କରୋନାର ଦୁଇଟି ଚିତ୍ର
ସୃଜନ ପ୍ରକାଶ ଦାସ
ବେଶ କିଛି ବର୍ଷ ତଳେ ‘ରବିବାର ସମ୍ବାଦ’ ସାହିତ୍ୟ ପୃଷ୍ଠାରେ ଏକ ଚାରି ଧାଡ଼ିଆ ମିନି ଗଳ୍ପ ପ୍ରକାଶିତ ହୋଇଥିଲା। ଗଳ୍ପଟିର ନାଁ କିମ୍ବା ଗାଳ୍ପିକଙ୍କର ନାମ ମୋର ଅବଶ୍ୟ ଆଜି ମନେ ନାହିଁ। ଗଳ୍ପଟି ଥିଲାଏହି ଭଳି: “ରାସ୍ତାରେ କୁଆଟିଏ ମରିପଡ଼ିଛି| ଶହ ଶହ କୁଆ କା କା ହେଲେ | ରାସ୍ତାରେ ମଣିଷଟିଏ ମରିପଡ଼ିଛି। ମଣିଷମାନେ ତାକୁ ଦେଖି ନ ଦେଖିଲା ଭଳି ଚାଲିଗଲେ।”
Sambad is now on WhatsApp
Join and get latest news updates delivered to you via WhatsApp
ଜାଣେନା ଗାଳ୍ପିକ ମହୋଦୟ କରୋନାକାଳୀନ ମଣିଷ ସମାଜର ଚିତ୍ରକୁ ଆଖି ଆଗରେ ଦେଖିପାରିଥିଲେ କି ନାହିଁ। ହୁଏ’ତ ସେଦିନ ଅନେକ ପାଠକ ଲେଖକଙ୍କ ପ୍ରତି ପ୍ରତିକ୍ରିୟାଶୀଳ ହୋଇଥାଇ ପାରନ୍ତି। କାରଣ ତାହା ଥିଲା ଏକ ଅପ୍ରିୟ ସତ୍ୟ, ଯାହାକୁ ପ୍ରକାଶ୍ୟରେ ନ ମାନିଲେ ମଧ୍ୟ ଆମେ ନିଜ ଭିତରେ ତ ମାନୁ। ତେବେ, ଏହା ସ୍ୱୀକାର କରିବାକୁ ହେବ ଯେ ଏ ଗଳ୍ପଟି ଆଜି ଯେତିକି ପ୍ରାସଙ୍ଗିକ, ସେମିତି ପୂର୍ବରୁ କେବେ ହୋଇ ନ ଥିବ।
ଆମେ ଯେ ପୂର୍ବରୁ ଖୁବ୍ ବଦାନ୍ୟ ଥିଲୁ- ତାହା ନୁହଁ। ଆମେ ସଦାସର୍ବଦା ସତର୍କ। ହିସାବ ନିକାଶ କରି ଆମେ ବରାବର ପାଦ ଥାପୁ। ବିପଦର ସାମାନ୍ୟତମ ଆଭାସ ମିଳିଲେ ଆମ ଭିତରୁ ଅନେକ ନିଜ ନିଜକୁ ସଂକୁଚିତ କରିନେଉ। ଇଏ କିଛି ନୂଆ କଥା ନୁହଁ। କିନ୍ତୁ ଏବର ଦୃଶ୍ୟ ପୂର୍ବର ସମସ୍ତ ରେକର୍ଡକୁ ହୁଏ’ତ ଭାଙ୍ଗି ଦେଇଛି। ସମ୍ବାଦପତ୍ରର ଗୋଟିଏ ଗୋଟିଏ ଶିରୋନାମାରୁ ତାହା ସ୍ପଷ୍ଟ: ଯେମିତି କି କରୋନାଗ୍ରସ୍ତ ବାପାର ଶବକୁ ପୁଅ ଛାଡ଼ି ପଳେଇଲା, କରୋନା ରୋଗୀର ଶବକୁ ନେବା ପାଇଁ ପରିବାର ଲୋକ ମନା କଲେ, ଅକ୍ସିଜେନ ସିଲିଣ୍ଡରରେ କଳାବଜାରୀ, ବଜାରରେ ଭରି ହୋଇଛି ନକଲି ଫାବିପିରାଭିର। ଗତ ବର୍ଷାଧିକ କାଳ ଆମେ ମୁହଁ ଉପରେ ତୁଣ୍ଡି ବାନ୍ଧିଛୁ ସତ, ହେଲେ କରୋନା ଆମର ଅସଲ ମୁଖାକୁ ଖୋଲି ଦେଇ ନାହିଁ କି?
ଆମେ ପ୍ରତ୍ୟେକ ନିଜ ନିଜ ଜୀବନକୁ ବଂଚାଇବାରେ ବ୍ୟସ୍ତ। ଏହା ସ୍ୱାଭାବିକ। ତେଣୁ ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ଜଣେ କୋଭିଡ୍ ଆକ୍ରାନ୍ତ ହୋଇଯାନ୍ତି, ତେବେ ଏ ଯୁଦ୍ଧ ଯାତ୍ରା କେବଳ ଆପଣଙ୍କର; ଯେଉଁଠି ଆପଣ ସମ୍ପୂର୍ଣ ଏକୁଟିଆ। ଆପଣ ପୂରାପୂରି ଅସହାୟ। ଯେଉଁ ସମୟରେ ଆପଣ ଅନ୍ୟର ଟିକିଏ ସାହାଯ୍ୟ ବା ସହାନୁଭୂତି କାତର ଭାବରେ ଚାହୁଁଥିବେ, ଠିକ ସେହି ସମୟରେ ଆପଣଙ୍କ ଆଡ଼କୁ ସବୁ ରାସ୍ତା ବନ୍ଦ। ଆପଣ ନିଜେ ରୋଗୀ, ନିଜେ ନିଜର ସହାୟକ। ଚାରିଆଡ଼ ଶୂନ୍ୟ, ମହାଶୂନ୍ୟ। ତେବେ, ଆଶ୍ଚର୍ଯ୍ୟ ହେବାର କିମ୍ବା ଦୁଃଖ କରିବାର ଯୌକ୍ତିକତା କାହିଁ? ସେ ସମୟ ଓ ଏ ସମୟ କ’ଣ ଏକା? ତେଣୁ ଆଜି ଆପଣ ଭୀଷଣ ଏକଲା।
ହେଲେ, ଭୁଲ କହିଗଲି କି? କିଏ କହିଲା ଆପଣ ଏ ଯୁଦ୍ଧରେଏକୁଟିଆ ବୋଲି? ଥରୁଟିଏ ଯେ କୌଣସି କୋଭିଡ ହାସ୍ପାତାଳକୁ ଯାଆନ୍ତୁ। ନା, କଟକ, ଭୁବନେଶ୍ୱର ଭଳି ବଡ଼ ବଡ଼ ସହରର ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ପ୍ରସ୍ତୁତ ସରକାରୀ ଓ ବେସରକାରୀ ହାସ୍ପାତାଳ ନୁହେଁ। ଛୋଟ ଛୋଟ ସହରର ଚିକିତ୍ସାଳୟ, ଯେଉଁଠି ଅକ୍ସିଜେନ ସିଲିଣ୍ଡର ହିଁ ଆଇ.ସି.ୟୁର ସାନ୍ତ୍ବନା ଦେଇଥାଏ; ସେହି ଭଳି ହାସ୍ପାତାଳରେ ଧାଡ଼ି ଧାଡ଼ି ବେଡ୍ରେ ଶୋଇ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ପ୍ରତ୍ୟେକ ରୋଗୀ ଆପଣଙ୍କର ସାଥୀ। ସମବେଦନା, ସହଯୋଗ, ଆଶ୍ୱାସନା, ବିଶ୍ୱାସ- ସବୁ ଆପଣ ସେମାନଙ୍କ ପାଖରୁ ହିଁ ପାଇଯିବେ। ଆପଣ ଧଇଁସଇଁ ହେଉ ହେଉ ଆପଣ ନାଁ ଜାଣି ନ ଥିବା ସେହି ୱାର୍ଡ ବୟ ଝାଳରେ ଜଡ଼ସଡ଼ ହୋଇ ତିନି ତାଲାରୁ ଏକ ତାଲା, ପୁଣି ଏକ ତାଲାରୁ ତିନି ତାଲା ଅକ୍ସିଜେନ ସିଲିଣ୍ଡର ଟାଣି ଟାଣି ଯେତେବେଳେ ଆପଣଙ୍କ ପାଖରେ ପହଞ୍ଚାଇବ, ସେତେବେଳେ ସେ ହିଁ ତ ଆପଣଙ୍କର ସବୁଠାରୁ ଆପଣାର। ଆପଣଙ୍କ ହାତକୁ କୋମଳ ଭାବେ ଧରି ଇଞ୍ଜେକ୍ସନ ଫୋଡୁଥିବା କିଶୋରୀ ନର୍ସଟି ତ ଆପଣଙ୍କ ପାଇଁ ଈଶ୍ବର ପ୍ରେରିତ। ସ୍ୱତଃ ଆପଣଙ୍କ ହାତ ଉଠିଯିବ ସେମାନଙ୍କୁ ସଲାମ କରିବା ଲାଗି।
ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ- ଆଉ କେତେ ଦିନ ସହିବାକୁ ହେବ ଏ ଯନ୍ତ୍ରଣା? ଆଉ କେତେ ମୃତ୍ୟୁ? ଆଉ କେତେ ଦୀର୍ଘ ହେବ ଏ ଅସହାୟତା? ହେଲେ, ଉତ୍ତର ଦେବ କିଏ? ବାରମ୍ବାର ରୂପ ବଦଳାଉଥିବା ଏ ଭୂତାଣୁ ସହିତ ଏକ ଦୀର୍ଘ ଯୁଦ୍ଧ ପାଇଁ ଆମକୁ ହୁଏ’ତ ପ୍ରସ୍ତୁତ ହେବାକୁ ପଡ଼ିବ। ପ୍ରସ୍ତୁତ ରହିବାକୁ ପଡ଼ିବ ମାନସିକ ସ୍ତରରେ। କେବଳ ଏହି ଅଦୃଶ୍ୟ ଦୁର୍ଦମନୀୟ ଭୂତାଣୁ ସହିତ ଲଢ଼େଇ ପାଇଁ ନୁହଁ, ନିଜ ସହିତ, ନିଜ ଏକାକୀତ୍ୱ ସହିତ, ଅସହାୟତା ସହିତ ଲଢ଼େଇ ଲାଗି ପ୍ରସ୍ତୁତ ରହିବାକୁ ହେବ। ଆପଣ ଏକୁଟିଆ ଲଢ଼ିବେ, ଝୁଣ୍ଟି ପଡ଼ି ପୁଣି ଥରେ ଉଠିବେ। ଏକାକୀତ୍ୱ ଭିତରେ ଆତ୍ମବିଶ୍ୱାସ ଆପେ ଆପେ ଆସିଯିବ। ଆପଣ ଶେଷରେ ବିଜୟୀ ହେବେ।
ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦୁର୍ଘଟଣାଗ୍ରସ୍ତ ଲୋକକୁ ଡାକ୍ତରଖାନା ନେବା ପରିବର୍ତ୍ତେ ତା’ର ଭିଡିଓ ଆମେ ଉଠାଇ ପାରୁ। ରାସ୍ତାରେ ପଡ଼ିଥିବା ଲାସକୁ ଦେଖି ନ ଦେଖିବା ଭଳି ବାଟ କାଟି ଆମେ ହୁଏ’ତ ଚାଲିଯାଇ ପାରୁ। କରୋନା ପ୍ରପୀଡ଼ିତ ଆତ୍ମୀୟଙ୍କୁ ପରିତ୍ୟକ୍ତ କରିଦେଇପାରୁ। କିନ୍ତୁ ସେହି ପରିତ୍ୟକ୍ତମାନେ ବି ସେବା ଓ ସହାନୁଭୂତି ପାଆନ୍ତି, ଆରୋଗ୍ୟ ହୁଅନ୍ତି, କରୋନାର ଘନଘଟା ଭିତରେ ମଣିଷ ଭିତରେ ଦେବତାଙ୍କ ସାନ୍ନିଧ୍ୟ ପାଆନ୍ତି। ଆମ ଭିତରୁ ପୁଣି ତ ଅନେକ ନିଜ ଜୀବନକୁ ବାଜି ଲଗେଇ କରୋନା ଯୋଦ୍ଧା ଭାବେ ସମ୍ମୁଖ ରଣରେ ଅବତୀର୍ଣ୍ଣ! କରୋନା ଆମକୁ ଏହି ଦୁଇ ପ୍ରକାର ଚିତ୍ର ଦେଖାଇଛି।
ମୋ-୯୪୩୮୧୪୯୭୬୧
[email protected]