ଦୁର୍ଦ୍ଦିନରେ ପେଟିଏମ୍, ୪ ମାସରେ ସେୟାର ମୂଲ୍ୟ ୭୦% ହ୍ରାସ

ମୁମ୍ବାଇ : ଦିନକୁ ଦିନ ତଳିତଳାନ୍ତ ହୋଇଚାଲିଛି ପେଟିଏମ୍ । ଗତ ବର୍ଷ ନଭେମ୍ବର ମାସରେ ଆଇପିଓ ଆଣିବା ପରଠାରୁ ଷ୍ଟକ ବଜାରରେ ଏହି କମ୍ପାନିର ସେୟାର ମୂଲ୍ୟ ଦ୍ରୁତ ଗତିରେ କମିଚାଲିଛି । ଏହାର କାରଣ ହେଉଛି କମ୍ପାନି ଗୋଟିକ ପରେ ଗୋଟିଏ ନୂଆ ବିବାଦରେ ଛନ୍ଦି ହୋଇଚାଲିଛି । ଫଳରେ ମାତ୍ର ୪ ମାସରେ କମ୍ପାନିର ସେୟାର ମୂଲ୍ୟ ୭୦ ପ୍ରତିଶତ କମିଛି । ଫଳରେ କମ୍ପାନିର ବଜାର ପୁଞ୍ଜି ପ୍ରାୟ ୮୯ ହଜାର କୋଟି ହ୍ରାସ ପାଇଛି ।

ଗତ ଶନିବାର ଦିନ ରିଜର୍ଭ ବ୍ୟାଙ୍କ ପେଟିଏମ ଦ୍ବାରା ନୂଆ ଗ୍ରାହକ ସଂଗ୍ରହ ଉପରେ ରୋକ ଲଗାଇଥିଲେ । କମ୍ପାନିରେ କେତେକ ପରିଚାଳନାଗତ ସମସ୍ୟା ଥିବାରୁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପରଠାରୁ ପେଟିଏମ ସେୟାର ମୂଲ୍ୟ ଖସିଚାଲିଛି । ଗତ ଡିସେମ୍ବର ମାସରେ ଆଇପିଓ ସମୟରେ କମ୍ପାନିର ସେୟାର ମୂଲ୍ୟ ୨୧୫୦ ଟଙ୍କାରେ ଆବଣ୍ଟିତ ହୋଇଥିଲା । କିନ୍ତୁ କାରବାର ବେଳେ ଏହା ୧୫୮୬ ଟଙ୍କାକୁ ଖସିଆସିଥିଲା । ସେବେଠାରୁ କମ୍ପାନିର ସେୟାର ମୂଲ୍ୟ ଖସିଚାଲିଛି । ଗତ ସୋମବାର (ମାର୍ଚ୍ଚ ୧୪)ରେ ଏହା ୬୭୪ ଟଙ୍କାରେ ପହଞ୍ଚିଥିବାବେଳେ ଆଜି ( ମାର୍ଚ୍ଚ ୧୫)ରେ ତାହା ଆହୁରି କମି ୬୨୭ ଟଙ୍କାକୁ ଖସିଆସିଛି । ଏଣୁ ମାତ୍ର ଚାରିମାସରେ ଏହାର ସେୟାର ମୂଲ୍ୟ ୭୦ ପ୍ରତିଶତ କମିଛି ।

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପେଟିଏମ ପାଖରେ ଥିବା ଗ୍ରାହକ ଡାଟା ଏକ ଚୀନ କମ୍ପାନି ନିକଟକୁ ଯାଉଛି । କିନ୍ତୁ ପେଟିଏମ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

୨୦୧୦ରେ ଆରମ୍ଭ ହୋଇଥିବା ପେଟିଏମରେ ଚୀନ କମ୍ପାନି ଆଣ୍ଟ ଗ୍ରୁପ ଓ ଜାପାନର ସଫ୍ଟବ୍ୟାଙ୍କର ନିବେଶ ଥିବା କୁହାଯାଉଛି । ପ୍ରଥମେ ପେଟିଏମ୍ ମୋବାଇଲ ଫୋନରେ କ୍ରେଡିଟ୍ ଯୋଗ କରିବାକୁ ବ୍ୟବହାର କରାଯାଉଥିଲା । ପରେ ଉବେର ଯେତେବେଳେ ପେଟିଏମକୁ ତୁରନ୍ତ ପେମେଣ୍ଟ ପାଇଁ ତାଲିକାଭୁକ୍ତ କଲା, ତାହାର ଚାହିଦା ବୃଦ୍ଧି ପାଇଲା । ୨୦୧୬ରେ ବିମୁଦ୍ରିକରଣ ଘୋଷଣା ହେବା ପରେ ପେଟିଏମ ଭାରତରେ ଡିଜିଟାଲ ନେଣଦେଣର ଶିଖରରେ ପହଞ୍ଚିଲା । କିନ୍ତୁ ପରବର୍ତ୍ତୀ କାଳରେ ଗୁଗୁଲ ପେ, ଫୋନ ପେ, ଭିମ ଆଦି ୟୁପିଆଇ ଭିତ୍ତିକ ପେମେଣ୍ଟ ସେବା ଆରମ୍ଭ ହେବା ପରେ ପେଟିଏମର ଚାହିଦା କମିବାରେ ଲାଗିଲା । ଚାହିଦା କମିବା ସହ ପେଟିଏମର ବଜାର ଭାଗ ମଧ୍ୟ କମିବାରେ ଲାଗିଲା । କିନ୍ତୁ ଚୀନକୁ ତଥ୍ୟ ଯୋଗାଣ ଅଭିଯୋଗ ଆସିବା ପରେ କମ୍ପାନି ପାଇଁ ଏକ ନୂଆ ବିପଦ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର