ୱାସିଂଟନ: ଭାରତ ବିରୋଧରେ ଆମେରିକା ରଖିଥିବା କଠୋର ଆଭିମୁଖ୍ୟକୁ ଏବେ ନରମ କରିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ନେଇ ଆମେରିକା ଅତୀତରେ ଏହାର ଅସନ୍ତୋଷ ବ୍ୟକ୍ତ କରିଥିଲା। ଭାରତକୁ ଦୀର୍ଘଦିନ ହେଲା ପ୍ରଦାନ କରି ଆସୁଥିବା ଜେନେରାଲାଇଜଡ୍ ସିଷ୍ଟମ ଅଫ୍ ପ୍ରିଫରେନ୍ସ (ଜିଏସପି)କୁ ପ୍ରତ୍ୟାହାର କରିନେବ ବୋଲି ଗତ କିଛିଦିନ ପୂର୍ବେ ଧମକ ବି ଦେଇଛି। କିନ୍ତୁ ଆମେରିକା ଏବେ ଏହାର ସ୍ବର ବଦଳାଇଛି। ବାଣିଜ୍ୟ ଏବଂ ବଜାର ଉନ୍ମୁକ୍ତ କରିବା ନେଇ ଭାରତ ଯଦି ଭଲ ପ୍ରସ୍ତାବ ଆଣେ ତାହେଲେ ଆମେରିକାର ଦ୍ବାର ଏଥିପାଇଁ ଉନ୍ମୁକ୍ତ ଅଛି ବୋଲି କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ଗତବର୍ଷ ନଭେମ୍ବରରେ ଭାରତରୁ ଆମେରିକା ଆମଦାନି କରୁଥିବା ଅତିକମରେ ୫୦ଟି ସାମଗ୍ରୀ ଉପରୁ ଶୁଳ୍କ ରିହାତିକୁ ପ୍ରତ୍ୟାହାର କରି ନେଇଥିଲା। ଏହି ସାମଗ୍ରୀ ଉପରେ ମଧ୍ୟରେ କୃଷି ସାମଗ୍ରୀଠାରୁ ଆରମ୍ଭ କରି ହସ୍ତତନ୍ତ ଆଦି ସାମଗ୍ରୀ ମଧ୍ୟ ରହିଥିଲା। ଏହାଦ୍ବାରା ଭାରତ ବିରୋଧରେ ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟ ପ୍ରତିଫଳିତ ହୋଇଥିଲା। କିନ୍ତୁ ଶୁକ୍ରବାର ଆମେରିକାର ପରରାଷ୍ଟ୍ର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତର ସର୍ବବୃହତ୍ ରପ୍ତାନି ବଜାର ଏବଂ ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ସହଯୋଗୀ ହେବାରେ ଆମେରିକା ଗୌରବ ଅନୁଭବ କରୁଛି। କିନ୍ତୁ ଭାରତରେ ଆମେରିକୀୟ କମ୍ପାନି ଗୁଡ଼ିକ ବଜାର ସୁବିଧା ହାସଲ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରତ ସରକାରଙ୍କ ସହିତ ପାଖାପାଖି ବର୍ଷେ ହେଲା ଏ ବିଷୟରେ ଆଲୋଚନା ହୋଇଥିଲେ ମଧ୍ୟ ଭାରତ ଏ ନେଇ କୌଣସି ପ୍ରତିଶ୍ରୁତି ଦେଲାନାହିଁ। ଏହାଫଳରେ ଭାରତ ଠାରୁ ଆମେରିକା ଜେନେରାଲାଇଜଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ (ଜିଏସପି) ମାନ୍ୟତା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି। ତେବେ ଭାରତକୁ ଆମେରିକାର ରପ୍ତାନି ବୃଦ୍ଧି ପାଇଛି। ଏଥିଯୋଗୁ ଭାରତ ସହିତ ଆମେରିକାର ଥିବା ବାଣିଜ୍ୟ ନିଅଣ୍ଟ ଗତବର୍ଷ ୭.୧ ପ୍ରତିଶତ ହ୍ରାସ ଘଟିଛି। ଏହାସତ୍ତ୍ବେ ଅନେକ ଢାଞ୍ଚାଗତ ସମସ୍ୟା ସମାଧାନ ହେବାକୁ ବାକି ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଭାରତଠାରୁ ଆମେରିକା ଏହାର ଜିଏସ୍ପି ମାନ୍ୟତା ପ୍ରତ୍ୟାହାର ପାଇଁ ୬୦ ଦିନ ନୋଟିସ ଦେଇଛି। ଏହାପରେ ଭାରତକୁ ରପ୍ତାନି କ୍ଷେତ୍ରରେ ଆମେରିକା ପ୍ରଦାନ କରୁଥିବା ଶୁଳ୍କ ରିହାତିକୁ ପ୍ରତ୍ୟାହାର କରିନେବ। ଆମେରିକା ଯଦିଓ ଭାରତକୁ ଏଭଳି ପ୍ରସ୍ତାବ ଦେଇଛି ତେବେ ଏବେ ଭାରତରେ ନିର୍ବାଚନ ଚାଲିଥିବାରୁ ଭାରତ ଏ ନେଇ କିଛି ନିଷ୍ପତ୍ତି ନେବ ବୋଲି ଆଶା ନାହିଁ। ତେଣୁ ଯାହା କିଛି ନିଷ୍ପତ୍ତି ନିର୍ବାଚନ ପରେ ହିଁ ନିଆଯିବ ବୋଲି ଆଶା ରହିଛି।