ଜିଏସ୍‌ଟି ସଂଶୋଧନ: ଆସନ୍ତା ବୁଧବାରଠାରୁ ପୁରୁଣା ଦରରେ ବିକ୍ରି ହେବ ନାହିଁ ସାମଗ୍ରୀ, ବିକିଲେ ଦଣ୍ଡ

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକରେ ପାଖାପାଖି ୨୦୦ ସାମଗ୍ରୀ ଉପରୁ କର କର ହ୍ରାସ କରାଯାଇଛି। କର ହ୍ରାସ ହୋଇଥିବା ସାମଗ୍ରୀଗୁଡ଼ିକର ଦର ମଧ୍ୟ ହ୍ରାସ ପାଇଛି। ଦର ହ୍ରାସ ପାଇଥିବା ପ୍ରାୟ ୨୦୦ ସାମଗ୍ରୀ ଉପରୁ ଆସନ୍ତା ବୁଧବାର ସୁଦ୍ଧା ନୂତନ ପ୍ରାଇସ୍‌ ଟ୍ୟାଗ୍‌ ଲଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଲାସ ପାସଓ୍ଵାନ ସୋମବାର କହିଛନ୍ତି।

ଯେଉଁ ନିର୍ମାତାମାନେ ଦିଆଯାଇଥିବା ସମୟସୀମା ଭିତରେ ଦର ପରିବର୍ତ୍ତନ କରି ସେମାନଙ୍କ ସାମଗ୍ରୀରେ ନୂତନ ପ୍ରାଇସ୍‌ ଟ୍ୟାଗ୍‌ ଲଗାଇବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦର ହ୍ରାସ ପାଇଥିବା ସାମଗ୍ରୀଗୁଡ଼ିକ ନୂତନ ଦର ଅନୁଯାୟୀ ବିକ୍ରି କରାଗଲେ ଗ୍ରାହକମାନେ ଲାଭବାନ ହେବେ। ଯଦି କୌଣସି ଗ୍ରାହକ ଦୋକାନୀଙ୍କଠାରୁ ଠକାମୀରେ ଶିକାର ହୁଅନ୍ତି ସେ ଚାହିଁଲେ ଜାତୀୟ ଖାଉଟି ହେଲ୍‌ପଲାଇନ୍‌ ଜରିଆରେ ଅଭିଯୋଗ କରିପାରିବେ। ଏହାବ୍ୟତୀତ ସରକାରଙ୍କ ପକ୍ଷରୁ ମଧ୍ୟ ସେଭଳି କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଲିଗାଲ୍‌ ମେଟ୍ରୋଲୋଜି ଡିପାର୍ଟମେଣ୍ଟକୁ ଲିଖିତ ଭାବେ ଜଣାଯାଇଛି ବୋଲି ପାସଓ୍ଵାନ କହିଛନ୍ତି।

ପୂର୍ବରୁ ମଧ୍ୟ ଯେତେବେଳେ ଜୁଲାଇ ୧ ତାରିଖରେ ଜିଏସ୍‌ଟି ଲାଗୁ ହୋଇଥିଲା ମନ୍ତ୍ରାଳୟ ପକ୍ଷରୁ ସେପ୍ଟେମ୍ବର ୩୦ ସୁଦ୍ଧା ନୂତନ ପ୍ରାଇସ୍‌ ଟ୍ୟାଗ୍‌ ଲଗାଇବା ପାଇଁ କୁହାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର