ଝିଅ ବାହାଘର ପାଇଁ ଅବିକଳ ଆଧାରକାର୍ଡ ଭଳି ନିମନ୍ତ୍ରଣ ପତ୍ର ଛାପିଲେ ପିତା

ଆଧାର ଆବଶ୍ୟକତା ସହିତ ବିନା ଯୌତୁକ ବିବାହ ଥିଲା ତାଙ୍କର ବାର୍ତ୍ତା

ଇନ୍ଦୋର: ସରକାର ଏଣିକି ପ୍ରତ୍ୟେକଟି ସରକାରୀ କ୍ଷେତ୍ରରେ ଆଧାରକାର୍ଡକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ବ୍ୟାଙ୍କ ଆକାଉଣ୍ଟ, ବୀମା ପଲିସି, ପାନ୍‌କାର୍ଡ, ଫୋନ୍‌ ନମ୍ବର ସହିତ ଆଧାର ସଂଯୋଗ ଅନିବାର୍ଯ୍ୟ ହୋଇଯାଇଛି। ତେଣୁ ଏହି ସଚେତନା ବାର୍ତ୍ତାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ଝିଅ ବିବାହ କାର୍ଡକୁ ଅବିକଳ ଆଧାରକାର୍ଡ ଭଳି ସଜାଇଛନ୍ତି।

ସୂଚନାଯୋଗ୍ୟ, କଟନିର ବିଲାୟତକାଲ ଗ୍ରାମରେ ବସବାସ କରୁଥିବା ବିରେନ୍ଦ୍ର ତିଓ୍ଵାରୀଙ୍କ କନ୍ୟା ବିବାହ ଡିସେମ୍ବର ୧୨ ତାରିଖରେ ଶ୍ରୀଜନିଶଙ୍କ ସହିତ ଠିକ୍‌ ହୋଇଛି। ତେବେ ଝିଅ ବିବାହରେ ଉପସ୍ଥିତ ରହିବା ପାଇଁ ଅତିଥିଙ୍କୁ ସେ ଯେଉଁ ନମନ୍ତ୍ରଣ ପତ୍ର ଦେଇଛନ୍ତି ତାହା ଅବିକଳ ଆଧାରକାର୍ଡ ଭଳି ତିଆରି କରିଛନ୍ତି। ଏଭଳି କରିବା ପଛରେ ତାଙ୍କର ବାର୍ତ୍ତା ହେଉଛି ସମସ୍ତ ପାଖରେ ଯେଭଳି ଆଧାରକାର୍ଡ ରହିବା ଉଚିତ।

ତିଓ୍ଵାରୀ ଏକ ମ୍ୟାରେଜ ବ୍ୟୁରୋ ଚଳାନ୍ତି। ଏଥିସହିତ ସେ ସାମାଜିକ କାର୍ଯ୍ୟ ମଧ୍ୟ କରିଥାଆନ୍ତି। ତାଙ୍କ ପିତାଙ୍କ ମୃତ୍ୟୁରେ ୧୦୦ରୁ ଊର୍ଧ୍ୱ ଗଛ ଲଗାଇ ସେ ଶୋକ ବ୍ୟକ୍ତ କରିଥିଲେ। ତିଓ୍ଵାରୀ ପ୍ରଥମେ ନିମନ୍ତ୍ରଣ ପତ୍ର ଓ କ୍ୟାଲେଣ୍ଡର ଆଦି ଛପାଇବା କାମ କରୁଥିଲେ। ସେ ହଠାତ୍‌ ଦିନେ ନିଷ୍ପତି ନେଲେ ଆଧାର କାର୍ଡ ଭଳି ନିମନ୍ତ୍ରଣ କାର୍ଡ ଛପାଇ ଲୋକଙ୍କୁ ଏହାର ଆବଶ୍ୟକତାର ବାର୍ତ୍ତା ପ୍ରଦାନ କରିବେ। ଏପରି କରିବା ଦ୍ୱାରା ଆଧାରକାର୍ଡର ଆବଶ୍ୟକତା ସମ୍ପର୍କରେ ଲୋକମାନେ ସଚେତନା ହେବା ସହିତ କାଗଜ ନଷ୍ଟ କମ୍‌ ହୋଇଥିଲା ବୋଲି ତିଓ୍ଵାରୀ କହିଛନ୍ତି।

ସମ୍ବନ୍ଧିତ ଖବର