ଆସନ୍ତାବର୍ଷ ଦେଶର ଅଭିବୃଦ୍ଧି ହାର ୧. ୯% ରହିବ: ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍‌

ରେପୋ ରେଟ୍ ୪% ରୁ ୩. ୭୫%କୁ ହ୍ରାସ

ନୂଆଦିଲ୍ଲୀ: କୋଭିଡ୍-୧୯ ଯୋଗୁଁ ନିମ୍ନଗାମୀ ହୋଇଥିବା ଭାରତୀୟ ଅର୍ଥନୀତି ୨୦୨୧-୨୨ ବର୍ଷରେ ଊର୍ଧ୍ବମୁଖୀ ହେବା ସହ ଅଭିବୃଦ୍ଧି ହାର ୧.୯% ରହିବ ବୋଲି ଆଜି ପୂର୍ବାହ୍ନ ୧୦ଟା ବେଳେ ସମ୍ବାଦିକ ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି।

ଆଇଏମ୍ଏଫ୍‌ ପ୍ରୋଜେକ୍ସନ୍‌ରେ ଭାରତର ଅଭିବୃଦ୍ଧି ହାର ୧.୯% ରହିଛି ଏବଂ ଏହା ଜି୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ସର୍ବାଧିକ ବୋଲି ସେ କହିଛନ୍ତି।

ବକ୍ତବ୍ୟ ପ୍ରାରମ୍ଭରେ ଶ୍ରୀ ଦାସ କହିଲେ ଯେ କୋଭିଡ୍-୧୯ ତା’ର ମାରାତ୍ମକ ବାହୁବେଷ୍ଟନୀରେ ବିଶ୍ବକୁ ଜାବୁଡ଼ି ଧରିଥିବାରୁ ଆଜି ମାନବଜାତି ସମୟର ପରୀକ୍ଷାରେ ସମ୍ମୁଖୀନ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏହି ସଂକଟଜନକ ପରିସ୍ଥିତି ଉପରେ ଦୃଷ୍ଟି ଦେଇ ତାହାକୁ ନିୟନ୍ତ୍ରଣ କରୁଛି। ଗତ ସାତ ମାସ‌ ମଧ୍ୟରେ ଶିଳ୍ପ ଉତ୍ପାଦ ସର୍ବାଧିକ ହୋଇଛି। ବୈଦେଶିକ ବିନିମୟ ରିଜର୍ଭ ମଧ୍ୟ ବଢ଼ି ଚାଲିଛି।

ଆଜିର ସଂକଟଜନକ ସ୍ଥିତିରେ ଏଟିଏମ୍‌ ଅପରେସନ୍‌ ୯୧%ରେ ରହିଛି। ସଙ୍କଟଜନକ ସ୍ଥିତି ସତ୍ତ୍ବେ ବ୍ୟାଙ୍କ୍‌ମାନଙ୍କର ସହଯୋଗ ବୃଦ୍ଧି ପାଇଛି। ଲକ୍‌ଡାଉନ୍ ସମୟରେ ଇଣ୍ଟର୍‌ନେଟ୍‌ କିଂବା ମୋବାଇଲ୍‌ ବ୍ୟାଙ୍କିଙ୍ଗ୍ ସେବା ବ୍ୟାହତ ହୋଇନାହିଁ; ବ୍ୟାଙ୍କ୍‌ମାନେ ସ୍ବାଭାବିକ ଭାବେ କାର୍ଯ୍ୟକରିଛନ୍ତି।

ମାର୍ଚ ମାସରେ ଅଟୋମୋବାଇଲ୍ ଉତ୍ପାଦନ ଓ ବିକ୍ରି ତୀବ୍ର ହ୍ରାସ ପାଇଛି।  ମାର୍ଚ ମାସରେ ରପ୍ତାନି ୩୪. ୬% ହ୍ରାସ ପାଇଛି ଯାହା ୨୦୦୮-୯ ବିଶ୍ବ ଆର୍ଥିକ ସଙ୍କଟ ଠାରୁ ଆହୁରି ସାଙ୍ଘାତିକ। କ୍ଷୁଦ୍ର ଓ ମଧ୍ୟମ ଧରଣର କର୍ପୋରେଟ୍‌, ବିଶେଷକରି ସେମାନଙ୍କର ନଗଦ ବିକ୍ରିବଟା ଉପରେ କୋଭିଡ୍-୧୯ ଖୁବ୍ କୁପ୍ରଭାବ ପକାଇଛି।

କେନ୍ଦ୍ରୀୟ ବ୍ୟାଙ୍କ୍‌ର ପଦକ୍ଷେପ ଯୋଗୁଁ ବ୍ୟାଙ୍କ୍ ବ୍ୟବସ୍ଥାର ସର୍ପ୍ଲସ୍ ଲିକ୍ୟୁଡିଟି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଯଥେଷ୍ଟ ଲିକ୍ୟୁଡିଟି ସିଷ୍ଟମ୍ ବଜାୟ ରଖିବା ନିମନ୍ତେ ବ୍ୟାଙ୍କ୍‌ମାନଙ୍କର କ୍ରେଡିଟ୍ ଉତ୍ସର ସୁବିଧା କରିବା, ଅର୍ଥନୈତିକ ଚାପ ହାଲୁକା କରିବା ନିମନ୍ତେ ରିଜର୍ଭ ବ୍ୟାଙ୍କ୍ ନୂଆ ପଦକ୍ଷେପମାନ ଘୋଷଣା କରିବ।

ନାବାର୍ଡ, ଏସ୍‌ଆଇବିଡିଆଇ, ଏନ୍ଏଚ୍‌ବି ଆଦି ଅର୍ଥନୈତିକ ପ୍ରତିଷ୍ଠାନମାନଙ୍କ ପାଇଁ ୫୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ସୁବିଧା ଦିଆଯାଇଛି। ଲକ୍‌ଡାଉନ୍‌ ସମୟରେ ଆର୍ଥିକ କାରବାର ସ୍ଥାଣୁ ହୋଇଯାଇଛି। ରାଜ୍ୟମାନଙ୍କର ଋଣ ଯୋଜନାକୁ ଏକତ୍ର ନ କରି ସେମାନଙ୍କ ପାଇଁ ସମ୍ବଳ ଓ ଉପାୟର ସୀମାକୁ ବଢ଼ାଯିବ।

ରେପୋ ରେଟ୍ ୪% ରୁ ୩. ୭୫%କୁ ହ୍ରାସ କରାଯାଇଥିବା କଥା ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।

ସେ ଆହୁରି କହିଲେ କି, କେନ୍ଦ୍ରୀୟ ବ୍ୟାଙ୍କ୍ ଦ୍ବାରା ଘୋଷିତ ଆଜିର ପଦକ୍ଷେପ ଚୂଡ଼ାନ୍ତ ନୁହେଁ। ଆବଶ୍ୟକ ସ୍ଥଳେ ଆହୁରି ଅଧିକ ପ‌ଦକ୍ଷେପମାନ ଘୋଷଣା କରାଯିବ। ମହାମାରୀରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆର୍ଥିକ ପରିସ୍ଥିତିକୁ ସଜାଡ଼ିବାକୁ ରିଜର୍ଭ ବ୍ୟାଙ୍କ୍ ନିଜର ସବୁ ଉପାୟ ଅବଲମ୍ବନ କରିବ।

 

ସମ୍ବନ୍ଧିତ ଖବର