କିଏ ବା ଅଛି କେଉଁମତେ

ଆମରି କଥା - ଶ୍ରୀ ନାରାୟଣ ମିଶ୍ର

ଏବେ ହିତୋପଦେଶ ଦେବା ଓ ଶାସ୍ତ୍ର, ପୁରାଣ, ରାଜନୀତି ବିଷୟରେ ଭାଷଣ ଦେବା ଲୋକ ଅନେକ, ହେଲେ ଶ୍ରୋତାଙ୍କର ଘୋର ଅଭାବ। କାହାର ସମୟ ନାହିଁ, ଧୈର୍ଯ୍ୟ ବି ନାହିଁ। ପ୍ରବଚନ ଦେଉଥିବା ସନ୍ନ୍ୟାସୀଙ୍କ ମଠରୁ ଯୌନ ବ୍ୟଭିଚାରର ପ୍ରମାଣ ମିଳିବା ପରେ ଲୋକେ ସମସ୍ତ ପ୍ରକାର ବାବା ଓ ସନ୍ନ୍ୟାସୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। କାହାରି କାହା ଉପରେ ଆଉ ବିଶ୍ବାସ ନାହିଁ। ଡାକ୍ତର ଉପରେ ରୋଗୀର, ଓକିଲ ଉପରେ ମହକିଲର, ଶିକ୍ଷକ ଉପରେ ଛାତ୍ରର, ବାପା ଉପରେ ପୁଅର ଏପରିକି ସ୍ବାମୀ ଉପରେ ସ୍ତ୍ରୀର ଆଉ ବିଶ୍ବାସ ନାହିଁ। ପାଞ୍ଚ ସାତ ବର୍ଷର ପିଲାଟାଏ ବା ୨୦/୨୧ ବର୍ଷର ଯୁବକଟିଏ ଆମ ଭଳି ପିତୃସମାନ ବୟସ୍କଙ୍କୁ ନାଲି ଆଖି ଦେଖାଇ ଦୁର୍ବ୍ୟବହାର କରିବାରେ ପଶ୍ଚାତ୍‌ପଦ ହେଉନାହିଁ। ମନେ ହେଉଛି ‘‘ଭଲ ପାଇବା’’ ଶବ୍ଦ କୋର୍ସରୁ ଉଠିଗଲାଣି। ପ୍ରେମ ଆରମ୍ଭରୁ କାମର ବାସନା ଏବ˚ ତା’ ପରେ ପରେ ପ୍ରତାରଣାରେ ପରିଣତ ହେଉଥିବାର ଅନେକ ପ୍ରମାଣ ମିଳିଲାଣି। ଯେଉଁଠୁ କିଛି ମିଳିବାର ଆଶା ନାହିଁ, ସେଠାକୁ ଯିବାକୁ ଆଦୌ ସମୟ ହେଉନାହିଁ। ଯଦି କାହା ପାଖରେ କାମ ଅଛି, ତାକୁ ଦଶ ଥର ଖୋଜି ବ୍ୟସ୍ତ କରାଇ ଦିଆଯାଉଛି। କାମ ସରିଗଲା ପରେ ତା’ ଦ୍ବାର ମୁହଁ ମାଡ଼ିବାକୁ ସମୟ ହେଉନି। ଅବଶ୍ୟ ସମସ୍ତେ ଏପରି ନୁହନ୍ତି; କିନ୍ତୁ ବାଟରେ ଥିବା ପାଞ୍ଚ ପର୍‌ସେଣ୍ଟ ଲୋକ ଅନ୍ୟ ମୁଖାପିନ୍ଧା ପଞ୍ଚାନବେ ପର୍‌ସେଣ୍ଟ ଲୋକଙ୍କ ଦ୍ବାରା ନିର୍ଯାତିତ ହେଉଛନ୍ତି। ମୋ ଜାଣିବାରେ ମୋର ବନ୍ଧୁ ସୁଧାକର ଗୋଟେ ପରୋପକାରୀ ଲୋକ। ଆମ ଏରିଆ ଲୋକେ ଜାଣନ୍ତି ସୁଧାକରଟା ଅନ୍ୟର ଖୁସିରେ ଖୁସି ହୁଏ ଓ ଅନ୍ୟର ଦୁଃଖ ବେଳେ ପାଖରେ ଠିଆ ହୋଇଯାଏ। ମୁଁ ବି ଜାଣେ ‘‘ବନ୍ଧୁ’’ ଶବ୍ଦର ପ୍ରକୃତ ଅର୍ଥ ସୁଧାକର ଠାରେ ହିଁ ଦେଖିବାକୁ ମିଳେ।

ଆଜି ସକାଳୁ ହଠାତ୍‌ ସୁଧାକର ଆସି ମୋ ଘରେ ପହଞ୍ଚିଗଲା। ମୁଁ ଖୁସି ହେଲି ଓ ତା’ ଆସିବାର କାରଣ ପଚାରିଲି। ସୁଧାକର କହିଲା- ‘ମୁଁ ଶୁଣିଲି, ତୁ କୁଆଡ଼େ କର୍ପୋରେଟର ପାଇଁ ଠିଆ ହେଉଛୁ?’’ ମୁଁ କହିଲି- ‘‘ଠିକ୍‌ ଶୁଣିଛୁ, ଏତେ ଦିନ ମାଷ୍ଟ୍ର ଚାକିରି କରି ଘର ଖଣ୍ତେ କିଣି ପାରିଲିନି। ଜାଗା ଖଣ୍ତେ ଚନ୍ଦକା ହାତୀ ଜଙ୍ଗଲରେ କିଣିଥିଲି ଯେ, ଲୋକେ କହୁଛନ୍ତି ଦଶ ହଜାରରେ କିଣାଯାଇଥିବା ଏ ତିନିଗୁଣ୍ଠିଆ ଜାଗା ଖଣ୍ତକର ମୂଲ୍ୟ ବଢ଼ିବା ବେଳକୁ ମୁଁ କୁଆଡ଼େ ଆଉ ଏ ଦୁନିଆରେ ନ ଥିବି! ସେଇଥିପାଇଁ ଭାବିଲି, ଏଥରକ କର୍ପୋରେଟର ପୋଷ୍ଟ ପାଇଁ ଲଢ଼ିବି। ମୁଁ ନିଶ୍ଚେ ଜିତିବି, କାରଣ ଏ ଏରିଆର ଶହ ଶହ ପିଲାଙ୍କୁ ପାଠ ପଢ଼େଇ ମଣିଷ କରିଛି। ସେମାନେ ଓ ସେମାନଙ୍କ ବାପା, ମା’, ଭାଇବନ୍ଧୁ କୁଟୁମ୍ବ ମୋତେ ନିଶ୍ଚୟ ଭୋଟ୍‌ ଦେବେ। ତେଣୁ ମୁଁ ପ୍ରାୟ ଜିତିଯିବି।’’ ସୁଧାକର କହିଲା- ‘‘ଭାଇ, ତୁ ରାଜନୀତି କଥା ଜାଣିନୁ। ଜୀବନଟାଯାକ ଦୌଡ଼ଧାପଡ଼ା ଓ ଗୋଡ଼ ଟଣାଟଣିରେ ଯିବ। ଖାଲି କ୍ଷମତା, ଚୌକି, ଘରଦ୍ବାର, ଜାଗାବାଡ଼ି ପଛରେ ଗୋଡ଼େଇ ଗୋଡ଼େଇ ଜୀବନ ଯିବ। ଗାଦିରୁ ଗଲା ପରେ କେହି ପଚାରିବେ ନାହିଁ। ତୁ ଏବେ କର୍ପୋରେଟର ପୋଷ୍ଟରେ ଠିଆ ହେଲେ, ଘର ଘର ବୁଲି ସମସ୍ତଙ୍କୁ ମୁଣ୍ତିଆ ମାରିବୁ। କାହା ଘରେ ପଖାଳ ଖାଇବୁ ତ ଆଉ କାହାର ସି˚ଘାଣିନାକୀ ଝିଅକୁ କାଖେଇ ଗେଲ କରିବୁ। ତା’ଛଡ଼ା ତୋ ପାଖରେ ଏତେ ଟଙ୍କା କାହିଁ ଯେ ତୁ ଖର୍ଚ୍ଚ କରିବୁ? ମଦ, ମା˚ସ, କ୍ଲବ୍‌, ମନ୍ଦିର ଇତ୍ୟାଦି ସବୁ ପାଇଁ ଅକାତରେ ଟଙ୍କା ବାଣ୍ଟିବାକୁ ହେବ, ତୁ ପାରିବୁ ନାହିଁ। ଅନ୍ୟ ଦିଗରେ ଦେଖିଲେ ଯେଉଁ ପିଲାଙ୍କୁ ତୁ ପଢ଼େଇଛୁ ସେମାନେ ତୋତେ ଭୋଟ୍‌ ଦେବେ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ତେଣୁ ତୁ ପ୍ରାର୍ଥୀପତ୍ର ଫେରେଇ ଆଣ।’’

ମୁଁ କହିଲି-‘‘ଭାଇ ଜଣେ ବୋଲି ବେପାରୀ ପିଲା ମୋ ବିରୋଧରେ ଠିଆ ହୋଇଛି। ତାକୁ ଚିହ୍ନେ କିଏ? ମୁଁ କର୍ପୋରେଟର ହୋଇଗଲେ କୋଟିପତି ହୋଇଯିବି, ଆଉ ଏପଟ ଏରିଆର ସବୁ ଯାକ କାମ ପାଇଁ ତୋ ନାଁରେ ଅର୍ଡର କରାଇଦେବି। ତୁ ରାସ୍ତା କରେଇବୁ, ନଳକୂପ ବସାଇବୁ, ସବୁ କରିବୁ। ଖାଲି ମୋତେ ଟିକେ ସାହାଯ୍ୟ କର।’’

ସୁଧାକର ମୋତେ ପୁଣି ବୁଝେଇଲା ଓ କହିଲା- ‘‘ଭାଇ, ଏ ଜୀବନଟା କେତେ କମ୍‌ ଦିନର। କେତେବେଳେ ନିଃଶ୍ବାସ ବନ୍ଦ ହୋଇଯିବ କହି ହେବନି। ପିଲାଛୁଆଙ୍କ ମେଳରେ ଚାରଦିନ ଏକାଠି ଶାନ୍ତିରେ କଟାଇ ଦେଲେ ଗଲା। ସକାଳୁ ଉଠୁଛୁ, ଠାକୁର ପୂଜା କରୁଛୁ, ସ୍କୁଲ୍‌ ଯାଉଛୁ, ସାର‌୍‌ ଓ ଦିଦିମାନଙ୍କ ସହ ଖୁସିଗପ, ଫିଷ୍ଟ କରୁଛୁ। ରାଜନୀତିରେ ପଶିଲେ ତୋ ପରିବାର ଲୋକେ ତୋତେ ଖୋଜିଲେ ବି ଆଉ ପାଇବେ ନାହିଁ। ଗୁଣ୍ତାଗିରି, ଲାଞ୍ଚ, ମଦ ଓ କମିସନି ହିସାବ କରି କରି ତୁ ବୁଢ଼ା ହୋଇଯିବୁ। ମୋ କଥା ମାନ ଆଉ ଏ କର୍ପୋରେଟର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଆଣ। କର୍ପୋରେଟର ହୋଇ କୋଟି କୋଟି ଟଙ୍କା ରଖିଲେ ବି କ’ଣ ହେବ? ହାଇ ବ୍ଲଡ୍‌ ପ୍ରେସର ଓ ଡାଇବେଟିସ୍‌ର ଶିକାର ହେବୁ। ତୁ ତ ରୋଗରେ ଛଟପଟ ହେବୁ, ଏ ଟଙ୍କା ତୋର କ’ଣ ହେବ? ସେ ବେପାରୀ ପିଲା କେଉଁ ଜଣେ ମନ୍ତ୍ରୀକୁ ଧରିଛି, ତା’ହାତରେ ଗୁଣ୍ଡା ଆଉ ପୁଲିସ। ତୁ କାହିଁକି ଏଥିରେ ପଶୁଛୁ? ବହୁ ଶିକ୍ଷକ ସୁନାମ ଅର୍ଜନ କରିଛନ୍ତି। ସେମିତି ତୁ ବି କରିବୁ। ତେଣୁ ମୋ କଥା ମାନ, ଶାନ୍ତିରେ ରହ, ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଆଣ।’’

ମୁଁ କହିଲି- ‘‘ଭାଇ, ସୁଧାକର, ମୁଁ ତୋ କଥା ବୁଝିଲେ ବି, ନିଶ୍ଚୟ ଲଢ଼ିବି।’’ ସୁଧାକର କହିଲା ‘‘ଭାଇ, ଜୀବନ ଅସାର। ଆଉ କେଇଟା ବର୍ଷ ପରେ ତୁ ନ ଥିବୁ , ସେ ବେପାରୀ ପୁଅ ବି ନ ଥିବ। ଏ ମହାନଗରୀ, ଜମିବାଡ଼ି ସବୁ ଏଇଠି ପଡ଼ିଥିବ। କାହିଁକି ଏ ମାୟା‌େର ପଶୁଛୁ?’’

ମୁଁ କହିଲି- ‘‘ଏଇ ଜୀବନ ଦର୍ଶନ କଥା ତୁ ଯାଇ ସେ ବେପାରୀ ପୁଅକୁ ବୁଝା। ମୁଁ ଏଥରକ କିନ୍ତୁ ନିଶ୍ଚୟ ଲଢ଼ିବି।’’

ଏବେ ସୁଧାକର କାନ୍ଦି ପକେଇଲା। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି- ‘‘ଭାଇ, ଆମେ ତ ଲଢ଼ୁଛୁ। ତୁ କାନ୍ଦୁଛୁ କାହିଁକି? ସତ କଥା କହିଲେ ମୁଁ ନିଶ୍ଚୟ ତୋ’ ଉପଦେଶ ମାନିବି।’’

ଏଥର ସୁଧାକର ଆଖିରୁ ଲୁହ ପୋଛି କହିଲା- ‘‘ଭାଇ, ମୋ ଝିଅଟାକୁ ତିରିଶ ବର୍ଷ ପୂରିଲାଣି। ବହୁ କଷ୍ଟରେ ତା’ ବାହାଘର ଠିକ୍‌ ହୋଇଯାଇଛି। ହେଲେ ଟଙ୍କା ପାଇଁ ବାହାଘର ଭାଙ୍ଗି ଯାଇଥା’ନ୍ତା। ସେ ବେପାରୀ ପୁଅ ମୋତେ ପାଞ୍ଚ ଲକ୍ଷ ଟଙ୍କା ଦେବାରୁ ଆର ମାସ ପ୍ରଥମ ସପ୍ତାହରେ ବାହାଘର ହେବାର ସ୍ଥିର ହୋଇଛି। କିନ୍ତୁ ସେ କହିଛି, ସେ ପାଞ୍ଚ ଲକ୍ଷ ବଦଳରେ ମୁଁ ତୋତେ ବୁଝାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଲେ ସେ ନିର୍ଦ୍ବନ୍ଦ୍ବରେ ଜିତିଯିବ!

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର