ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତ ୨୦୧୭ ଜୁଲାଇ ୧ରୁ ଦେଶରେ ଜିଏସଟି ଲାଗୁ କରିବା ପରେ ବ୍ୟବସାୟୀ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଜେପିର ଭୋଟବ୍ୟାଙ୍କ ମଧ୍ୟରେ ଏହି ବ୍ୟବସାୟୀ ଗୋଷ୍ଠୀ ରହିଛନ୍ତି । ଏମାନେ ଅସନ୍ତୁଷ୍ଟ ରହିବା ଦଳକୁ ଚିନ୍ତାରେ ପକାଇଦେଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ଦୃଷ୍ଟିରେ ରଖି ଆଜି ଜିଏସଟି କାଉନସିଲ ବୈଠକରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ କେତେକ ସୁବିଧା ସୁଯୋଗ ଘୋଷଣା କରାଯାଇଛି । କ୍ଷୁଦ୍ର ବ୍ୟବସାୟୀଙ୍କ ନିମନ୍ତେ ଜିଏଟି ପଂଜୀକରଣ ଛାଡ ଲାଗି ବାର୍ଷିକ ଟର୍ଣ୍ଣଓଭର ସୀମାକୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି । ଏବେ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟର୍ଣ୍ଣଓଭର ଥିବା ବ୍ୟବସାୟଗୁଡ଼ିକ ପାଇଁ ଜିଏସଟି ପଂଜୀକରଣ କରିବା ବାଧ୍ୟତାମୂଳକ ନାହିଁ । ଅର୍ଥାତ ଏଣିକି ଆପଣଙ୍କ ବ୍ୟବସାୟର ବାର୍ଷିକ ଟର୍ଣ୍ଣଓଭର ବା କାରବାର ୪୦ ଲକ୍ଷ ଟଙ୍କା ବା ତା’ଠାରୁ କମ ଥିଲେ ଆପଣଙ୍କୁ ଜିଏସଟି ଦେବାକୁ ପଡିବ ନାହିଁ ।
ଅନ୍ୟପକ୍ଷରେ କମ୍ପୋଜିସନ ସ୍କିମରେ ସାମିଲ ହେବା ପାଇଁ ବାର୍ଷିକ ଟର୍ଣ୍ଣଓଭରକୁ ୧ କୋଟିରୁ ୧ କୋଟି ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏପ୍ରିଲ ୧ରୁ ଏହା ଲାଗୁ ହେବ । ଏହି ସ୍କିମ ଅଧିନରେ ବ୍ୟବସାୟିକ ସଂସ୍ଥାମାନେ ପ୍ରତି ତିନିମାସରେ ଟିକସ ଦେବେ କିନ୍ତୁ ବର୍ଷକୁ ଥରେ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ଅନ୍ୟପକ୍ଷରେ ସେବା କ୍ଷେତ୍ର ପାଇଁ ମଧ୍ୟ ଏକ କମ୍ପୋଜିସନ ସ୍କିମ ଘୋଷଣା କରାଯାଇଛି ।