ମଙ୍ଗଳବାର ପରୀକ୍ଷାମୂଳକ ଭାବେ ଡିଜିଟାଲ ଟଙ୍କା ପ୍ରଚଳନ କରିବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାରଦିନ ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଆରମ୍ଭ ହେବା । ପ୍ରଥମ ପର୍ଯ୍ୟାୟରେ କେବଳ ଟିଜିଟାଲ ଟଙ୍କା-ହୋଲସେଲର ପ୍ରଚଳନ କରାଯିବ । ପରୀକ୍ଷାମୂଳକ ଭାବେ ଏହାର ପ୍ରଚଳନ କେତେକ ସୀମିତ କ୍ଷେତ୍ରରେ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ୟେସ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ଓ ଏଚଏସବିସିକୁ ସାମିଲ କରାଯାଇଛି । ଆଗକୁ ଏହି ପରୀକ୍ଷାମୂଳକ ପ୍ରୟୋଗର ପରିସର ବଢାଯାଇ ଅନ୍ତର୍ଜାତୀୟ ନେଣଦେଣ, ହୋଲସେଲ କାରବାର ପାଇଁ ଏହାର ବ୍ୟବହାର କରାଯିବ ।

ମାସକ ମଧ୍ୟରେ ଡିଜିଟାଲ ଟଙ୍କା (ଖୁଚୁରା)ର ପାଇଲଟ ପ୍ରକଳ୍ପ ଆରମ୍ଭ ହେବ । କିଛି ସୀମିତ ଗ୍ରାହକ ଓ ସ୍ଥାନରେ ଏହାର ପରୀକ୍ଷାମୂଳକ ପ୍ରଚଳନ କରାଯିବ ।

ଦେଶରେ ଡିଜିଟାଲ ଟଙ୍କାର ପ୍ରଚଳନ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ବେଳେ ଘୋଷଣା କରିଥିଲେ । ସେ କହିଥିଲେ ଯେ, ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଡିଜିଟାଲ ଟଙ୍କା ପ୍ରସ୍ତୁତ କରାଯିବ । ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଥିଲେ ।

ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ ଦେଶରେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ଡିଜିଟାଲ ଟଙ୍କାର ପ୍ରଚଳନ କରାଯିବ, ଯେପରିକି ତାହାର ବିଶେଷ କୁପ୍ରଭାବ ଆର୍ଥିକ ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥା ଉପରେ ପଡ଼ିବ ନାହିଁ ।

 

ସମ୍ବନ୍ଧିତ ଖବର