ଜିଓ ରିଚାର୍ଜ ଲୋଭରେ ୨ ଲକ୍ଷ ୯୨ ହଜାର ଟଙ୍କା ଚାଲିଗଲା‌

ଭୁବନେଶ୍ବର: ୧୧୯୯ ଟଙ୍କାର ରିଚାର୍ଜ କଲେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସବୁ ମାଗଣା। ଯେଉଁଠିକୁ କଲ କର କିମ୍ବା ଯେତେ ଇଣ୍ଟରନେଟ୍‌ ବ୍ୟବହାର କର, କିଛି ପଇସା ପଡ଼ିବନି। ତଳେ ଦିଆଯାଇଥିବା ଲିଙ୍କ୍‌କୁ କ୍ଲିକ୍‌ କରି ଏହି ସୁବିଧା ଉପଭୋଗ କର। ଏଭଳି ଏକ ମେସେଜ୍‌ରେ କ୍ଲିକ୍‌ କରି ଫସିଛନ୍ତି ନୂଆପଲ୍ଲୀର ରାମଚନ୍ଦ୍ର ପୁହାଣ। ବାସ୍ତବରେ ଏହା ଜିଓର ଲିଙ୍କ୍‌ ନଥିଲା, ବରଂ ସାଇବର ଠକଙ୍କର ଲିଙ୍କ୍‌ ଥିଲା। ଏହାକୁ କ୍ଲିକ୍‌ କରିବା ପରେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ସେ ୨ଲକ୍ଷ ୯୨ ହଜାର ଟଙ୍କା ହରାଇଛନ୍ତି। ଏ ନେଇ ସାଇବର ସେଲ୍‌ରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ଏଭଳି ଏକ ଜିଓ ନମ୍ବର ରିଚାର୍ଜ ପାଇଁ ତାଙ୍କ ମୋବାଇଲକୁ ମେସେଜ୍‌ ଆସିଥିଲା। ଏଥିରେ ଥିବା ଲିଙ୍କ୍‌ରେ ସେ କ୍ଲିକ୍‌ କରିବା ପରେ ଏହା ରିଚାର୍ଜ ପେଜ୍‌କୁ ଚାଲି ଯାଇଥିଲା। ଏହି ରିଚାର୍ଜ ଅପସନ୍‌ରେ କ୍ଲିକ୍‌ କରିବା ପରେ ୧୧୯୯ ଟଙ୍କା ରିଚାର୍ଜ କରିବା ପାଇଁ ମୋବାଇଲ ସ୍କ୍ରିନ୍‌ରେ ପ୍ରମ୍ପ୍‌ଟ୍‌ ଆସିଥିଲା। ଏହାକୁ କ୍ଲିକ୍‌ କରୁକରୁ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ୨ ଲକ୍ଷ ୯୨ ହଜାର ଟଙ୍କା କଟି ଯାଇଥିଲା। ଏ ନେଇ ସାଇବର ସେଲ୍‌ରେ ଅଭିଯୋଗ ହେବା ପ‌ରେ ଏଭଳି ଲୋଭରେ ପଡ଼ି କୌଣସି ଅଜଣା ଲିଙ୍କ୍‌ରେ କ୍ଲିକ୍‌ ନ କରିବାକୁ ପରାମର୍ଶ ଦେଇଛି କମିସନରେଟ୍‌ ପୁଲିସ।

ଅନ୍ୟପଟେ ଏଭଳି ଏକ ଫେକ୍‌ ଲିଙ୍କ୍‌ ଏବେ ହ୍ବାଟ୍‌ସ୍ଆପ୍‌ରେ ଘୂରି ବୁଲୁଥିବା ସଚେତନ କରାଇଛନ୍ତି ସାଇବର ଏକ୍ସପର୍ଟ ଆକାଶ ମିଶ୍ର। ହ୍ବାଟ୍‌ସ୍‌ଆପ୍‌ରେ ସେୟାର ହେଉଥିବା  ଏକ ଲିଙ୍କ୍‌ରେ ଆଇକନ୍‌ ଗ୍ରିନ୍‌ରୁ ପିଙ୍କ୍‌ ହୋଇଯିବ ବୋଲି ଉଲ୍ଲେଖ ରହିଛି। ଏ ଲିଙ୍କରେ କ୍ଲିକ୍ କଲେ ତାହା କ୍ଷତିକାରକ ହେବ। ମୋବାଇଲ ହ୍ୟାକ୍‌ ହେବା ସହ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇପାରେ। ବ୍ୟବହାରକାରୀର ବିନା ସ୍ବୀକୃତିରେ ବ୍ୟକ୍ତିଗତ ତଥ୍ୟ, କଣ୍ଟାକ୍ଟ, ଲୋକେସନ, ଆକାଉଣ୍ଟ ଡିଟେଲ୍ସ, କଲ୍‌ ଲଗ୍‌, ମେସେଜ୍‌, ସବୁକୁ ଆକ୍ସେସ କରିପାରିବ। ବ୍ୟାଙ୍କ୍‌ ଆକାଉଣ୍ଟ ଡିଟେଲ୍ସ ଫୋନ୍‌ରେ ସେଭ୍‌ ଥିଲେ ନିମିଷକେ ଆକାଉଣ୍ଟରୁ ଟଙ୍କା ଚାଲିଯିବ। ଏଣୁ ଏହାକୁ କ୍ଲିକ୍‌ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର