ସୋନପୁର/ବିନିକା : ଜଣେ ଉପଭୋକ୍ତାଙ୍କଠାରୁ ଲାଞ୍ଚ ନେଇ ବିନିକା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ବେଉରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ ଯେ, ବିନିକା ଥାନା ଗୁଲୁଣ୍ଡା ଗାଁର ଭ୍ରମର କର୍ଣ୍ଣ ଗୁଲୁଣ୍ଡାରେ ଥିବା ନିଜର କକା ଶ୍ରୀପତୀ କର୍ଣ୍ଣଙ୍କ ପ୍ରାୟ ୫ ଏକର ଚାଷ ଜମିରେ ଚାଷ କରନ୍ତି। ଏଥି ପାଇଁ ବିଦ୍ୟୁତ ସଂଯୋଗ କରାଯାଇ ନାଳରୁ ପାଣି ଉଠାଇ ଚାଷ କରନ୍ତି। ତେବେ ଏଠାରେ ମିଟର ଲାଗିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରଭିଜନାଲ ବିଲ ମାଧ୍ୟମରେ ବିଦ୍ୟୁତ ଦେୟ ଅସୁଲ କରାଯାଉଥିଲା। ତେଣୁ ଭ୍ରମରଙ୍କୁ ଅଧିକ ବିଲ ପୈଠ କରିବାକୁ ପଡୁଥିଲା। ମିଟର ରିଡିଂ ଅନୁଯାଇ ବିଲ ଦେବାକୁ ସେ ବିନିକା କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ। ତେବେ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେଉରା ୧୨ ହଜାର ଟଙ୍କା ଦେଲେ ସବୁ ଠିକଠାକ କରାଯିବ ବୋଲି ଭ୍ରମରଙ୍କୁ କହିଥିଲେ। ଏତେ ଟଙ୍କା ଦେବାକୁ ସେ ସକ୍ଷମ ନଥିିବା କହିବାରୁ ୮ ହଜାର ଟଙ୍କାରେ କଥା ଛିଣ୍ଡିଥିଲା।
ଏହାପରେ ଗତକାଲି ଭ୍ରମର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସନଂ ୧/୨୦୧୮ ଅନୁଯାଇ ଏକ ମାମଲା ଦାଏର ହୋଇଥିଲା। ବୁଧବାର ଭ୍ରମର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ୮ ହଜାର ଟଙ୍କା ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେଉରାଙ୍କୁ ଦେଇଥିଲେ। ଏହି ଟଙ୍କା ନେଇ କନିଷ୍ଠା ଯନ୍ତ୍ରୀ ନିଜର ସାର୍ଟ ପକେଟରେ ରଖିଥିଲେ। ଏହି ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଉକ୍ତ ଟଙ୍କା ଜବତ କରାଯିବା ସହିତ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରାଯାଇ ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ଚାଲାଣ କାରଯାଇଛି । ଏହି ଚଢଉରେ ସୋନପୁର ଭିଜିଲାନ୍ସ ଡିଏସ୍ପି ଦାଶରଥି ସେଠୀ, ବଲାଙ୍ଗୀର ଭିଜିଲାନ୍ସ ଡିଏସ୍ପି ସଦାନନ୍ଦ ପାଢ଼ୀ, ଇନ୍ସପେକ୍ଟର ସୁବାସ ଚନ୍ଦ୍ର ମିଶ୍ର, ପୁନିତାପ୍ରଭା ବାଘେ ପ୍ରମୁଖ ସାମିଲ ଥିଲେ।