ଟିକାକରଣରେ ଓଡ଼ିଶା ଅଗ୍ରଣୀ ରାଜ୍ୟ
୨୯ଜିଲ୍ଲାରେ ହୋଇଛି ୮୪ପ୍ରତିଶତ ଟିକାକରଣ
ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ୨୦୧୬ ମସିହା ଶିଶୁ ସ୍ୱାସ୍ଥ୍ୟ ଓ ଟିକାକରଣ ସର୍ବେକ୍ଷଣ ଅନୁଯାୟୀ ରାଜ୍ୟର ୨୯ଟି ଜିଲ୍ଲାରେ ୮୪ପ୍ରତିଶତ ଟିକାକରଣ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ୨୦୧୫/୨୦୧୬ରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ରେ ଦେଶରେ ୬୨ପ୍ରତିଶତ ଟିକାକରଣ ହୋଇଥିବାବେଳେ ଓଡ଼ିଶାରେ ଏହା ୭୯ ପ୍ରତିଶତ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟରେ ଶତ ପ୍ରତିଶତ ଟିକାକରଣ କରାଯିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟରେ ଶତ ପ୍ରତିଶତ ଟିକାକରଣ ଏବଂ ସମସ୍ତ ମ୍ୟୁନସିପାଲିଟିରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ତ୍ୱରାନ୍ଵିତ କରିବା ଉପରେ ଆଲୋଚନା ହୋଇଥିଲା।
ସୂଚନା ଅନୁଯାୟୀ, ରାଜ୍ୟର ୨୯ଟି ଜିଲ୍ଲାରେ ୮୪ପ୍ରତିଶତ ଟିକାକରଣ କରାଯାଇଛି। କେବଳ ଗଞ୍ଜାମ ଜିଲ୍ଲା ଏବଂ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ (ବିଏମ୍ସି) ଅଞ୍ଚଳରେ ଟିକାକରଣର ହାର କମ୍ ରହିଛି। ତେଣୁ ମିସନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଜରିଆରେ ଗଞ୍ଜାମ ଜିଲ୍ଲା ଓ ବିଏମ୍ସି ଅଞ୍ଚଳରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଜନ୍ମରୁ ୨ବର୍ଷ ଓ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଟିକାକରଣ ୭୦ପ୍ରତିଶତ ରହଥିବା ଏହି ଦୁଇ ସ୍ଥାନରେ ଶତ ପ୍ରତିଶତ ଟିକାକରଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। କେରଳ ପରେ ଓଡ଼ିଶାରେ ଦ୍ୱିତୀୟ ରାଜ୍ୟ ଭାବେ ମିସନ ଇନ୍ଦ୍ରଧନୁଷରେ ଟିକାକରଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୦୨୦ ସୁଦ୍ଧା ଜାତୀୟ ସ୍ତରରେ ଟିକାକରଣକୁ ୯୦ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ନିୟମିତ ଭାବେ ଟିକାକରଣ କାର୍ଯ୍ୟକ୍ରମକୁ ଜାରି ରଖିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ୧୯୯୫ ମସିହାରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଓଡ଼ିଶା ଏଥିରେ ମଧ୍ୟ ଏକ ଅଗ୍ରଣୀ ରାଜ୍ୟ ଭାବେ ମାନ୍ୟତା ପାଇଛି। ସେହିପରି ୨୦୧୧ ମସିହାରେ ହେପାଟାଇଟିସ୍ -ବି କାର୍ଯ୍ୟକ୍ରମ, ୨୦୧୫ ମସିହାରେ ପେଣ୍ଟାଭାଲେଣ୍ଟ ଟିକା ଓ ଏମ୍ଏନ୍ଟିଇ କାର୍ଯ୍ୟକ୍ରମ, ୨୦୧୬ରେ ପୋଲିଓ ଇଞ୍ଜେକସନ୍ କାର୍ଯ୍ୟକ୍ରମ ମଧ୍ୟ ରାଜ୍ୟରେ ଜାରି ରହିଛି। ୨୦୧୮ ମସିହାରେ ରାଜ୍ୟରେ ମିସନ ରୁବେଲା ବା ଏମ୍ଆର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ପଞ୍ଚାୟତିରାଜ ସଚିବ ଡିକେ ସିଂ, ଏନ୍ଏଚ୍ଏମ୍ର ନିର୍ଦେଶିକା ଶାଳିନୀ ପଣ୍ଡିତ, ମହିଳା ଓ ଶିଶୁ ବିକାଶର ସଚିବ ଶୁଭା ଶର୍ମା, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଅଜୟ ନାୟକ ଓ ସ୍ୱତନ୍ତ୍ର ସଚିବ ଡା.ବିକେ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।