ଶୀଘ୍ର ଡେଲିଭରି ପାଇଁ ବିପଦରେ ସଡ଼କ ସୁରକ୍ଷା: ସମୟ ସୀମା ଭିତରେ ସାମଗ୍ରୀ ପହଞ୍ଚାଇବା ଚାପ, ବାଇକ୍‌ରେ ଦୌଡ଼ୁଛନ୍ତି ଡେଲିଭରି ସଦସ୍ୟ

ନୂଆଦିଲ୍ଲୀ : ଅନଲାଇନ୍‌ରେ ସାମଗ୍ରୀ ବରାଦ କରୁଥିବା ଗ୍ରାହକମାନଙ୍କ ନିକଟରେ ଯଥା ସମ୍ଭବ ଦ୍ରୁତ ଗତିରେ ତାହା ପହଞ୍ଚାଇବା ଲାଗି ଚାଲିଥିବା ପ୍ରତିଯୋଗିତାରେ ଆଗରେ ରହିବା ଲାଗି ଇ-କମର୍ସ ସଂସ୍ଥାଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଆମାଜନ, ଫ୍ଲିପ୍‌କାର୍ଟ, ବ୍ଲିଙ୍କଇଟ୍ ଓ ଜେପ୍‌ଟୋ ଭଳି ବହୁ ସଂସ୍ଥା ଦ୍ରୁତ ଗତିରେ ସାମଗ୍ରୀ ଡେଲିଭରିର ପ୍ରତିଶ୍ରୁତି ଦେଉଛନ୍ତି। ସେଥିପାଇଁ ଡେଲିଭରି କରୁଥିବା ପିଲାମାନଙ୍କ ଉପରେ ଚାପ ସୃଷ୍ଟି ହୋଇଛି। ନିର୍ଧାରିତ ସମୟ ସୀମା ଭିତରେ ଗ୍ରାହକଙ୍କ ନିକଟରେ ସାମଗ୍ରୀ ପହଞ୍ଚାଇବା ଲାଗି ସେମାନେ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଏହା ଦେଶର ସଡ଼କ ସୁରକ୍ଷା ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି କରିଛି।

ଏହି କାର୍ଯ୍ୟ ପ୍ରାୟ ବିଦ୍ୟୁତ ବେଗରେ ହେଉଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏକ ଛୋଟ ଗୋଦାମ ଘରେ ସାମଗ୍ରୀକୁ ତିନି ମିନିଟ୍ ଭିତରେ ପ୍ୟାକ୍ କରି ତାହାକୁ ଡେଲିଭରି ସଦସ୍ୟଙ୍କୁ ଦିଆଯାଉଛି। ସେହି ପାର୍ସଲକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଲାଗି ଡେଲିଭରି ବଏମାନଙ୍କ ପାଖରେ ମାତ୍ର ସାତ ମିନିଟ୍ ରହୁଛି। ତେଣୁ ସେମାନେ ନିଜ ଗାଡ଼ିକୁ ଯଥା ସମ୍ଭବ ଦ୍ରୁତ ଗତିରେ ଚଲାଇବାକୁ ଉଦ୍ୟମ କରୁଛନ୍ତି। କିଛି ହାତଗଣତି ସଂସ୍ଥା ୧୦ ମିନିଟ୍ ଭିତରେ ଡେଲିଭରିର ପ୍ରତିଶ୍ରୁତି ଦେଉଛନ୍ତି। ଫଳରେ ବଡ଼ ସଂସ୍ଥାଙ୍କର ଯେଉଁ ୨୪ ଘଣ୍ଟା ଭିତରେ ଡେଲିଭରିର ବ୍ୟବସ୍ଥା ରହିଛି ତାହା ପ୍ରତି ବିପଦ ସୃଷ୍ଟି ହୋଇଛି। ଗ୍ରାହକ ହରାଇବା ଭୟରେ ସେମାନେ ମଧ୍ୟ କିଛି ମିନିଟ୍‌ ଭିତରେ ସାମଗ୍ରୀ ଡେଲିଭରି ଦେବାର ପ୍ରତିଶ୍ରୁତି ପ୍ରଦାନ କରିବାକୁ ବାଧ୍ୟ ହେବେ। ଯଦି ସବୁ ସଂସ୍ଥାର ଡେଲିଭରି ସଦସ୍ୟମା‌ନେ ଏଭଳି ଦ୍ରୁତ ଗତିରେ ଗାଡ଼ି ଚଲାଇ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିବେ ତାହା ସଡ଼କରେ ଥିବା ଅନ୍ୟ ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି କରିବ। ସଡ଼କ ଦୁର୍ଘଟଣା ବଢ଼ିବାର ମଧ୍ୟ ଆଶଙ୍କା ରହିଛି।

ଆମେରିକା ଓ ୟୁରୋପରେ ଶୀଘ୍ର ଡେଲିଭରି ବ୍ୟବସ୍ଥା ବେଶ ସଫଳତାର ସହ ଚାଲିଛି। ମାତ୍ର ଭାରତରେ ସଡ଼କର ଅବସ୍ଥା ଯାହା ଏବଂ ଯେଉଁଭଳି ଭାବେ ସହରର ସଡ଼କଗୁଡ଼ିକରେ ଭିଡ଼ ରହୁଛି ତାହା ଶୀଘ୍ର ଡେଲିଭରି ବ୍ୟବସ୍ଥାର ସଫଳତା ପଥରେ ଏକ କଣ୍ଟା ଭଳି ଠିଆ ହୋଇଛି। ବିଶ୍ବବ୍ୟାଙ୍କ ରିପୋର୍ଟ ଅନୁସାରେ ପ୍ରତି ୪ ମିନିଟ୍‌ରେ ଭାରତରେ ସଡ଼କରେ ଜଣଙ୍କ ମୃତ୍ୟୁ ହେଉଛି। ସଡ଼କ ଦୁର୍ଘଟଣାରେ ବର୍ଷକୁ ୧,୫୦,୦୦୦ ଲୋକ ପ୍ରାଣ ହରାଉଛନ୍ତି। ଭାରତରେ ବେକାରି ସମସ୍ୟା ଯେଉଁଭଳି ସ୍ଥିତିରେ ରହିଛି ସେଠାରେ ଡେଲିଭରି ସଦସ୍ୟମାନଙ୍କ ନିଜ ଚାକିରି ବଞ୍ଚାଇବା ଲାଗି ପ୍ରବଳ ଚାପ ମଧ୍ୟରେ କାମ କରିବାକୁ ପଡ଼ୁଛି। ସମୟ ସୀମା ଭିତରେ ସାମଗ୍ରୀ ପହଞ୍ଚାଇବାରେ ବିଫଳ ହେଲେ ମ୍ୟାନେଜରଙ୍କ ଠାରୁ ଗାଳି ଶୁଣିବାର ଭୟ ସେମାନଙ୍କୁ ଦ୍ରୁତ ଗତିରେ ଗାଡ଼ି ଚଲାଇବା ଏବଂ କେତେକ ସ୍ଥାନରେ ନିୟମ ଉଲ୍ଲଂଘନ କରିବାକୁ ବାଧ୍ୟ କରୁଛି। ଜୀବିକା ବଞ୍ଚାଇବାର ପ୍ରୟାସରେ ସେମାନେ ନିଜେ ବେ‌ଳେବେଳେ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି। ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅନଲାଇନ୍ ବ୍ୟବସାୟର ଏହା ହେଉଛି ଏକ କଳା ଦିଗ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର