ସରକାର-ଶିଳ୍ପ ମଧ୍ୟରେ ପାର୍ଥକ୍ୟକୁ ଦୂର କରୁଛି ଫିକି: ଶିଳ୍ପ ସଚିବ

ଭୁବନେଶ୍ବର: ଶିଳ୍ପ ପ୍ରତିଷ୍ଠାନ ଓ ସରକାରଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଦୂର କରିବାରେ ଶିଳ୍ପ ସଂଘ ଫିକି ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଓଡ଼ିଶାରେ ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ରହିଛି। ଶିଳ୍ପାୟନ ପାଇଁ ରାଜ୍ୟର ଯୁବବର୍ଗ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶର ଆବଶ୍ୟକତା ରହିଛି। ରାଜ୍ୟରେ ଉପଲବ୍ଧ ପର୍ଯ୍ୟାପ୍ତ ସୁଯୋଗ ସଂପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇବାରେ ଫିକି ଓ ଅନ୍ୟ ଶିଳ୍ପ ସଂଘଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆବଶ୍ୟକ। ୨୦୨୨-୨୩ ବର୍ଷ ପାଇଁ ଶୁକ୍ରବାର ଏଠାରେ ଆୟୋଜିତ ଫିକି ଓଡ଼ିଶା ରାଜ୍ୟ ପରିଷଦର ପ୍ରଥମ ବୈଠକରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏହା କହିଛନ୍ତି। ଏଥିସହିତ ଫିକିକୁ ଜାତୀୟ ଶିଳ୍ପ ସହଯୋଗୀ ଭାବେ ନିଆଯାଇ ଓଡ଼ିଶା ସରକାର ମେକ୍‌ ଇନ୍‌ ଓଡ଼ିଶା ଆୟୋଜନ କରିବେ ବୋଲି ସେ ସୂଚନା ଦେଇଛନ୍ତି।
ବୈଠକରେ ଇପିକଲ୍‌ ଏମ୍‌ଡି ତଥା ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭୂପିନ୍ଦର ସିଂହ ପୁନିଆ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଉଭୟ ବୃହତ୍ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ରହିଥିବା ବ୍ୟାବସାୟିକ ସୁଯୋଗ ସଂପର୍କରେ ଆଲୋକପାତ କରିଥିଲେ। ଉଦ୍ୟୋଗୀମାନଙ୍କୁ ରାଜ୍ୟରେ ବ୍ୟବସାୟ ସଂପ୍ରସାରଣ ପାଇଁ ଇପିକଲ୍‌ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ କହିଥିଲେ।

ଫିକି ଓଡ଼ିଶା ଅଧ୍ୟକ୍ଷ ତଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ସିଓଓ(ଓଡ଼ିଶା ଅପରେସନ) ରଞ୍ଜନ ନାୟକ ସ୍ବାଗତ ଭାଷଣ ଦେବା ସହିତ ସରକାରଙ୍କ ପକ୍ଷରୁ ନିକଟରେ ଆଗତ କରାଯାଇଥିବା ବଜେଟ୍‌ର ପ୍ରଶଂସା କରିଥିଲେ। ରାଜ୍ୟ ସରକାର ଖଣି କ୍ଷେତ୍ର ପାଇଁ ଅଧିକ ଅର୍ଥ ଆବଣ୍ଟନ କରିଛନ୍ତି ବୋଲି ସେ କହିଥିଲେ। ଫିକି ଓଡ଼ିଶାର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ବାଦ ଗ୍ରୁପର ଏମ୍‌ଡି ମୋନିକା ‌ନାୟାର ପଟ୍ଟନାୟକ ସଂଘ ପକ୍ଷରୁ ଜଟିଳ ସମୟରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଓଡ଼ିଶାକୁ ଏକ ନୂଆ ସ୍ତରକୁ ନେବାପାଇଁ ମିଳିମିଶି କାମ କରିବା ଲାଗି ସେ ଶିଳ୍ପସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଥିଲେ।

ରାଜ୍ୟରେ ଖଣି, ଶକ୍ତି, ପର୍ଯ୍ୟଟନ, ଶିକ୍ଷା, ଦକ୍ଷତା ବିକାଶ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ଉପରେ ପ୍ରଧାନ୍ୟ ଦିଆଯାଇଥିଲା। ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ରାଜ୍ୟ ପରିଷଦର ସଦସ୍ୟମାନଙ୍କର ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଲୋଚନାଚକ୍ରରେ ବିଶିଷ୍ଟ ଉଦ୍ୟୋଗୀ ତଥା ଫିକି ଜାତୀୟ ପର୍ଯ୍ୟଟନ ପରିଷଦର ସହ-ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ ସିଏମ୍‌ଡି ଜେକେ ମହାନ୍ତି, ଏସ୍‌ଏନ୍‌ଏମ୍‌ ଗ୍ରୁପ୍ ଏମ୍‌ଡି ‌ପ୍ରବୋଧ ମହାନ୍ତି, ଫିକି ଓଡ଼ିଶାର ରପ୍ତାନି ଟାସ୍କଫୋର୍ସ ଅଧ୍ୟକ୍ଷ ରାଜେନ ପାଢ଼ୀ, ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ସଭାପତି ସଞ୍ଜୀବ କୁମାର ରାଉତ, ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଡ ଜିଡି ମିଶ୍ର, ଜିନ୍ଦଲ ଷ୍ଟେନଲେସ ଷ୍ଟିଲର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶଶିଭୂଷଣ ଉପାଧ୍ୟାୟ ଭାଗ ନେଇଥିଲେ। ଫିକି ଓଡ଼ିଶା ରାଜ୍ୟ ପରିଷଦ ମୁଖ୍ୟ ସଞ୍ଜୀବ କୁମାର ମହାନ୍ତି କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସହିତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର