ଯାଜପୁରଟାଉନ : ଚାଷୀଙ୍କ ଠାରୁ ଧାନ କିଣାଗଲା। ହେଲେ ଅଖା ଫେରାଇଲେ ନାହିଁ କି ସେହି ବାବଦରେ ଚାଷୀଙ୍କୁ ଟଙ୍କା ଦେଲେନାହିଁ। ଏଭଳି କରି ଗତ ୭ ବର୍ଷ ମଧ୍ୟରେ ପ୍ରାୟ ୧୩ କୋଟି ଟଙ୍କା ହଡ଼ପ ହୋଇଛି। ବିଭିନ୍ନ ସମୟରେ ଅଖା ଟଙ୍କା ପାଇଁ ଚାଷୀ ଆନ୍ଦୋଳନ କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇ ଯୋଗାଣ ବିଭାଗ ଦାୟିତ୍ବ ସାରିଦେଉଛି। ଯୋଗାଣ ବିଭାଗର ଏହି ଅଖା ଘୋଟାଲା ଉପରକୁ ସାଧାରଣ ମନେ ହେଉଛି। ଏଠାରେ ପ୍ରଶ୍ନ ହେଉଛି ଚାଷୀଙ୍କ ଅଖା ବାବଦ ଅର୍ଥ କାହା ପକେଟକୁ ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ୨୦୧୯-୨୦ରେ ୩୨୪୫୯ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୨୯୩୧୧ଜଣ ଚାଷୀ ୧୧୧୭୮୪୧.୨୫ କ୍ବିଣ୍ଟାଲ ଧାନ ବିକ୍ରି କରିଥିଲେ। ସେହିଭଳି, ୨୦୨୦-୨୧ରେ ୪୩୮୪୧ ଜଣ ଚାଷୀ ପଞ୍ଜୀକରଣ କରିଥିଲେ ଏବଂ ୩୪୧୪୯ ଜଣ ଚାଷୀ ୧୪୨୩୩୬୯.୩୩ କ୍ବିଣ୍ଟାଲ ଧାନ ବିକ୍ରି କରିଥିଲେ। ଏହି ୨ ବର୍ଷରେ ମୋଟ ୨୫୪୧୨୧୦.୫୮ କ୍ବିଣ୍ଟାଲ ଧାନ ଦେଇଥିଲେ। କ୍ବିଣ୍ଟାଲରେ ଦୁଇଟି ଜରି ଅଖା ହିସାବରେ ଏହି ଦୁଇ ବର୍ଷରେ ୫୦୮୨୪୨୧ଟି ଅଖାରେ ଧାନ ଦେଇଛନ୍ତି। ଗୋଟିଏ ଜରି ଅଖାର ମୂଲ୍ୟ ସର୍ବନିମ୍ନ ୫ଟଙ୍କା ହିସାବରେ ୫୦୮୨୪୨୧ଟି ଜରି ଅଖାର ମୂଲ୍ୟ ୨ କୋଟି ୫୪ଲକ୍ଷ ୧୨ହଜାର ୧୦୫ଟଙ୍କା। ହେଲେ ଚାଷୀଙ୍କୁ ଏହି ଟଙ୍କା ଦିଆଯାଇନି। ସେହିପରି ୨୦୧୪-୧୫ ରୁ ୨୦୧୮-୧୯ବର୍ଷ ୫ ବର୍ଷ ମଧ୍ୟରେ ସରକାର ଯାଜପୁର ଜିଲ୍ଲାରୁ ୩୪୯୯୧୩୦.୩୪ କ୍ବିଣ୍ଟାଲ ଧାନ କିଣିଥିଲେ। ଏହି ୫ ବର୍ଷରେ କ୍ବିଣ୍ଟାଲରେ ୨ଟି ଅଖା ହିସାବରେ ୬୯୯୬୨୬୦.୬୮ଟି ଅଖାରେ ଧାନ ଦେଇଛନ୍ତି। ସେହି ସମୟରେ ଜରି ଅଖାର ଦାମ ୧୦ ଟଙ୍କା ଓ ଝୋଟ ଅଖାର ଦାମ ୨୦ଟଙ୍କା ଥିଲା। ତେଣୁ ହାରାହାରି ଗୋଟିଏ ଅଖାର ଦାମ ୧୫ ଟଙ୍କା। ତେଣୁ ୬୯୯୬୨୬୦ଟି ଅଖାର ଦାମ ୧୦ କୋଟି ୪୯ ଲକ୍ଷ ୪୩ହଜାର ୯୦୦ ଟଙ୍କା। ଚାଷୀମାନେ ଅଖାଟଙ୍କା ପାଇଁ ଧାରଣା ଦେଇଥିଲେ। ହେଲେ ପ୍ରତିଶ୍ରୁତି ଦେଇ ଯୋଗାଣ ବିଭାଗ ଦାୟିତ୍ବ ସାରି ଦେଇଥିଲା। ଏହି ୭ ବର୍ଷ ମଧ୍ୟରେ ଅଖା ବାବଦକୁ ପ୍ରାୟ ୧୩କୋଟି ଟଙ୍କା ମିଲର ଓ ଯୋଗାଣ ବିଭାଗ ସଲାସୁତରାରେ ହଡ଼ପ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଜିଲ୍ଲାରେ ୨୦୧୮-୧୯ରେ ୧୧୬୦୦୮୧.୨୩ କ୍ବିଣ୍ଟାଲ ଧାନ କିଣାଯାଇ ଥିଲା। ଚାଷୀମାନେ ୨୩୨୦୧୬୨ଟି ଅଖାରେ ଧାନ ଦେଇଥିଲେ। ହାରାହାରି ଗୋଟିଏ ଅଖାର ଦାମ ସର୍ବନିମ୍ନ ୧୫ ଟଙ୍କା ହିସାବରେ ୩୪୮୦୨୪୩୦ଟଙ୍କା ସେମାନଙ୍କୁ ମିଳି ନଥିବା ଚାଷୀ ଅଭିଯୋଗ କରିଛନ୍ତି। ୨୦୧୭-୧୮ରେ ଜିଲ୍ଲାର ୧୨୨ ପ୍ୟାକ୍ସ ମାଧ୍ୟମରେ ୪୩୫୦୧୫.୫୨ କ୍ବିଣ୍ଟାଲ ଧାନ ଦେଇଥିଲେ। କ୍ବିଣ୍ଟାଲରେ ୨ଟି ଅଖା ହିସାବରେ ୮୭୦୦୩୧ଟି ଅଖା ଦେଇଥିଲେ, ଯାହାର ଦାମ ୧୫ଟଙ୍କା ହିସାବରେ ୧୩୦୫୦୪୬୫ଟଙ୍କା। ସେହିପରି ୨୦୧୬-୧୭ରେ ୭୦୮୫୫୮.୩୧ କ୍ବିଣ୍ଟାଲ ଧାନ ୧୧ଟି ମିଲର କିଣିଥିବାବେଳେ ଚାଷୀମାନେ ୧୪୧୭୧୧୬ଟି ଅଖା ଦେଇଥିଲେ। ଯାହାର ଦାମ ୧୫ଟଙ୍କା ହିସାବରେ ୨୧୨୫୬୭୪୯ଟଙ୍କା। ୨୦୧୫-୧୬ରେ ୬୦୮୨୪୩.୬୩ କ୍ବିଣ୍ଟାଲ ଧାନ କିଣାଯାଇ ଥିବାବେଳେ ଏହି ଧାନ ଦେବା ବାବଦକୁ ଚାଷୀମାନେ ୧୨୧୬୪୮୭ଟି ଅଖା ଦେଇଥିଲେ। ତେବେ ଏହି ଅଖାର ଦାମ ୧୮୨୪୭୩୦୮ଟଙ୍କା ଚାଷୀଙ୍କୁ ମିଳିନି। ସେହିପରି ୨୦୧୪-୧୫ରେ ୧୨୨ ପ୍ୟାକ୍ସ ମାଧ୍ୟମରେ ୧୫ ମିଲର ୫୮୬୨୩୧.୬୫ କ୍ବିଣ୍ଟାଲ ଧାନ କିଣିଥିଲେ। ଚାଷୀମାନେ ୧୧୭୨୪୬୩ଟି ଅଖା ଦେଇଥିଲେ। ହେଲେ ଏହି ଅଖା ବାବଦକୁ ୧କୋଟି ୭୫ଲକ୍ଷ ୮୬ ହଜାର ୯୪୯ ଟଙ୍କା ଚାଷୀଙ୍କୁ ଦିଆଯାଇନି। ଏଭଳି ଭାବେ ଗତ ୭ ବର୍ଷରେ ଅଖା ବାବଦକୁ ଚାଷୀଙ୍କୁ ମୋଟ ୧୩ କୋଟି ଟଙ୍କା ଦିଆଯାଇନି। ହେଲେ ଏହି ଅଖା ଟଙ୍କା କାହା ପକେଟକୁ ଯାଉଛି ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି। ଏହି ଅଖା କେଳେଙ୍କାରୀ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାନ୍ଙ୍କୁ ଯୋଗାଯୋଗ କରାଯିବାରୁ ମିଲରମାନେ ପାକ୍ସ ଜରିଆରେ ଚାଷୀଙ୍କୁ ଅଖା ବାବଦ ଅର୍ଥ ଦେବା କଥା। ମୁଁ ଏଠାରେ ମାତ୍ର ୪ ମାସ ହେଲା ଦାୟିତ୍ବ ନେଇଛି। କାହିଁକି ବର୍ଷ ବର୍ଷ ଧରି ଏହି ଟଙ୍କା ଦିଆଯାଇନି ସେ ସଂପର୍କରେ ଜାଣିନାହିଁ ବୋଲି ସେ କହିଛନ୍ତି।