କାଞ୍ଚନ ଆପ୍ଲାଏନ୍‌ସେସ୍‌ ଖୋଲିଲା ଶାଖା କାର୍ଯ୍ୟାଳୟ, ୧୦୦ କୋଟିର ବ୍ୟବସାୟ ଲକ୍ଷ୍ୟ

ଭୁବନେଶ୍ବର: କାଞ୍ଚନ ହୋମ୍ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଓଡ଼ିଶାରେ ଏହାର ଶାଖା କାର୍ଯ୍ୟାଳୟକୁ ପାଣ୍ଡରା ନିକଟରେ ଖୋଲାଯାଇଛି। କଂପାନିର ମହାପ୍ରବନ୍ଧକ-ବିକ୍ରି ରାଜେଶ ସେଠୀ ଓ ଆଞ୍ଚଳିକ ପ୍ରବନ୍ଧକ (ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼) ଭାଗିରଥୀ ସାହୁଙ୍କ ଉପସ୍ଥିତିରେ ଏହାକୁ ଉଦ୍‌ଘାଟନ କରାଯାଇଛି। ଏହି ଅବସର‌ରେ ଶ୍ରୀ ସେଠୀ କହିଛନ୍ତି ଯେ ବହୁ ବର୍ଷ ଧରି ଲୋକଙ୍କ ଦ୍ବାରା ଆଦୃତ ହୋଇଥିବା କାଞ୍ଚନ ଆପ୍ଲାଏନ୍‌ସେସ୍‌କୁ ଆମେ ନୂଆ ଭାବେ ପୁନର୍ବାର ଉପସ୍ଥାପନ କରୁଛୁ। କଂପାନି ମିକ୍ସଚର ଗ୍ରାଇଣ୍ଡର, ୱେଟ୍‌ ଗ୍ରାଇଣ୍ଡର, ଜୁସର, ଇଲେକ୍ଟ୍ରିକ୍ ଆଇରନ୍, ଇଣ୍ଡକ୍ସନ କୁକର, ଗ୍ୟାସ ଷ୍ଟୋଭ୍‌, ପ୍ରେସର କୁକର, ରାଇସ୍‌ କୁକର, ସିଲିଂ ଫ୍ୟାନ୍ ସମେତ ନିଜର ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗମାଳାକୁ ଉପସ୍ଥାପନ କରିଛି। ରାଜ୍ୟର ୧୪ ବିତରକଙ୍କ ଜରିଆରେ କଂପାନି ଲୋକମାନଙ୍କ ପାଖରେ ଏହାର ସାମଗ୍ରୀ ପହଞ୍ଚାଉଛି। ବିକ୍ରି ପରବର୍ତ୍ତୀ ସେବା ପାଇଁ ମଧ୍ୟ ଦୃଢ଼ ବ୍ୟବସ୍ଥ‌ା ବିକାଶ କରିଛି।

ଚଳିତ ଆର୍ଥିକ ବର୍ଷରେ କଂପାନି ୧୦୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ଯୋଜନା ରଖିଛି। ସେଥିପ୍ରତି ଓଡ଼ିଶା ବଜାର ୮-୧୦ ପ୍ରତିଶତ ଯୋଗଦାନ ପ୍ରଦାନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କଂପାନି ଏହାର ସାମଗ୍ରୀଗୁଡ଼ିକୁ ମୁମ୍ବାଇରେ ଥିବା କାରଖାନାରେ ଉତ୍ପାଦନ କରୁଛି ଓ ଗୁଣାତ୍ମକ ମାନ ପ୍ରତି ବିଶେଷ ଧ୍ୟାନ ଦେଉଥିବା ସେ କହିଛନ୍ତି। କାଞ୍ଚନ ଆପ୍ଲାଏନ୍‌ସେସ୍‌ ମିକ୍ସଚର ଗ୍ରାଇଣ୍ଡର୍‌ରୁ ୬୦% ଓ ଅନ୍ୟାନ୍ୟ ସାମଗ୍ରୀରୁ ୪୦% ବ୍ୟବସାୟ କରିବାକୁ ଯୋଜନା ରଖିଛି। ଏହାର ମିକ୍ସଚର ଗ୍ରାଇଣ୍ଡର ମୂଲ୍ୟ ୧୬୦୦ ଟଙ୍କାରୁ ଆରମ୍ଭ ହୋଇ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର