ପେଟ୍ରୋଲ୍‌, ଡିଜେଲ୍ ଦାମ୍ ପୁଣି ୮୦ ପଇସା ବଢ଼ିଲା

ନୂଆଦିଲ୍ଲୀ: ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିଛି। ଶୁକ୍ରବାର ଉଭୟ ତେଲର ଲିଟର ପିଛା ମୂଲ୍ୟରେ କଂପାନିଗୁଡ଼ିକ ୮୦ ପଇସା ବୃଦ୍ଧି କରିଥିବା ଜଣାପଡ଼ିଛି। ଗତ ଚାରି ଦିନରେ ଏହା ତୃତୀୟ ଦରବୃଦ୍ଧି। ଆଜି ଦର ଅପରିବର୍ତ୍ତିତ ରହିଥିଲା। ଏହାର ପୂର୍ବ ଦୁଇ ଦିନରେ ଦାମ୍ ୮୦ ପଇସା ଲେଖାଏଁ ବଢ଼ିଥିଲା। ଏଥର ତେଲ କଂପାନିଗୁଡ଼ିକ ପ୍ରତି ଥରରେ ୮୦ ପଇସା ଲେଖାଏଁ ଦାମ୍ ବଢ଼ାଉଛନ୍ତି। ତିନି ଦିନରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ମୂଲ୍ୟରେ ୨ ଟଙ୍କା ୪୦ ପଇସାର ବୃଦ୍ଧି ହେଲଣି।

ମଙ୍ଗଳବାରରୁ ଆରମ୍ଭ ହୋଇଥିବା ତୈଳ ଦରବୃଦ୍ଧି ତାତି ଆଜି ସଂସଦରେ ଦେଖିବାକୁ ମିଳିଛି। ଲୋକସଭାରେ ପ୍ରଶ୍ନୋତ୍ତର କାଳରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ତୈଳ କମ୍ପାନିଙ୍କ ଦରବୃଦ୍ଧିକୁ ଠିକ୍‌ ବୋଲି ଦର୍ଶାଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି କାରଣରୁ ଏହା କରାଯାଇଛି। ତେବେ ସେ ଏ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ଲୋକଙ୍କୁ ଯେଭଳି ସୁଲଭ ମୂଲ୍ୟରେ ପେଟ୍ରୋଲ, ଡିଜେଲ ଉପଲବ୍ଧ ହେବ ସେ ନେଇ ଉଦ୍ୟମ କରାଯାଉଛି। ‌ମନ୍ତ୍ରୀ କହିଛନ୍ତି, ୨୦୨୧ ଏପ୍ରିଲରୁ ୨୦୨୨ ଫେବ୍ରୁଆରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଏଲ୍‌ଏନ୍‌ଜି ଦର ୩୭ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। କିନ୍ତୁ ଭାରତରେ ଏହାର ଦର ମାତ୍ର ୫ ପ୍ରତିଶତ ବୃଦ୍ଧି ଘଟିଛି। ଏସବୁ ସତ୍ତ୍ବେ ଗ୍ରାହକ ଯେଭଳି ସୁଲଭ ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ ପାଇବେ ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଗତବର୍ଷ ନ‌େଭମ୍ବର ପରେ ଚାରି ମାସ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ ଦର ନବଢ଼ାଇବା ଫଳରେ ୩ଟି ଯାକ ସରକାରୀ ତେଲ କମ୍ପାନି ଇଣ୍ଡିଆନ ଅଏଲ୍‌, ବିପିସିଏଲ୍‌ ଓ ଏଚ୍‌ପିସିଏଲ୍‌ ମିଳିତ ଭାବେ ୧୯ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଲି ମୁଡିସ୍‌ ଏହାର ରିପୋର୍ଟରେ ଜଣାଇଛି।

ସମ୍ବନ୍ଧିତ ଖବର