ଅର୍ବାନ୍ ପାର୍କ ୱେ ପାଇଁ ବାଟ ଫିଟିଲା
ବିଡିଏ ଓ ପୂର୍ତ୍ତ ବିଭାଗ ମଧ୍ୟରେ ହେବ ଏମ୍ଓୟୁ, ଡିଜାଇନ୍ରେ ସଂଶୋଧନ ଆଣୁଛି ବିଡିଏ
ଭୁବନେଶ୍ୱର : ସଚିବାଳୟ ମାର୍ଗକୁ ଅର୍ବାନ୍ ପାର୍କ ୱେରେ ପରିଣତ କରିବା ପାଇଁ ତିନି ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଜି ଯାଏ ଏହାକୁ ରୂପ ଦିଆଯାଇପାରିଲାନି। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଡିଏ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ଓ ପୂର୍ତ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ରାସ୍ତା ଉନ୍ନତୀକରଣ ପାଇଁ ବିଡିଏ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଖୁବ୍ ଶୀଘ୍ର ଏମ୍ଓୟୁ ସ୍ବାକ୍ଷର ହେବ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ମାର୍ଟ ସିଟିଜ୍ ମିସନ୍ର ୯ମ ଆପେକ୍ସ କମିଟି ବୈଠକରେ ସିଟି ଇନଭେଷ୍ଟମେଣ୍ଟ ଟୁ ଇନୋଭେଟ୍, ଇଣ୍ଟିଗ୍ରେଟ୍ ଆଣ୍ଡ ସଷ୍ଟେନ୍ (ସିଟିସ୍) କାର୍ଯ୍ୟକ୍ରମରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବି-ଆକ୍ଟିଭ୍ ପ୍ରସ୍ତାବ ଉପରେ ମୋହର ବାଜିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଡିଏ ପକ୍ଷରୁ ଏବେ ୪ଟି ପ୍ରକଳ୍ପ ପାଇଁ ଏମ୍ଓୟୁ ସ୍ବାକ୍ଷର ହେବ। ଏଥିରେ ୧୬.୬କିମିର ନନ୍ ମୋଟୋରାଇଜ୍ଡ ଟ୍ରାନ୍ସପୋର୍ଟ (ଏନ୍ଏମ୍ଟି) ପ୍ରାଇଓରିଟି ନେଟୱର୍କ, ରିସାଲିଏଣ୍ଟ ଗ୍ରିନୱେଜ୍, ପେଡେଷ୍ଟ୍ରିଆନ୍ ଅନଲି ଷ୍ଟ୍ରିଟ୍, ଭୁବନେଶ୍ବର ପବ୍ଲିକ ସ୍ପେସେସ୍ କାମ ହେବ। ‘ସିଟିସ୍’ କାର୍ଯ୍ୟକ୍ରମରେ ମୋଟ୍ ୧୮୧ କୋଟି ୬୫ଲକ୍ଷ, ୨୩ ହଜାର ୪୮୬ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ତାଙ୍କର ପାନ୍ ସିଟି ଯୋଜନାରେ ଏହି କାମ ପାଇଁ ୭୯ କୋଟି ୩୦ ଲକ୍ଷ ୩୫ ହଜାର ୩୪୭ଟଙ୍କା ଦେବେ। କିନ୍ତୁ ଏହି ୪ଟି ପ୍ରକଳ୍ପ ପାଇଁ ୫୧କୋଟି ୭୦ଲକ୍ଷ ୫୯ହଜାର ୭୬୦ ଟଙ୍କା ଖର୍ଚ୍ଚ ହେବ।
ବିଡିଏରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଅର୍ବାନ୍ ପାର୍କ ୱେ ପାଇଁ ୩୦୦ କୋଟିର ଯୋଜନା ହୋଇଥିଲେ ହେଁ ଏତେ ଟଙ୍କା ଖର୍ଚ୍ଚ କରିବା ସମ୍ଭବ ନଥିବାରୁ ଏହି ରାସ୍ତାର ଡିଜାଇନ୍ ପରିବର୍ତ୍ତନ କରାଯାଇଛି। କେତେକ ସ୍ଥାନରେ ବିଦ୍ୟୁତ ଲାଇନ୍, ପାଣି ପାଇପ୍, ଟେଲିଫୋନ୍ କେବୁଲ୍ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ। ଏପରିକି ୮୦୦ରୁ ଅଧିକ ଗଛ କାଟିବାକୁ ଥିବାରୁ ଏହାର ଡିଜାଇନ୍ ପରିବର୍ତ୍ତନ କରାଯାଉଛି। ସେହି ଅନୁଯାୟୀ ଅର୍ବାନ୍ ପାର୍କ ୱେ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ତା’ର ଭାଗ ପୂର୍ତ୍ତ ବିଭାଗକୁ ଦେବ। ସେହି ଅନୁଯାୟୀ ପୂର୍ତ୍ତ ବିଭାଗ ଅର୍ଥ ଖର୍ଚ୍ଚ କରିବ। ସ୍ମାର୍ଟ ସିଟିଜ୍ ମିସନ୍ ‘ସିଟିସ୍’ ଯୋଜନାରେ ଅର୍ଥ ଦେବ।
ମିଳିଥିବା ସୂଚନା ଅନୁଯାୟୀ, ଏନ୍ଏମ୍ଟି ପ୍ରାଇଓରିଟି ନେଟୱର୍କରେ ୯ଟି ରାସ୍ତାର ଉନ୍ନତୀକରଣ ହେବ। ଏଥିପାଇଁ ୫୦ କୋଟି ୩୧ ଲକ୍ଷ ୬୦ ହଜାର ଖର୍ଚ୍ଚ ହେବ। ଏଥିରେ ସଚିବାଳୟ ମାର୍ଗର ୪.୭୦ କିମି, ବିଦ୍ୟୁତ ମାର୍ଗର ୨.୯୫ କିମି, ରାଜପଥର ୦.୯୪ କିମି, ମହାମାତ୍ମା ଗାନ୍ଧୀ ମାର୍ଗର ୦.୯୦ କିମି, ଗୋପବନ୍ଧୁ ମାର୍ଗର ୦.୮୯ କିମି, ମଧୁସୂଦନ ମାର୍ଗର ୦.୮୯ କିମି, ଉଦ୍ୟାନ ମାର୍ଗର ୦.୯୧ କିମି, ବାୟାବାବା ମଠ ମାର୍ଗର ୧.୭୪ କିମି ଏବଂ ଏକାମ୍ର ରୋଡ୍ର ୨.୭୧ କିମି ରାସ୍ତା ଉନ୍ନତୀକରଣ ହେବ। ଏହି ରାସ୍ତା ପାଇଁ ପୂର୍ତ୍ତ ବିଭାଗ ୨୬ କୋଟି ୨୯ଲକ୍ଷ ୧ହଜାର ୧୦୦ଟଙ୍କା ଏବଂ ସିଟିସ୍ ଯୋଜନାରେ ୨୬ କୋଟି ୨୯ଲକ୍ଷ ୧ହଜାର ୧୦୦ ଟଙ୍କା ମିଳିବ। ଏଥିରେ ଅଣ ମୋଟର ଗାଡ଼ି ଚଳାଚଳ କରିବା ସହ କ୍ୟାରିଏଜ୍ ୱେ ହେବ। ଅର୍ଥାତ୍ ବ୍ୟାଟେରି ଗାଡ଼ି, ସାଇକେଲ୍ ଆଦି ଗଡ଼ିବା ପାଇଁ ସ୍ବତନ୍ତ୍ର ରାସ୍ତା ରହିବ।
ସେହିପରି ଏହି ରାସ୍ତାରେ ଯେପରି ସବୁଜିମା ଭରି ରହିବ, ତାହାକୁ ଧ୍ୟାନ ଦେବ। ଯେତିକି ଗଛ ଅଛି ସେଥିରୁ ଯେପରି କମ୍ କଟା ହେବ ଏବଂ ଅଧିକ ସବୁଜିମା ସୃଷ୍ଟି କରାଯିବ, ସେଥିପାଇଁ ଏଠାରେ ରିସାଲିଏଣ୍ଟ ଗ୍ରିନୱେଜ୍ ହେବ। ଏଥିପାଇଁ ୮୨ଲକ୍ଷ ୯୯ହଜାର ୭୬୦ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ସିଟିସ୍ ଯୋଜନାରେ ୮୬ଲକ୍ଷ ୭୩ହଜାର ୨୪୯ଟଙ୍କା ମିଳିବ।
ମଧୁସୂଦନ ମାର୍ଗ, ନିକୋ ପାର୍କ ରାସ୍ତା, ପଟେଲ୍ ରୋଡ୍ରେ ପଥଚାରୀଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ରହିବ। ଏହାକୁ ପିପିପି ମୋଡରେ କରାଯିବ। ଏଥିପାଇଁ କୌଣସି ଏକ ଘରୋଇ ସଂସ୍ଥା ୫ଲକ୍ଷ ଟଙ୍କା ଦେବ। ଭୁବନେଶ୍ବର ପବ୍ଲିକ ସ୍ପେସେସ୍ ଏହି ୯ଟି ରାସ୍ତାର ବିଭିନ୍ନ ଅଞ୍ଚଳରେ ହେବ। ଏଥିରେ ଖୋଲା ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟୀକରଣ ସହ ବାଇସାଇକେଲ୍ ସେୟାରିଂ ଡକ୍ ନିର୍ମାଣ କରାଯିବ। ଏଥିପାଇଁ ୫୯ଲକ୍ଷ ୪୧ ହଜାର ୫୦୦ ଟଙ୍କା ଖର୍ଚ୍ଚ ହେବ। ଏହାକୁ ବି ଘରୋଇ ସଂସ୍ଥା ଦ୍ବାରା ପିପିପି ମୋଡରେ କରାଯିବ।
ପୂର୍ତ୍ତ ବିଭାଗ ପକ୍ଷରୁ ଏହି ସବୁ ରାସ୍ତାର ଉନ୍ନତୀକରଣ ହେବାକୁ ଥିବାବେଳେ ଏେନଇ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା) ମନୋରଂଜନ ମିଶ୍ର କହିଛନ୍ତି ଯେ, ଏବେ ଆମର ରାସ୍ତା ଉନ୍ନତୀକରଣ କାମ ଉପରେ ରୋକ୍ ଲାଗିଛି। ବିଡିଏ ବିଭିନ୍ନ ରାସ୍ତାର ଡିଜାଇନ୍ ପ୍ରସ୍ତୁତ କରୁଛି। ଯେଉଁ ୯ଟି ପ୍ରମୁଖ ରାସ୍ତାର ଉନ୍ନତୀକରଣ ହେଉଛି ସେଗୁଡ଼ିକର ବର୍ତ୍ତମାନ ସ୍ଥିତି ନେଇ ଭିନ୍ନ ଭିନ୍ନ ଡିଜାଇନ୍ ହେଉଛି। ଯେଉଁଠି କେବଳ ସରକାରୀ କ୍ବାର୍ଟର୍ସ ଅଛି ସେଗୁଡ଼ିକ ପାଇଁ ଗୋଟିଏ ପ୍ରକାରର ଡିଜାଇନ୍, ଯେଉଁଠି ପାର୍କ ଅଛି, ଭିଭିଆଇପି କ୍ବାର୍ଟର୍ସ ଅଛି ସେଗୁଡ଼ିକ ପାଇଁ ଗୋଟିଏ ଡିଜାଇନ୍ ଏବଂ ଯେଉଁଠି ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ଅଛି ସେଗୁଡ଼ିକ ପାଇଁ ଗୋଟିଏ ଡିଜାଇନ୍ ହେଉଛି। ବିଡିଏ ଯେଉଁ ଅନୁସାରେ ଡିଜାଇନ୍ ପ୍ରସ୍ତୁତ କରି ଦେବ ସେହି ଅନୁଯାୟୀ କାମ ହେବ ବୋଲି ନିଷ୍ପତ୍ତି ହୋଇଛି।
ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ବିଡିଏ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହେବ। କିନ୍ତୁ ଏବେ ତାରିଖ ଧାର୍ଯ୍ୟ ହୋଇନି। ସମସ୍ତ ଡିଜାଇନ୍ ଖୁବ୍ ଶୀଘ୍ର ପ୍ରସ୍ତୁତ ହୋଇଯିବ। ଏହାପରେ କାମ ଆରମ୍ଭ ହେବ।