରିବା ସହିତ ୩ ଲକ୍ଷ ଟଙ୍କା ଜରିମାନା କରିଥିଲେ। ତେବେ ଦୋଷୀସାବ୍ୟସ୍ତ ଗୁରୁମିତ ରାମ ରହିମଙ୍କ ପରେ ତାଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନ୍ସା ସିର୍ସାରେ ହିଂସା ସୃଷ୍ଟି କରିବା, ରାମ ରହିମଙ୍କୁ ଫେରାର ଉଦ୍ୟମ ଓ ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଜେଲଦଣ୍ଡ ଭୋଗୁଛନ୍ତି।
ସିର୍ସାରେ ହିଂସା ସୃଷ୍ଟି କରିବା ପରେ ହନିପ୍ରୀତଙ୍କ ସମସ୍ତ ବ୍ୟାଙ୍କ ଖାତାକୁ ଜବତ କରି ଦିଆଯାଇଥିଲା। ବର୍ତ୍ତମାନ ତାଙ୍କ ବ୍ୟାଙ୍କ ଖାତାରେ କୋଟିକୋଟି ଟଙ୍କା ଜମା ଥିଲେ ବି ସେ ସେହି ଟଙ୍କା ଉଠାଇ ପାରିବେ ନାହିଁ। ତେଣୁ ହନିପ୍ରୀତ ତାଙ୍କ ବ୍ୟାଙ୍କ ଖାତାକୁ ଖୋଲିବା ପାଇଁ ଅମ୍ବାଲା ଜେଲ ପ୍ରଶାସନକୁ ଏକ ଲିଖିତ ପତ୍ର ଦେଇଛନ୍ତି। ଏହି ପତ୍ର ଜରିଆରେ ସେ ଆବେଦନ କରିଛନ୍ତି କି, ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ନେଣ-ଦେଣ ଉପରେ ଲାଗିଥିବା ଅଙ୍କୁଶକୁ ହଟାଇ ଦିଆଯାଉ। ତାଙ୍କ ବିରୋଧରେ ଥିବା ମାମଲାକୁ ପଞ୍ଚକୁଲା ଏସ୍ଆଇଟି ଚାର୍ଜସିଟକୁ କୋର୍ଟରେ ଦାଖଲ କରି ସାରିଛନ୍ତି। ବର୍ତ୍ତମାନ କେସ୍ ଟ୍ରାଏଲରେ ରହିଛି। ମକଦ୍ଦମା ଲଢ଼ିବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ। ଯଦି ତାଙ୍କର ଜବତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ଖୋଲା ନଯାଏ ତେବେ ଓକିଲଙ୍କ ପାରିଶ୍ରମିକ ଦେଇ ପାରବି ନାହିଁ ବୋଲି କହିଛନ୍ତି ହନିପ୍ରୀତ।
ଏ ସମ୍ପର୍କରେ ତାଙ୍କ ଓକିଲ ସନ୍ଦୀପ ସଚ୍ଚଦେବ କହନ୍ତି, ‘ଯଦି କୌଣସି ଅଭିଯୁକ୍ତଙ୍କ ପାଖରେ ଓକିଲଙ୍କୁ ଦେବା ପାଇଁ ଅର୍ଥ ନଥାଏ ତେବେ ଅଦାଲତଙ୍କ ତରଫରୁ ଓକିଲ ଦିଆଯାଇଥାଏ। ଏହି ମାମଲାରେ ଶେଷ ନିଷ୍ପତ୍ତି ଅଦାଲତ କରିବେ।
ପଞ୍ଚକୁଲାରେ ହିଂସା ସୃଷ୍ଟି କରିଥିବା ଅଭିଯୋଗରେ ଏସ୍ଆଇଟି ଏଯାବତ୍ ହନିପ୍ରୀତଙ୍କ ସହିତ ୧୫ଜଣଙ୍କୁ ଗିରଫ କରି ସାରିଛି। ପୁଲସ ଏହି ଅଭିଯୁକ୍ତଙ୍କ ବିରୋଧରେ ପଞ୍ଚକୁଲା କୋର୍ଟରେ ଚାର୍ଜସିଟ୍ ଫାଇଲ କରିସାରିଛି। ଯାହାର କପି ତାଙ୍କୁ ଡିସେମ୍ବର ୭ ତାରିଖରେ ଦିଆଯିବ। ଏହି ସମୟରେ ହନିପ୍ରୀତଙ୍କ ସମେତ ତାଙ୍କ ସହିତ ହିଂସା ସୃଷ୍ଟି କରିବାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ।