ସ୍ୱାମୀଙ୍କୁ ବଞ୍ଚାଇବାକୁ ସାମ୍ନାକୁ ଆସିଗଲେ, ଶ୍ୱଶୁର ଗୁଳିରେ ଟଳିପଡ଼ିଲେ ବୋହୂ
ଶେରଗଡ଼/ବ୍ରହ୍ମପୁର : ପୁଅକୁ ମାରିବାକୁ ବାପା ଉଠାଇଲେ ବନ୍ଧୁକ। ମାତ୍ର ୩ ମାସ ତଳେ ୭ ଜନ୍ମର ସାଥୀ ହେବାକୁ ଶପଥ କରି ଶଙ୍ଖାସିନ୍ଦୂର ପିନ୍ଧିଥିବା ନୂଆ ବୋହୂଟି ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ବନ୍ଧୁକ ଆଗକୁ ଆସିଗଲେ। ସ୍ବାମୀଙ୍କ ଜୀବନ ବଞ୍ଚାଇଲେ, ହେଲେ ନିଜେ ଗୁଳି ଖାଇ ଟଳିପଡ଼ିଲେ। ଠିକ୍ କପାଳ ଉପରକୁ ସିନ୍ଦୂର ପିନ୍ଧୁଥିବା ସିନ୍ଥିରେ ଗୋଟିଏ ଗୁଳି ଲାଗିଥିଲା। ନୂଆ ବୋହୂଟିର ସୁନେଲି ସ୍ବପ୍ନ ଛାରଖାର୍ ହୋଇଗଲା। ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ମଥାର ସିନ୍ଦୂର ରକ୍ତଧାରରେ ପୋଛି ହୋଇଗଲା। ଏ କୌଣସି ଚଳଚ୍ଚିତ୍ର କି ଧାରାବାହିକର କାଳ୍ପନିକ କାହାଣୀ ନୁହେଁ, ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ବଡ଼ଗଡ଼ ଥାନା ମେରିକୋଟ ପଞ୍ଚାୟତ ବାରଭରଣିଆ ଗ୍ରାମରେ ରଶ୍ମିତା ମଲ୍ଲିକ (୨୨) ନାମକ ଜଣେ ନବବଧୂ ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଶ୍ବଶୁରଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି। ଶ୍ବଶୁର ଓ ସ୍ବାମୀଙ୍କ କଳିରେ ରଶ୍ମିତା ବଳି ପଡ଼ି ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୋରଡ଼ା ବ୍ଲକ୍ ବଡ଼ଗଡ଼ ଥାନା ଅନ୍ତର୍ଗତ ବାରଭରଣିଆ ଗ୍ରାମର ପ୍ରଫୁଲ୍ଲ ମଲ୍ଲିକଙ୍କ ପୁଅ ମିଟୁ ମଲ୍ଲିକ ତିନି ମାସ ତଳେ ନିକଟ ସୋରଡ଼ା ଥାନା ଅଧୀନ ଜେରା ଗ୍ରାମର ରଶ୍ମିତାଙ୍କୁ ବିବାହ କରିଥିଲେ। ପୁଅର ଭୋଜି ଖର୍ଚ୍ଚ ପାଇଁ ପାଇଁ ପ୍ରଫୁଲ୍ଲ କିଛି ଟଙ୍କା ଋଣ ଆଣିଥିଲେ। ଆଜି ସକାଳେ ଜଣେ ବ୍ୟକ୍ତି ପ୍ରଫୁଲ୍ଲଙ୍କ ଘରକୁ ଆସି ଋଣ ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ପୁଅ ମିଟୁଙ୍କୁ ପ୍ରଫୁଲ୍ଲ କହିଥିଲେ। ଏହାକୁ କେନ୍ଦ୍ର କରି ସକାଳ ୧୧ଟାରେ ବାପା ଓ ପୁଅଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଏହି ସମୟରେ ପ୍ରଫୁଲ୍ଲ ଉତ୍କ୍ଷିପ୍ତ ହୋଇ ଉଠିବା ସହ ଘରେ ରଖିଥିବା ଦେଶୀ ବନ୍ଧୁକ ଆଣି ମିଟୁଙ୍କ ହତ୍ୟା କରିବାକୁ ଉଠାଇଥିଲେ। ବନ୍ଧୁକ ଚଳାଉଥିବା ସମୟରେ ହଠାତ୍ ରଶ୍ମିତା ଚିତ୍କାର କରି ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ସମ୍ମୁଖକୁ ଚାଲିଆସିଥିଲେ। ଆଉ ବନ୍ଧୁକରୁ ବାହାରିଥିବା ଗୁଳି ସିଧା ଯାଇ ରଶ୍ମିତାଙ୍କ ମୁଣ୍ଡକୁ ବାଜିବାରୁ ସେଠାରେ ହିଁ ଟଳି ପଡ଼ିଥିଲେ। ରକ୍ତସ୍ରାବ ବନ୍ଦ ନ ହେବାରୁ ନିମିଷକରେ ରଶ୍ମିତାଙ୍କ ଜୀବନ ଦୀପ ଲିଭିଗଲା।
ରଶ୍ମିତା ସେଠାରେ ଏଭଳି ଅବସ୍ଥାରେ ପଡ଼ିଥିବା ବେଳେ ଶ୍ବଶୁର ଓ ସ୍ବାମୀଙ୍କ ମନରେ ଟିକେ ବି ଦୟା ଆସି ନଥିଲା। ଶ୍ବଶୁର ପ୍ରଫୁଲ୍ଲଙ୍କ କ୍ରୋଧ ପ୍ରଶମିତ ହୋଇ ନଥିଲା। ପୁଅକୁ ହତ୍ୟା କରିବାକୁ ସେ ପଛରେ ପୁଣି ଏକ ମାରଣାସ୍ତ୍ର ଧରି ଗୋଡ଼ାଇଥିଲେ। ରିପୋର୍ଟ ଲେଖାଯିବା ସୁଦ୍ଧା ବାପାପୁଅଙ୍କୁ ଠାବ କରାଯାଇ ନଥିବା ବଡ଼ଗଡ଼ ଥାନାଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି।
ଖବର ପାଇ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ସହ ଏକ ଟିମ୍ ଏବଂ ଛତ୍ରପୁରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ କରିଥିଲେ। ଘର କୋଣରେ ରଖାଯାଇଥିବା ଦେଶୀ ବନ୍ଧୁକ ଜବତ ସହ ଫିଙ୍ଗର୍ ପ୍ରିଣ୍ଟ୍ ଓ ଚଟାଣରେ ପଡ଼ିଥିବା ରକ୍ତ ନମୁନା ସଂଗ୍ରହ କରାଯାଇଛି। ମୃତ ରଶ୍ମିତାଙ୍କ ବାପା ପଞ୍ଚୁ ମଲ୍ଲିକଙ୍କ ଏତଲା କ୍ରମେ ବଡ଼ଗଡ଼ ଥାନାରେ କେସ୍ ନମ୍ବର ୧୪୬/୨୦ ଅନୁସାରେ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ପାଇଁ ଶବକୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି। ରଶ୍ମିତାଙ୍କ ଶ୍ବଶୁରଘର ଅନ୍ୟ ପରିବାରବର୍ଗଙ୍କୁ ପଚରାଉଚରା ଜାରି ରହିଛି। ତେବେ ପ୍ରଫୁଲ୍ଲ ଓ ମିଟୁ ଫେରାର୍ ହୋଇଯାଇଥିବା ଥାନାଧିକାରୀ ସୂଚନା ଦେଇଛି।