୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶର ୫୦ ପ୍ରତିଶତ ଏଟିଏମ୍‌ ବନ୍ଦ ହୋଇଯିବ ! ପୁଣି ଦେଖା ଦେଇପାରେ ନଗଦ ସଂକଟ

ନୂଆଦିଲ୍ଳୀ: ବିମୁଦ୍ରାୟନ ପରେ ପୁଣି ଥରେ ଦେଶର ନାଗରିକମାନେ ଟଙ୍କା ଅଭାବର ସାମ୍ନା କରିବେ। କାରଣ, ସୂଚନା ରହିଛି ଯେ ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ଦେଶର ୫୦ ପ୍ରତିଶତ ଏଟିଏମ୍‌ ବନ୍ଦ ହୋଇଯିବ। କନ୍‌ଫେଡେରେସନ୍‌ ଅଫ୍‌ ଏଟିଏମ୍‌ ଇଣ୍ଡଷ୍ଟ୍ରି ମୁତାବକ, ୧ ଲକ୍ଷ ଅଫ୍‌-ସାଇଟ୍‌(ବ୍ୟାଙ୍କ୍‌ ଶାଖା ପରିସର ବାହାରେ ଥିବା ଏଟିଏମ୍‌) ଏବଂ ୧୫ ଲକ୍ଷ ହ୍ଵାଇଟ୍‌ ଲେବଲ୍‌ (କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ୍‌ ସହ ଜଡ଼ିତ ନଥିବା ଏଟିଏମ୍‌) ଏଟିଏମ୍‌ ବନ୍ଦ ହୋଇଯିବ। ଉଲ୍ଲେଖଯୋଗ୍ୟ, ଏବେ ଦେଶରେ ପ୍ରାୟ ୨ ଲକ୍ଷ ୩୮ ହଜାର ଏଟିଏମ୍‌ ରହିଛି।

ଏଟିଏମ୍‌ ସେବା ପ୍ରଦାନକାରୀମାନେ ୨୦୧୯ ମାର୍ଚ୍ଚ ମାସ ଭିତରେ ପ୍ରାୟ ୧.୧୩ ଲକ୍ଷ ଏଟିଏମ୍‌ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସୂଚନା ରହିଛି। ଏପରି ବହୁଳ ସଂଖ୍ୟାରେ ଏଟିଏମ୍‌ ବନ୍ଦ ଯୋଜନା କେବଳ ଯେ ଅନେକଙ୍କ ଚାକିରି ଖାଇବ ତାହା ନୁହେଁ; ବରଂ ସରକାରଙ୍କ ବିତ୍ତୀୟ ବ୍ୟବସ୍ଥାକୁ ବି କ୍ଷତି ପହଞ୍ଚାଇବ ବୋଲି ଜାଣିବାକୁ ମିଳିଛି। ଏହା ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନାକୁ ପ୍ରଭାବିତ କରିବ ବୋଲି ସୂଚନା ରହିଛି।

କନ୍‌ଫେଡେରେସନ୍‌ ଅଫ୍‌ ଏଟିଏମ୍‌ ଇଣ୍ଡଷ୍ଟ୍ରି ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଏଟିଏମ୍‌ ସେବା ପ୍ରଦାନକାରୀ, ବ୍ରାଉନ୍‌ ଲେବଲ୍‌ ଏଟିଏମ୍‌ (କୌଣସି ନିର୍ଦ୍ଦିଷ୍ଟ ବ୍ୟାଙ୍କ୍‌ ଦ୍ୱାରା ପରିଚାଳିତ ହେଉଥିବା ଏଟିଏମ୍‌) ନିୟୋଜକ, ହ୍ଵାଇଟ୍‌ ଲେବଲ୍‌ ଏଟିଏମ୍‌ ପରିଚାଳକ ଆଦି ସମସ୍ତେ ବିମୁଦ୍ରାକରଣ ପ୍ରଭାବରୁ ଏଯାବତ୍‌ ନିଜକୁ ମୁକୁଳେଇ ପାରିନାହାନ୍ତି।

ଏଟିଏମ୍‌ ନିବେଶକାରୀମାନେ ପରିଚାଳନା ଲାଗି ଖର୍ଚ୍ଚ କରୁଥିବ  ଅର୍ଥର କିଛି ଅଂଶ  ବ୍ୟାଙ୍କ୍‌ମାନଙ୍କ ଦ୍ୱାରା ଭରଣା ହେଲେ ପରିସ୍ଥିତି ସୁଧୁରି ପାରିବ। ତାହା ନ ହେଲେ  ଏଟିଏମ୍‌ଗୁଡ଼ିକ ବନ୍ଦ ହେବାର ଆଶଙ୍କା ଦେଖାଦେବ।

 

ସମ୍ବନ୍ଧିତ ଖବର