ଓଡ଼ିଶା ହରାଇଲା ୩ ଲକ୍ଷ ୩୨ ହଜାର ମୋବାଇଲ୍‌ ଗ୍ରାହକ

ଭୁବନେଶ୍ବର: ଚଳିତ ବର୍ଷ ଜାନୁଆରି ଶେଷ ସୁଦ୍ଧା ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୨୮ ଲକ୍ଷ ୪୩ ହଜାର ୯୯୫କୁ ହ୍ରାସ ପାଇଛି। ୨୦୨୧ ଡିସେମ୍ବର ତୁଳନାରେ ୨୦୨୨ ଜାନୁଆରିରେ ୩ ଲକ୍ଷ ୩୨ ହଜାର ୬୭୧ ଜଣ ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କରୁ ବାହାରି ଯାଇଛନ୍ତି। ଆଜି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ଓଡ଼ିଶାର ଟେଲି ସାନ୍ଧ୍ରତା ୭୫ ପାଖାପାଖି ହ୍ରାସ ପାଇଛି। ଅର୍ଥାତ ପ୍ରତି ୧୦୦ରେ ୭୫ ଜଣଙ୍କ ପାଖରେ ମୋବାଇଲ୍ ସଂଯୋଗ ରହିଛି। ଏକ୍ଷେତ୍ରରେ ଓଡ଼ିଶା ବହୁ ରାଜ୍ୟ ଠାରୁ ପଛୁଆ ରହିଛି।

ଚଳିତ ବର୍ଷ ଜାନୁଆରି ଶେଷ ସୁଦ୍ଧା ରିଲାଏନ୍ସ ଜିଓ ପାଖରେ ୧ କୋଟି ୩୫ ଲକ୍ଷ ୬୨ ହଜାର ୨୪୫ ଜଣ ଗ୍ରାହକ ରହିଛନ୍ତି। ଜିଓ ୩,୨୫, ୪୨୩ ଜଣ ଗ୍ରାହକଙ୍କୁ ହରାଇଛି। ଏହି ସମୟରେ ବିଏସ୍‌ଏନ୍‌ଏଲ୍‌ର ମୋବାଇଲ୍‌ ଗ୍ରାହକ ସଂଖ୍ୟା ୬୨ ଲକ୍ଷ ୩୦ ହଜାର ୩୯୦ରୁ ବୃଦ୍ଧି ପାଇ ୬୨ ଲକ୍ଷ ୭୩ ହଜାର, ୨୯୫ ହୋଇଛି। ବିଏସ୍‌ଏନ୍‌ଏଲ୍‌ ୪୨,୯୦୫ ନୂଆ ଗ୍ରାହକ ଯୋଡ଼ିଛି। ରାଜ୍ୟରେ ଭୋଡାଫୋନ୍ ଆଇଡିଆର ମୋବାଇଲ୍‌ ଗ୍ରାହକ ସଂଖ୍ୟା ୨୦ ଲକ୍ଷ ତଳକୁ ହ୍ରାସ ପାଇଛି। ଜାନୁଆରି ଶେଷ ସୁଦ୍ଧା କଂପାନି ପାଖରେ ଓଡ଼ିଶାରେ ୧୯ ଲକ୍ଷ ୪୩ ହଜାର ୧୬୭ ଜଣ ଗ୍ରାହକ ରହିଛନ୍ତି। କଂପାନି ୫୯,୬୧୩ ଜଣ ଗ୍ରାହକଙ୍କୁ ହରାଇଛି। ଭାରତୀ ଏୟାରଟେଲ୍‌ର ଗ୍ରାହକ ସଂଖ୍ୟା ୧ କୋଟି ୧୦ ଲକ୍ଷ, ୬୩ ହଜାର ୯୨୪ରେ ପହଞ୍ଚିଛି। ଏୟାରଟେଲ୍‌ ୯,୪୬୨ ଜଣ ନୂଆ ଗ୍ରାହକ ଯୋଡ଼ିଛି। ସର୍ବଭାରତୀୟ ସ୍ତରରେ ୯୩ ଲକ୍ଷ ୭୫ ହଜାର ୪୨୦ ଜଣ ମୋବାଇଲ୍‌ ଗ୍ରାହକ ନେଟ୍‌ୱର୍କ ବାହାରକୁ ଚାଲିଯାଇଛନ୍ତି। ଏୟାରଟେଲ୍‌ ୭,୧୪,୧୯୯ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟମାନେ ସେମାନଙ୍କ ପୁରୁଣା ଗ୍ରାହକ ହରାଇଛନ୍ତି। ଭୋଡାଫୋନ୍ ଆଇଡିଆ ୩,୮୯,୦୮୨, ବିଏସ୍‌ଏନ୍‌ଏଲ୍‌ ୩,୭୮,୫୭୬ ଓ ଜିଓ ୯୩, ୨୨, ୫୮୩ ଜଣ ଗ୍ରାହକଙ୍କୁ ହରାଇଛି ବୋଲି ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର