ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା, ୨୦୧୯ରେ ଜମା ରାଶି ୬% ହ୍ରାସ
ନୂଆଦିଲ୍ଲୀ/ଜୁରିକ୍: ଭାରତୀୟ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ଦ୍ବାରା ସ୍ବିସ୍ ବ୍ୟାଙ୍କଗୁଡ଼ିକରେ ରଖାଯାଇଥିବା ଜମା ରାଶି ପରିମାଣ ୨୦୧୯ରେ ୬% ହ୍ରାସ ପାଇଛି। ବିଭିନ୍ନ ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ମୋଟ ୬୬୨୫ କୋଟି ଟଙ୍କାର ଜମାରାଶି ରହିଛି। ଗ୍ରାହକଙ୍କ ଜମା ଭାବେ ୪୦୦୦ କୋଟିରୁ ଅଧିକ ଟଙ୍କା ଥିବା ବେଳେ ଅନ୍ୟ ବ୍ୟାଙ୍କ ଜରିଆରେ ୬୫୦ କୋଟି ଟଙ୍କା, ଟ୍ରଷ୍ଟ୍ ଜରିଆରେ ୫୦ କୋଟି ଟଙ୍କା ଏବଂ ସିକ୍ୟୁରିଟି ଓ ଅନ୍ୟାନ୍ୟ ଆର୍ଥିକ ଉପକରଣ ଜରିଆରେ ୧୯୦୦ କୋଟି ଟଙ୍କା ରହିଛି। ପ୍ରତିଟି ବର୍ଗରେ ପୂର୍ବବର୍ଷ ତୁଳନାରେ ଜମା ରାଶି ପରିମାଣ ହ୍ରାସ ପାଇଛି। କେବଳ ଭାରତ ନୁହେଁ ପାକିସ୍ତାନ ଓ ବାଲାଂଦେଶର ସ୍ବିସ୍ ବ୍ୟାଙ୍କ ଜମା ମଧ୍ୟ କମିଛି। ୨୦୧୯ରେ ପାକିସ୍ତାନର ୩୦୦୦ କୋଟି ଟଙ୍କା ଏବଂ ବାଲାଂଦେଶର ୪୫୦୦ କୋଟି ଟଙ୍କା ସ୍ବିସ୍ ବ୍ୟାଙ୍କରେ ରହିଛି। ସ୍ବିଜରଲ୍ୟାଣ୍ଡ୍ର କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ଜାରି ତଥ୍ୟ ଅନୁଯାୟୀ, କ୍ରମାଗତ ଦ୍ବିତୀୟ ବର୍ଷ ଲାଗି ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ହାସ ପାଇଛି। ୧୯୮୭ ପରେ ପ୍ରଥମ ଥର ଲାଗି ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ଏତେ ତଳକୁ ଖସିଛି। ଏହା ପୂର୍ବରୁ ୧୯୯୫ ଓ ୨୦୧୬ରେ ଭାରତୀୟଙ୍କ ଜମା ରାଶି ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥିଲା। ୨୦୦୬ରେ ଜମା ରାଶି ସର୍ବୋଚ୍ଚ ସ୍ତରରେ ଥିଲା। ଏହାର ପରବର୍ତୀ ପାଞ୍ଚ ବର୍ଷ ଜମା ରାଶି ପରିମାଣ କମ୍ ହେବା ପରେ ପୁଣି ଥରେ ୨୦୧୧, ୨୦୧୩ ଓ ୨୦୧୭ରେ ଭାରତୀୟଙ୍କ ଜମା ରାଶି ପରିମାଣ ବଢ଼ିଥିଲା। ୨୦୧୪ ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ କଳାଧନକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉପସ୍ଥାପନ କରିଥିଲା। ଭାରତ ସମେତ ବିଭିନ୍ନ ଦେଶ ପକ୍ଷରୁ ସ୍ବିସ୍ ବ୍ୟାଙ୍କ ଜମାକୁ ରାଜନୈତିକ ପ୍ରସଙ୍ଗ କରାଯିବା ପରେ ବିଭିନ୍ନ ଦେଶର ନାଗରିକ ଓ ସଂସ୍ଥାଗୁଡ଼ିକ ସ୍ବିସ୍ ବ୍ୟାଙ୍କ ଜମା ରାଶି ହ୍ରାସ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବିସ୍ ବ୍ୟାଙ୍କରେ ରଖାଯାଇଥିବା ଜମା ରାଶିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସ୍ବିଜରଲ୍ୟାଣ୍ଡ୍ରୁ ସୃଷ୍ଟି ହୋଇଥିବା ବ୍ୟାଙ୍କଗୁଡ଼ିକୁ ସ୍ବିସ୍ ବ୍ୟାଙ୍କ କୁହାଯାଏ। ଗ୍ରାହକଙ୍କ ତଥ୍ୟ ଗୋପନ ରଖିବାର ଏକ ଦୀର୍ଘଦିନର ପରମ୍ପରା ସ୍ବିସ୍ ବ୍ୟାଙ୍କରେ ଥିଲା। ମାତ୍ର କଳାଧନକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ସୃଷ୍ଟି ହେବା ପରେ ସ୍ବିଜରଲ୍ୟାଣ୍ଡ୍ ସରକାର ବ୍ୟାଙ୍କିଙ୍ଗ୍ ତଥ୍ୟ ଗୋପନୀୟତାକୁ ନେଇ ରହିଥିବା ନିୟମ କୋହଳ କରିଛନ୍ତି। ଏଥି ସହିତ ବ୍ୟାଙ୍କ ତଥ୍ୟ ଆଦାନ ପ୍ରଦାନ କରିବା ଲାଗି ବିଭିନ୍ନ ଦେଶ ସହିତ ବୁଝାମଣା ସ୍ବାକ୍ଷର କରିଛନ୍ତି। ଭାରତ ସହ ହୋଇଥିବା ବୁଝାମଣା ୨୦୧୮ ସେପ୍ଟେମ୍ବରରେ ଲାଗୁ ହୋଇଥିଲା। ୨୦୧୯ ସେପ୍ଟେମ୍ବରରେ ପ୍ରଥମ ଥର ପାଇଁ ସ୍ବୟଂକ୍ରିୟ ବ୍ୟବସ୍ଥାରେ ତଥ୍ୟ ଆସିଥିଲା। ପରର୍ବତୀ ବର୍ଷଗୁଡ଼ିକରେ ଆପେ ସେହି ତଥ୍ୟ ଆସିବ। ସ୍ବିଜରଲ୍ୟାଣ୍ଡ୍ର କେନ୍ଦ୍ରୀୟ ବ୍ୟାଙ୍କ ଜାରି କରିଥିବା ବାର୍ଷିକ ତଥ୍ୟରେ ଭାରତୀୟମାନେ କେତେ କଳାଧନ ରଖିଛନ୍ତି କିମ୍ବା ପ୍ରବାସୀ ଭାରତୀୟ ଓ ଅନ୍ୟ କୌଣସି ତୃତୀୟ ଦେଶର ସଂସ୍ଥା ନାମକୁ ବ୍ୟବହାର କରି ଭାରତୀୟମାନେ ରଖିଥିବା ଜମା ବିଷୟରେ କୌଣସି ସ୍ବତନ୍ତ୍ର ତଥ୍ୟ ନାହିଁ।