ଦର୍ପଣ: ପାଠକୀୟ ପସନ୍ଦ ଇ-ପୁସ୍ତକ ନୁହେଁ, ପୁସ୍ତକ
ଇଲେକ୍ଟ୍ରୋନିକ୍ ପୁସ୍ତକର ଉଦ୍ଭାବନ ପରେ ଏହା ମୁଦ୍ରିତ ପୁସ୍ତକ ବ୍ୟବସାୟର କଫିନ୍ରେ ଶେଷ କଣ୍ଟା ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଆଜି ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟ୍ଫୋନ୍ ରୂପରେ ଇ-ପୁସ୍ତକ ପଢ଼ିବାର ସାଧନ ଉପଲବ୍ଧ ହୋଇସାରିଥିଲେ ହେଁ ସମଗ୍ର ପୃଥିବୀରେ ଅଧିକାଂଶ ପାଠକ ମୁଦ୍ରିତ ପୁସ୍ତକ ପଢ଼ିବାକୁ ପସନ୍ଦ କରୁଛନ୍ତି। ପରିସଂଖ୍ୟାନ ଗବେଷଣା ସଂସ୍ଥାର ‘ବିଜ୍ଞାପନ ଓ ଗଣମାଧ୍ୟମ ଆଉଟ୍ଲୁକ୍’ର ଅଧ୍ୟୟନ ଏହି କଥା ସ୍ପଷ୍ଟ କରିଛି। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଆମେରିକା ଭଳି ଦେଶ ଯେଉଁଠାରେ ଇ-ପୁସ୍ତକ ସର୍ବାଧିକ ଲୋକପ୍ରିୟତା ହାସଲ କରିଛି ସେଠାରେ ମଧ୍ୟ ୨୦୨୧ରେ ୪୫ ପ୍ରତିଶତ ଲୋକ ମୁଦ୍ରିତ ପୁସ୍ତକ କିଣିଥିବା ବେଳେ ମାତ୍ର ୨୩ ପ୍ରତିଶତ ଲୋକ ଇ-ପୁସ୍ତକ କିଣିଥିଲେ। ଜର୍ମାନୀର ସର୍ବାଧିକ ୫୮ ପ୍ରତିଶତ ଲୋକ ମୁଦ୍ରିତ ପୁସ୍ତକ କିଣିଥିବା ବେଳେ ମାତ୍ର ୧୦.୮ ପ୍ରତିଶତ ଇ-ପୁସ୍ତକ କିଣିଥିଲେ। ଭାରତେର ଗତ ବର୍ଷ ୨୫ ପ୍ରତିଶତ ଲୋକ ମୁଦ୍ରିତ ପୁସ୍ତକ କିଣିଥିବା ବେଳେ ଏହା ତୁଳନାରେ ନଗଣ୍ୟ ୬.୩ ପ୍ରତିଶତ ଲୋକ ଇ-ପୁସ୍ତକ କିଣିଥିଲେ। ସେହିପରି ୟୁନାଇଟେଡ୍ କିଙ୍ଗ୍ଡମ୍, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ସ୍ପେନ୍ ଓ ଫ୍ରାନ୍ସର ୪୦ ପ୍ରତିଶତରୁ ଅଧିକ ଲୋକ ମୁଦ୍ରିତ ବହି କିଣିଥିବା ବେଳେ ଏ ସମସ୍ତ ଦେଶରେ ୨୦ ପ୍ରତିଶତରୁ କମ୍ ଲୋକ ଇ-ପୁସ୍ତକ ପାଇଁ ଖର୍ଚ୍ଚ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସର୍ବବୃହତ୍ ପୁସ୍ତକ ପ୍ରକାଶନ ସଂସ୍ଥାଗୁଡ଼ିକର ବ୍ୟବସାୟ ଉପରେ ନଜର ପକାଇଲେ ଜଣାପଡ଼େ ଯେ ମୁଦ୍ରିତ ପୁସ୍ତକର ବଜାର କୌଣସି ରୂପେ ଇ-ପୁସ୍ତକର ଆବିର୍ଭାବ ଦ୍ବାରା କ୍ଷତିଗ୍ରସ୍ତ ହୋଇନାହିଁ। ୨୦୧୯ ଆର୍ଥିକ ବର୍ଷରେ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ୪ ବିଲିୟନ୍ ଡଲାର୍ ଏବଂ ଫ୍ରେଞ୍ଚ୍ ପ୍ରକାଶନ ସଂସ୍ଥା ହାଚେଟ୍ ଲିଭ୍ରେ ୨.୭ ବିଲିୟନ୍ ଡଲାର୍ ଲାଭ ହାସଲ କରିଥିଲେ। ଏଥିରୁ ବାହାରୁଥିବା ନିଷ୍କର୍ଷ ଏହି କଥା ପ୍ରତି ଇଙ୍ଗିତ କରିଥାଏ ଯେ ଇ-ପୁସ୍ତକ ମୁଦ୍ରିତ ପୁସ୍ତକର ପ୍ରତିଦ୍ବନ୍ଦ୍ବୀ ନୁହେଁ; ବରଂ ଏହା ହେଉଛି ଏମିତି ଏକ ପରିପୂରକ, ଯାହା ମୁଦ୍ରିତ ପୁସ୍ତକ ଶିଳ୍ପ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।