ଅକ୍ଟୋବର୧ରୁ ଷ୍ଟେଟ ବ୍ୟାଙ୍କରେ ଟଙ୍କା ଜମା, ଉଠାଣ ଉପରେ ଏହି ସବୁ ଶୁଳ୍କ ଲାଗୁ ହେବ

ମୁମ୍ବାଇ : ଆସନ୍ତା ଅକ୍ଟୋବର ପହିଲାରୁ ନିଜର ସେବା ଶୁଳ୍କ ବା ସର୍ଭିସ ଚାର୍ଜରେ କେତେକ ସଂଶୋଧନ କରିବାକୁ ଘୋଷଣା କରିଛି । ଏହା ଅନୁଯାୟୀ ଟଙ୍କା ଜମା, ଉଠାଣ, ହାରାହାରି ମାସିକ ବାଲାନ୍ସ ଆଦି ଉପରେ ଗ୍ରାହକମାନେ ପ୍ରଦାନ କରୁଥିବା ଶୁଳ୍କରେ ପରିବର୍ତ୍ତନ ଅଣାଯାଇଛି ।
ସହରାଞ୍ଚଳ ଗ୍ରାହକଙ୍କ ପାଇଁ ମାସିକ ହାରାହାରି ବାଲାନ୍ସ ପରିମାଣ ଏବେ ୫ ହଜାର ଥିବାବେଳେ ଅକ୍ଟୋବର ୧ରୁ ତାହା ୩ ହଜାରକୁ ହ୍ରାସ କରାଯାଇଛି । ଏହା ତଳକୁ ଜମା ରଖିଲେ ଗ୍ରାହକଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ । ମାସିକ ହାରାହାରି ବାଲାନ୍ସର ୫୦ ପ୍ରତିଶତ ପର୍ଯ୍ୟନ୍ତ କମ ରହିଲେ ଗ୍ରାହକଙ୍କୁ ଜିଏସଟି ସହିତ ୧୦ ଟଙ୍କା ଦେବାକୁ ହେବ । ସେହିପରି ମାସିକ ହାରାହାରି ବାଲାନ୍ସର ୭୫ ପ୍ରତିଶତ ପର୍ଯ୍ୟନ୍ତ କମ ରହିଲେ ଗ୍ରାହକଙ୍କୁ ଜିଏସଟି ସହିତ ୧୫ ଟଙ୍କା ଜରିମାନା ଆକାରରେ ଦେବାକୁ ହେବ । ଅର୍ଦ୍ଧ-ସହରାଞ୍ଚଳରେ ମାସିକ ହାରାହାରି ବାଲାନ୍ସକୁ ୨ ହଜାର ଟଙ୍କା ଓ ଗ୍ରାମାଞ୍ଚଳରେ ୧ ହଜାର ଟଙ୍କାକୁ ହ୍ରାସ କରାଯାଇଛି । ଗ୍ରାମାଞ୍ଚଳରେ ମାସିକ ହାରାହାରି ବାଲାନ୍ସର ୫୦ ପ୍ରତିଶତ ପର୍ଯ୍ୟନ୍ତ କମ ରହିଲେ ଗ୍ରାହକଙ୍କୁ ଜିଏସଟି ସହିତ ୫ ଟଙ୍କା ଜରିମାନା ଆକାରରେ ଦେବାକୁ ହେବ । ସେହିପରି ମାସିକ ହାରାହାରି ବାଲାନ୍ସର ୭୫ ପ୍ରତିଶତ ପର୍ଯ୍ୟନ୍ତ କମ ରହିଲେ ଗ୍ରାହକଙ୍କୁ ଜିଏସଟି ସହିତ ୭ ଟଙ୍କା ୫୦ ପଇସା ଦେବାକୁ ହେବ । ୭୫ ପ୍ରତିଶତରୁ କମ ରହିଲେ ୧୦ ଟଙ୍କା ଜରିମାନା ଦେବାକୁ ହେବ ।


ଅନ୍ୟପକ୍ଷରେ ଜଣେ ଗ୍ରାହକ ନିଜର ସଂଚୟ ଜମା ଖାତାରେ (ସେଭିଂସ ଆକାଉଣ୍ଟ)ରେ ମାସକୁ ୩ ଥର ବିନା ଶୁଳକରେ ଟଙ୍କା ଜମା ରଖିପାରିବେ । ୩ ଥରରୁ ଅଧିକ ହେଲେ ଜିଏସଟି ସହିତ ୫୦ ଟଙ୍କା ଲେଖାଏଁ ଶୁଳ୍କ ଲାଗୁ ହେବ । ନିଜର ଖାତା ଥିବା ଶାଖା ବ୍ୟତୀତ ଅନ୍ୟ ଶାଖାରେ ଦିନକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିହେବ । ଯେଉଁମାନଙ୍କ ଖାତାରେ ମାସିକ ହାରାହାରି ବାଲାନ୍ସ ୨୫ ହଜାର ଟଙ୍କା ରହୁଥିବ ସେମାନେ ମାସକୁ ୨ ଥର ଶୁଳ୍କ ବିହୀନ ଉଠାଣ କରିପାରିବେ । ମାସିକ ହାରାହାରି ବାଲାନ୍ସ ୨୫ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଲେ ମାସକୁ ୧୦ଟି ଶୁଳ୍କ ବିହୀନ ଉଠାଣ କରିହେବ । ଏହାଠାରୁ ଅଧିକ ହେଲେ ୫୦ ଟଙ୍କା ଶୁଳ୍କ ଲାଗୁ ହେବ ।

ସମ୍ବନ୍ଧିତ ଖବର