ଆପଣ ବ୍ୟାଙ୍କ ଲକରରେ ରଖିଥିବା ସମ୍ପତ୍ତି ଚୋରି ହେଲେ ବ୍ୟାଙ୍କ କ୍ଷତିପୂରଣ ଦେବ ନା ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ: ବ୍ୟାଙ୍କ ଲକର ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଚୋରି, ଅଗ୍ନିକାଣ୍ଡ କିମ୍ବା ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ହେରଫର ହେଲେ ବ୍ୟାଙ୍କ ଗ୍ରାହକଙ୍କୁ ଦେଉଥିବା କ୍ଷତିପୂରଣକୁ ବୃଦ୍ଧି କରାଯାଇଛି । ଏହି ରାଶିକୁ ବାର୍ଷିକ ଲକର ଭଡାର ଶହେ ଗୁଣା ବୃଦ୍ଧି କରାଯାଇଛି । ଏହି ଗାଇଡଲାଇନ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ । ଗାଇଡଲାଇନ ଅନୁସାରେ, ଲକରରେ ଜିନିଷ ରଖୁଥିବା ବ୍ୟକ୍ତି ସେଥିରେ କୌଣସି ବେଆଇନ ଓ ହାନିକାରକ ଜିନିଷ ରଖିବେ ନାହିଁ ବୋଲି ଘୋଷଣା କରିବେ । ଲକରରେ ଥିବା ଜିନିଷର କୌଣସି କ୍ଷତି ହେଲେ କେତେ କ୍ଷତିପୂରଣ ହେବ ସେ ନେଇ ମଧ୍ୟ ଆରବିଆଇର ଗାଇଡଲାଇନରେ କୁହାଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅସାବଧନତା ଯୋଗୁଁ କୌଣସି କ୍ଷତି ହେଲେ ବ୍ୟାଙ୍କ ଦାୟୀ ରହିବ ନାହିଁ । ତେବେ ଏଭଳି ଘଟଣାରୁ ଲକରକୁ ସୁରକ୍ଷା ଦେବା ପାଇଁ ବ୍ୟାଙ୍କଗୁଡିକ ଉଚିତ ପଦକ୍ଷେପ ନେବେ । ଲକର ଭଡା ସଂଗ୍ରହ କରିବା ଲାଗି ଲକର ଆବଂଟନ ବେଳେ ଗ୍ରାହକଙ୍କଠାରୁ ଏକ ଟର୍ମ ଡିପୋଜିଟ ବି ଗ୍ରହଣ କରିବାକୁ କୁହାଯାଇଛି । କିନ୍ତୁ ଚୋରି, ଡକାୟତି ଏବଂ ବ୍ୟାଙ୍କର କର୍ମଚାରୀମାନଙ୍କ ଦ୍ବାରା ହେଉଥିବା ହେରଫେର ଯୋଗୁଁ ଯଦି ଲକର୍‌ରେ ଥିବା ଜିନିଷର କ୍ଷତି ହୁଏ ସେଥିପାଇଁ ବ୍ୟାଙ୍କ ଗ୍ରାହକଙ୍କୁ କ୍ଷତିପୂରଣ ଦେବ ।

କ୍ଷତିପୂରଣ ରାଶି ବାର୍ଷିକ ଲକର୍‌ ଭଡ଼ାର ୧୦୦ ଗୁଣା ସହ ସମାନ ରହିବ । ଲକର୍‌ ଭଡ଼ା ସଂଗ୍ରହ କରିବା ଲାଗି ଲକର୍‌ ଆବଣ୍ଟନ ବେଳେ ଗ୍ରାହକଙ୍କ ଠାରୁ ଏକ ଟର୍ମ ଡିପୋଜିଟ୍ ଗ୍ରହଣ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି ଯେଉଁଥିରେ ଅତିକମ୍‌ରେ ତିନି ବର୍ଷର ଲକର୍‌ ଭଡ଼ା ବାବଦ ଟଙ୍କା ରହିଥିବା ଦରକାର । ଯେଉଁ ଗ୍ରାହକମାନେ ପୂର୍ବରୁ ଲକର୍‌ ରଖିଛନ୍ତି ଓ ଠିକ୍ ସମ‌ୟରେ ଭଡ଼ା ଦେଉଛନ୍ତି ସେମାନଙ୍କୁ ଟର୍ମ ଡିପୋଜିଟ୍ ଖୋଲିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି । ଯଦି ଲଗାତାର ତିନି ବର୍ଷ ପର୍ଯ୍ୟନ୍ତ ଗ୍ରାହକ ଭଡ଼ା ଦେବେ ନାହିଁ ତେବେ ଆବଶ୍ୟକ ପଦ୍ଧତି ଗ୍ରହଣ କରି ବ୍ୟାଙ୍କ ଲକର୍‌ ଖୋଲିପାରିବ ବୋଲି ରିଜର୍ଭ ବ୍ୟାଙ୍କ ନୂଆ ଗାଇଡ୍‌ଲାଇନ୍‌ରେ ଜଣାଇଛି ।

ସମ୍ବନ୍ଧିତ ଖବର