୩ ପୌରାଞ୍ଚଳ ଦଖଲକୁ ନେବ କିଏ? ରାୟଗଡ଼ା-ଗୁଣପୁରରେ ହେବ ହେଭିୱେଟ୍ ଲଢ଼େଇ
ଭାସ୍କର-ଜଗନ୍ନାଥ-ସୁଧୀର ବନାମ ସପ୍ତଗିରି-ଦୁର୍ଗା-ଶିବ
ରାୟଗଡ଼ା, (ନବୀନ ସାହୁ): ରାୟଗଡ଼ାର ୩ ପୌରାଧ୍ୟକ୍ଷ ଆସନ ପାଇଁ ଆଗାମୀ ନିର୍ବାଚନରେ ହେବ ହେଭିୱେଟ୍ ଲଢ଼େଇ। ବିଜେଡ଼ି ରଣନୀତିକୁ ଭେଦକରି କ୍ଷମତା ହାସଲ କରିବା କଂଗ୍ରେସ, ବିଜେପି ପକ୍ଷରେ କଷ୍ଟସାଧ୍ୟ ଥିଲେ ମଧ୍ୟ ଦୁଇ ବିରୋଧୀ ଦଳ ପୂର୍ଣ୍ଣ ପ୍ରସ୍ତୁତି ସହ ନିର୍ବାଚନୀ ମଇଦାନକୁ ଓହ୍ଲାଇ ସାରିଲେଣି। ଭିତିରିଆ ରଣନୀତି ପ୍ରସ୍ତୁତ କରି ବିରୋଧୀ ପୌରାଧ୍ୟକ୍ଷ ପଦବି ହାତେଇବାକୁ ଯୋଜନା ଚଲାଇଥିବାରୁ ବିଜେଡିର ତୁଙ୍ଗ ନେତା ସୁଧୀର-ଜଗନ୍ନାଥ-ଭାସ୍କରଙ୍କ ସହ କଂଗ୍ରେସର ସପ୍ତଗିରି-ଦୁର୍ଗା ଓ ବିଜେପିର ଶିବଙ୍କ ମଧ୍ୟରେ କଡ୍ଡା ଟକ୍କର୍ ହେବା ନେଇ ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାର ପ୍ରମୁଖ ପୌରାଞ୍ଚଳ ମଧ୍ୟରେ ରାୟଗଡ଼ା ପୌରାଞ୍ଚଳର ଜନସଂଖ୍ୟା ୫୦ ହଜାର ହେବ। ବିଗତ ବହୁ ନିର୍ବାଚନରେ ରାୟଗଡ଼ା ପୌରାଧ୍ୟକ୍ଷ ପଦବି କଂଗ୍ରେସ, ବିଜେପି ଭାଗ୍ୟରେ ଜୁଟି ନଥିବାରୁ ଚଳିତ ଥର ଦଳୀୟ କ୍ଷମତାର ପ୍ରଭାବରେ ଦୁଇ ବିରୋଧୀ ଦଳ ରାୟଗଡ଼ାକୁ ହାତେଇବାକୁ ଟାର୍ଗେଟ୍ କରିଛନ୍ତି। ବିଜେଡିର ହେଭିୱେଟ୍ ନେତା ତଥା ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଗୋଟି ଚାଳନା ଯୋଗୁ ପ୍ରତ୍ୟେକ ପୌର ନିର୍ବାଚନରେ କଂଗ୍ରେସ ନିରାଶ ହେଉଥିବା ବେଳେ କ୍ଷମତାରୁ ଦୂରରେ ଥିବା ବିଜେପି ଖାତା ଖୋଲିବାରେ ସକ୍ଷମ ହୋଇପାରୁନଥିଲା। ଚଳିତ ନିର୍ବାଚନରେ କିନ୍ତୁ ଉଭୟ କଂଗ୍ରେସ-ବିଜେପି ଶାସକ ଦଳ ବିଜେଡିକୁ ଯେ କୌଣସି ଉପାୟରେ ଧୂଳି ଚଟାଇବାକୁ ଯୋଜନା କରୁଛନ୍ତି। ପୌରାଧ୍ୟକ୍ଷ ପଦବି ପାଇଁ ସିଧାସଳଖ ନିର୍ବାଚନ ହେବାକୁ ଥିବାରୁ ଦୁଇ ବିରୋଧୀ ଦଳର ମୁଖ୍ୟ ଏଜେଣ୍ଡା କାଉନସିଲରଙ୍କୁ ଜିତାଇବା ବଦଳରେ ପୌରାଧ୍ୟକ୍ଷ ପଦବି ଉପରେ ରହିଛି। ସେପଟେ ସବୁ ନିର୍ବାଚନରେ ବିଜୟ ବିଗୁଲ୍ ବଜାଇ ଆସୁଥିବା ବିଜେଡି ଚଳିତ ଥର ୨୪ରୁ ୨୦ ଆସନ ସହ ଅଧ୍ୟକ୍ଷ ପଦବି ହାତେଇବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରି ସାରିଛି।
୨୦୧୩ ନିର୍ବାଚନରେ ଦଳ ୨୪ରୁ ୨୧ ଆସନ ଜିତିଥିଲା। କଂଗ୍ରେସରୁ ୩ କାଉନସିଲର ବିଜୟୀ ହୋଇଥିଲେ। ବିଜେପି ଖାତା ଖୋଲି ପାରିନଥିଲା। ବିଜେଡି ଟିକେଟ୍ ପାଇଁ ଯଦିଓ ସଂଖ୍ୟାଧିକ ଆଶାୟୀ ଅଛନ୍ତି ତଥାପି ପୂର୍ବତନ ଉପାଧ୍ୟକ୍ଷ ବ୍ରଜ ସୁନ୍ଦର ନାୟକ, ନିରଞ୍ଜନ ବକ୍ସିପାତ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଦୁଷ୍ମନ୍ତ କୁମାର ମହାନ୍ତି, ବିଜେଡି ମହିଳା ରାଜ୍ୟ ଉପସଭାନେତ୍ରୀ ସୁଜାତା ପାଳ, ଜିଲ୍ଲା ସାଧାରଣ ସଂପାଦକ ଅମୀୟ ସ୍ବାଇଁ ନାଁ ଦୌଡ଼ରେ ରହିଛି। ସେହିପରି କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ବରେ ଗୋଟି ଚାଳନା ଜାରି ରଖିଛି। ବିଜେଡିର ମୁକାବିଲା ପାଇଁ ସାଂସଦଙ୍କ ଭାଇ ତଥା ରାଜ୍ୟ ପିସିସି ସଂପାଦକ ସୀମାଞ୍ଚଳ ଉଲାକା, ଜିଲ୍ଲା ସଭାପତି ଦୁର୍ଗା ପଣ୍ଡା, ପୂର୍ବତନ କାଉନସିଲର ଝୁନା ପଣ୍ଡାଙ୍କୁ ପ୍ରାର୍ଥୀ କରିପାରେ। ଶୂନରୁ ସଂଗଠନ ଆରମ୍ଭ କରିଥିବା ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ରଣନୀତିକୁ ପାଥେୟ କରି ଗୁଣ୍ଡୁଚି ମୂଷା ଭଳି ସମର୍ଥନ ଜୁଟାଇ ଚାଲିଛି। ଦଳ ପକ୍ଷରୁ ରାୟଗଡ଼ା ପୌରାଧ୍ୟକ୍ଷ ପଦବି ପାଇଁ ଜିଲ୍ଲା ଯୁବ ସଭାପତି ଶ୍ୟାମ ଦାଶ, ଯୁବ ନେତା ଶିବାଜୀ ଦାଶ, ଆଇନଜୀବୀ ଟୁଟୁ ଦାଶଙ୍କ ନାଁ ଚର୍ଚ୍ଚାରେ ରହିଛି।
ଅଧ୍ୟକ୍ଷ ପଦବି ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପରେ ଅନେକ ଆଶାୟୀ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରି ନେତାଙ୍କ ମନ ଜିଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଗୁଣପୁର ପୌରାଧ୍ୟକ୍ଷ ଆସନ ପାଇଁ ବହୁ ନେତା ଆଶାୟୀ ଥିବା ବେଳେ ପଦବି ମହିଳାଙ୍କ ପାଇଁ ସଂରକ୍ଷଣ ପରେ ଅନେକ ନିରାଶ ହୋଇଛନ୍ତି। ସେହିପରି ଗୁଡାରି ଅଧ୍ୟକ୍ଷା ପଦବି ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷଣ ରହିବା ଯୋଗୁ ଗୁଡାରିରେ ମଧ୍ୟ ଆଶାୟୀ ପ୍ରାର୍ଥୀ ନିରାଶ ହୋଇଛି। ଗୁଣପୁର-ଗୁଡାରି ପୌର ଆସନର ମଙ୍ଗ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସଭାପତି ସୁଧୀର ଦାଶ ସମ୍ଭାଳୁ ଥିବାରୁ ପ୍ରାର୍ଥୀଙ୍କ ବଦଳରେ ଏହି ଦୁଇ ପୌରାଞ୍ଚଳରେ ଜଗନ୍ନାଥ-ସୁଧୀରଙ୍କ ସହ ବିରୋଧୀଙ୍କ ଲଢ଼େଇ ହେବ।