ଗାଁରେ ବ୍ରଡ୍‌ବ୍ୟାଣ୍ଡ୍‌ ସ୍ବପ୍ନକୁ ଧକ୍କା

ନୂଆଦିଲ୍ଲୀ: ଗାଁଗଣ୍ଡାରେ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍ ସଂଯୋଗ ପହଞ୍ଚାଇବା ଲାଗି ସରକାର ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ଶକ୍ତ ଧକ୍କା ଲାଗିଛି। ୧୬ଟି ରାଜ୍ୟରେ ଥିବା ୩ ଲକ୍ଷ ୬୧ ହଜାର ଗାଁରେ ବ୍ରଡ୍‌ବ୍ୟାଣ୍ଡ୍‌ର ବ୍ୟବସ୍ଥା କରିବା ଲାଗି ୧୯ ହଜାର କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଆହ୍ବାନ କରାଯାଇଥିଲା। ଅପ୍ଟିକାଲ୍ ଫାଇବର୍‌ ଭିତ୍ତିକ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ଗାଁରେ ପହଞ୍ଚାଇବାକୁ ଯୋଜନା ଥିଲା। ମାତ୍ର, ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟ ସଂସ୍ଥାଗୁଡ଼ିକ ଅଂଶଗ୍ରହଣ କରିନଥିଲେ। ସେଥିପାଇଁ ଟେଣ୍ଡରକୁ ସରକାର ବାତିଲ କରିଛନ୍ତି। ଏହି ପ୍ରକଳ୍ପକୁ ଗତବର୍ଷ ଜୁନ୍‌ରେ ମଞ୍ଜୁର କରାଯାଇଥିଲା। ମୋଟ ୨୯,୪୩୦ କୋଟି ଟଙ୍କା ବ୍ୟୟରେ ୧୬ଟି ରାଜ୍ୟରେ ଥିବା ବିଭିନ୍ନ ଗାଁରେ ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍‌ରେ ଅପ୍ଟିକାଲ୍ ଫାଇବର୍ ସଂଯୋଗ ପ୍ରଦାନ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ଭାରତନେଟ୍‌ ଯୋଜନା ଅଧୀନରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଥିଲା। ଏହି ପ୍ରକଳ୍ପକୁ ଆର୍ଥିକ ଦୃଷ୍ଟିକୋଣରୁ କାର୍ଯ୍ୟକାରୀ କରିବାରେ ଯେଉଁ ୧୯,୦୪୧ କୋଟି ଟଙ୍କାର ଅଭାବ ଦେଖାଦେଇଥିଲା ତାହା କେନ୍ଦ୍ର ସରକାର ପ୍ରଦାନ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର