ନାଲିଫିତା ତଳେ ବରଗଡ଼ କେନାଲ ନବୀକରଣ ପ୍ରକଳ୍ପ

୨୦୦ କୋଟି ଟଙ୍କା ମଞ୍ଜୁର ସତ୍ତ୍ବେ ଅଗ୍ରଗତି ହୋଇନି କାମ

ସମ୍ବଲପୁର : ହୀରାକୁଦ ବନ୍ଧରୁ ବାହାରିଥିବା ବରଗଡ଼ ମୁଖ୍ୟ କେନାଲର ସୁରକ୍ଷା ଓ ଜଳ ଅପଚୟ ରୋକିବା ପାଇଁ ପ୍ରସ୍ତାବିତ ମହାତ୍ବାକାଂକ୍ଷୀ ପ୍ରକଳ୍ପ ନାଲିଫିତା ତଳେ ଚାପି ହୋଇଯାଇଛି। ୨୦୦ କୋଟି ଟଙ୍କାର ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ପ୍ରଶାସନିକ ମଂଜୁରି ମିଳିଥିଲେହେଁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରଗତି ଘଟି ନାହିଁ।

ହୀରାକୁଦ କମାଣ୍ଡ ଏରିଆର ଅଧିକାଂଶ ଚାଷ ଜମି ବରଗଡ଼ ମୁଖ୍ୟ କେନାଲ ଜରିଆରେ ଜଳସେଚିତ ହୋଇଥାଏ। ହୀରାକୁଦରୁ ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଇବାକୁ ବିରୋଧକରି ୨୦୦୫ ମସିହାରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଚାଷୀମାନଙ୍କ ଲମ୍ବା ଲଢ଼େଇ ଯୋଗୁ ରାଜ୍ୟ ସରକାର‌ଙ୍କ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲା। ପରିଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୨୦୦୮ରେ କୃଷକ ସଂଗଠନ ସହିତ ଆଲୋଚନା କରିଥି‌ଲେ। ଆଉ ଏହାପରେ ସରକାର ୨୦୦ କୋଟି ଟଙ୍କା ବରଗଡ଼ କେନାଲର ନବୀକରଣ କାର୍ଯ୍ୟ ପାଇଁ ଯୋଗ ଦେଇଥିଲେ। ସେହି ସମୟରେ ବରଗଡ଼ ମୁଖ୍ୟ କେନାଲ ସହିତ ଏହାର କେତେକ ଶାଖା କେନାଲର କିଛି କିଛି ମରାମତି କାମ ହୋଇଥିଲା। ପରବର୍ତ୍ତୀ ସମୟରେ ବିଜେପୁର ଅଂଚଳର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଗଂଗାଧର ମେ‌ହେର ଉଠାଜଳସେନ ସେଚନ ପ୍ରକଳ୍ପ ଘୋଷଣା କରାଯାଇଥିଲା। ରାଜ୍ୟ ସରକାରଙ୍କ ଏହି ବଡ଼ ପ୍ୟାକେଜରେ ବରଗଡ଼ କେନାଲର ନବୀକରଣ ପାଇଁ ଅର୍ଥ ବ୍ୟବସ୍ଥା ହୋଇଥିବା ସେତେବେଳେ କୁହାଯାଇଥିଲା। ବରଗଡ଼ କେନାଲ ହିଡ଼ର ଉଚ୍ଚତା ବୃଦ୍ଧି ସହିତ ଭିତର ପାର୍ଶ୍ବରେ କଂ‌କ୍ରିଟ ଲାଇନ୍ କରାଯିବା ପ୍ରସ୍ତାବ ରହିଥିଲା। ମାତ୍ର କଣ ହେଲା କେଜାଣି ଏପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।

ସମ୍ବନ୍ଧିତ ଖବର