ରିଜର୍ଭ ବ୍ୟାଙ୍କରେ ଶକ୍ତିକାନ୍ତଙ୍କ ଦୁଇ ବର୍ଷ : ପ୍ରଶାସକରୁ ଦକ୍ଷ ଗଭର୍ଣ୍ଣର

ଡିଏମ୍‌ ସ୍କୁଲରୁ ରିଜର୍ଭ ବ୍ୟାଙ୍କ ଭାୟା ନର୍ଥ ବ୍ଲକ୍‌, ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର

ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦୁଇ ବର୍ଷ ପୂରଣ କରିଛନ୍ତି। ଜଣେ ଶାନ୍ତ ସ୍ବଭାବର ପ୍ରଶାସକ ଭାବେ ଜଣାଶୁଣା ଥିବା ଶକ୍ତିକାନ୍ତଙ୍କୁ ଯେତେବେଳେ ରିଜର୍ଭ ବ୍ୟାଙ୍କର ଏହି ପଦ ପ୍ରଦାନ କରାଗଲା ତାହାକୁ ଅନେକ ସହଜରେ ଗ୍ରହଣ କରିପାରି ନଥିଲେ। ସେ ଇତିହାସ ପାଠ ପଢ଼ିଥିଲେ। ଅର୍ଥନୀତି ପାଠପଢ଼ିନଥିବାରୁ ଏହି ପଦ ପାଇଁ ତାଙ୍କୁ ଯୋଗ୍ୟ ପ୍ରାର୍ଥୀ ବୋଲି ବିଚାର କରାଯାଉନଥିଲା। ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ତାଚ୍ଛଲ୍ୟ କରାଯାଇଥିଲା। ଅତ୍ୟନ୍ତ ଜଟିଳ ସମୟରେ ତାଙ୍କୁ ଏହି ପଦ ସମ୍ଭାଳିବାକୁ ପଡ଼ିଥିଲା। ସରକାରଙ୍କ ସହ ମତାନ୍ତର ହେବାରୁ ନିଜ କାର୍ଯ୍ୟକାଳ ଶେଷ ହେବାର କିଛି ମାସ ପୂର୍ବରୁ ଉର୍ଜିତ ପଟେଲ୍‌ ହଠାତ୍‌ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ।

ସେହି ଘଟଣା ଘଟିବାର କିଛି ଦିନ ପରେ ଶକ୍ତିକାନ୍ତଙ୍କୁ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ସାମ୍ନାରେ ଆହ୍ବାନର ପାହାଡ଼ ଥିଲା। ଦେଶର ଅର୍ଥନୀତି ବିମୁଦ୍ରୀକରଣର ପ୍ରଭାବ ଦେଇ ଗତି କରୁଥିଲା। ତରବରିଆ ଭାବେ ଜିଏସ୍‌ଟି ଲାଗୁ କରାଯାଇଥିବାରୁ ବ୍ୟବସାୟ ଜଗତ ମଧ୍ୟ ଚିନ୍ତିତ ଥିଲା। ସେଭଳି ଏକ ସମୟରେ ରିଜର୍ଭ ବ୍ୟାଙ୍କ ଭଳି ଅନୁଷ୍ଠାନର ମଙ୍ଗ ସମ୍ଭାଳିଥିଲେ ଶକ୍ତିକାନ୍ତି। ଇତି ମଧ୍ୟରେ ଦୁଇ ବର୍ଷ ବିତି ଯାଇଛି। ନିଷ୍ଠାର ସହିତ ଅର୍ଥନୀତିକୁ ସଜାଡ଼ିବା ଲାଗି ସେ ଯେଉଁ ଉଦ୍ୟମ କରିଛନ୍ତି ତାହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଉଛି। ସାରା ଦୁନିଆରେ ସେ ଏବେ ଜଣେ ଆଗଧାଡ଼ିର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ମର୍ଯ୍ୟାଦା ହାସଲ କରିଛନ୍ତି

୨୦୧୮ ମସିହା ଡିସେମ୍ବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ଶକ୍ତିକାନ୍ତ ଦାସଙ୍କ ପୈତୃକ ଘର କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଜେନାପଦା ଗ୍ରାମରେ। ତାଙ୍କ ବାପାଙ୍କ ନାମ କେଶବାନନ୍ଦ ଦାସ ହୋଇଥିବା ବେଳେ ମାଆଙ୍କ ନାମ ଶୋଭାମଞ୍ଜରୀ। ୧୯୫୭ ମସିହା ଫେବ୍ରୁଆରି ୨୬ ତାରିଖରେ ଭୁବନେଶ୍ବରରେ ଶକ୍ତିକାନ୍ତ ଜନ୍ମ ହୋଇଥିଲେ। ପାଞ୍ଚ ଭାଇଙ୍କ ଭିତରୁ ସେ ସବୁଠୁ ସାନ। ପିତା କେଶବାନନ୍ଦ ଥିଲେ ସଚିବାଳୟର ଅଧିକାରୀ। ଶକ୍ତିକାନ୍ତ ରିଜର୍ଭ ବ୍ୟାଙ୍କର ମୁଖ୍ୟ ହେବା ପରେ ଆଠଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା। ଶକ୍ତିକାନ୍ତ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କର ଶିକ୍ଷା ଭୁବନେଶ୍ବରସ୍ଥିତ ଡିଏମ୍‌ ସ୍କୁଲରୁ ଆରମ୍ଭ ହୋଇଥିଲା। ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନ ସେଣ୍ଟ୍ ଷ୍ଟିଫେନ୍ସ କଲେଜରେ ଇତିହାସରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଖ୍ୟାତନାମା ଡାକ୍ତର ରାଜୁ ଦାସଙ୍କ ଝିଅ ଲୋପାମୁଦ୍ରାଙ୍କୁ ସେ ବିବାହ କରିଛନ୍ତି।

ଶକ୍ତିକାନ୍ତ ତାମିଲନାଡ଼ୁ କ୍ୟାଡର ୧୯୮୦ ବ୍ୟାଚ୍‌ ଆଇଏଏସ ଅଫିସର। ଆଇଏଏସ୍‌ ପାଇବା ପରେ ସେ ତାମିଲନାଡ଼ୁରେ ପ୍ରଶାସନିକ ଅଧିକାରୀ ପଦରୁ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ। ତାମିଲନାଡ଼ୁରେ ଥିବା ସମୟରେ ସେ ଶିଳ୍ପ ବିଭାଗର ପ୍ରମୁଖ ସଚିବ, ରାଜସ୍ବ ବିଭାଗର ସ୍ବତନ୍ତ୍ର କମିସନର, ବାଣିଜ୍ୟିକ ଟିକସ ବିଭାଗର ସଚିବ, ଡିଣ୍ଡିଗୁଲ୍‌ ଓ କାଞ୍ଚିପୁରମ ଜିଲ୍ଲାର ଜିଲ୍ଲାପାଳ ଭଳି ପଦରେ କାର୍ଯ୍ୟ‌ କରିଛନ୍ତି। ଭାରତ ସରକାରଙ୍କ ଅଧୀନରେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଛନ୍ତି। ଅର୍ଥ ମନ୍ତ୍ରାଳୟରେ ଅର୍ଥନୈତିକ ବ୍ୟାପାର ସଚିବ ସମେତ ରାଜସ୍ବ ସଚିବ, ସାର ସଚିବ, ଅର୍ଥନୈତିକ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ, ବ୍ୟୟ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଅର୍ଥନୈତିକ ବ୍ୟାପାର ସଚିବ ଥିବା ସମୟରେ ସେ ଦେଶର ଜଣେ ପ୍ରଭାବଶାଳୀ ଅମଲା ଭାବେ ପରିଚିତ ଥିଲେ। ତାଙ୍କ ସମୟରେ ମୋଦୀ ସରକାର ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ। ଡୁବୁରି ସୁବ୍ବାରାଓ ଓ ୱାଇ ଭି ରେଡ୍ଡୀ ଭଳି ଅଳ୍ପ କିଛି ଆଇଏଏସ ଅଧିକାରୀ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ହୋଇଥିଲେ। ଶକ୍ତିକାନ୍ତ ଏହି ପଦ ସମ୍ଭାଳିବା ପରେ ସେହି ତାଲିକାରେ ନିଜର ନାମକୁ ସାମିଲ କରାଇ ପାରିଛନ୍ତି। ଭୁବନେଶ୍ବରରେ ପାଠ ପଢ଼ା ଆରମ୍ଭ କରିଥିବା ଶକ୍ତିକାନ୍ତ ଉଭୟ ନର୍ଥ ବ୍ଲକ ଓ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟ କରିବାର ବିରଳ କୃତିତ୍ବ ହାସଲ କରିଛନ୍ତି। ନର୍ଥ ବ୍ଲକ ବା ଅର୍ଥ ମନ୍ତ୍ରଳାୟରେ କାର୍ଯ୍ୟ କରିବା ସମୟରେ ସେ ଦେଶର ବିତ୍ତୀୟ ନୀତି ସମ୍ଭାଳୁଥିବାବେଳେ ଏବେ ମୁମ୍ବାଇରେ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭାବେ ଦେଶର ଆର୍ଥିକ ନୀତି ବୁଝୁଛନ୍ତି। ଆଇଏଏସ ପଦରୁ ଅବସର ନେବା ପରେ ସେ ପଞ୍ଚଦଶ ଅର୍ଥ ଆୟୋଗର ସଦସ୍ୟ ଏବଂ ଜି-୨୦ର ସେର୍ପା ଭାବେ କାର୍ଯ୍ୟ କରିଛନ୍ତି।

ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର
ଲଣ୍ଡନର ପତ୍ରିକା ‘ଦି ବ୍ୟାଙ୍କର୍ସ’ ପକ୍ଷରୁ ଶକ୍ତିକାନ୍ତ ଦାସଙ୍କୁ ୨୦୨୦ ବର୍ଷରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସବୁଠୁ ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ପୁରସ୍କାର ପ୍ରଦାନ କରାଯାଇଛି। ଦୁର୍ବଳ ହୋଇପଡ଼ିଥିବା ଭାରତୀୟ ଅର୍ଥନୀତିର ସ୍ଥିତି ସଜାଡ଼ିବା ଲାଗି ଶକ୍ତିକାନ୍ତ ୨୦୧୯ରେ କ୍ରମାଗତ ପାଞ୍ଚ ଥର ସୁଧ ହ୍ରାସ କରିଥିଲେ ଓ ଦରକାର ପଡ଼ିଲେ ସୁଧ ଆହୁରି କମ୍ କରିବେ ବୋଲି କହି ଯେଉଁ ସାହସିକତା ଦେଖାଇଥିଲେ ତାହାକୁ ପତ୍ରିକା ତରଫରୁ ପ୍ରଶଂସା କରାଯାଇଥିଲା। ତାଙ୍କ ଉଦ୍ୟମ ଯୋଗୁଁ ହାଉସିଂ ଫାଇନାନ୍ସ କଂପାନିଗୁଡ଼ିକ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣକୁ ଆସିଥିଲା। ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ମଧ୍ୟ ସହାୟତା ମିଳିଥିଲା। ପାରମ୍ପରିକ ବ୍ୟବସ୍ଥା ଠାରୁ କିଛି ଅଲଗା କରିବା ଲାଗି ସେ ସର୍ବଦା ପ୍ରୟାସ କରିଥାନ୍ତି। ଦେଶର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ଯାହା କରିବା ଦରକାର ସେହି ପଦକ୍ଷେପ ଗ୍ରହଣ କରିବା ବ୍ୟତୀତ ଜଣେ ନିଷ୍ଠାବାନ ଗଭର୍ଣ୍ଣର ଭାବେ ମୁଦ୍ରାସ୍ଫୀତି ବା ଦରଦାମ ସ୍ଥିତି ଉପରେ ସେ କଡ଼ା ନଜର ରଖିଛନ୍ତି।

ବିଗତ ୩୦ ମାସ ଭିତରେ ଦେଶର ପାଞ୍ଚଟି ଆର୍ଥିକ ସଂସ୍ଥା‌ ବୁଡ଼ିଯିବା ଭଳି ସ୍ଥିତିକୁ ଚାଲିଯାଇଥିଲା। ତାହା ହେଉଛି ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌, ଡିଏଚ୍‌ଏଫ୍‌ଏଲ୍‌, ୟେସ୍‌ ବ୍ୟାଙ୍କ, ପିଏମ୍‌ସି ବ୍ୟାଙ୍କ ଓ ଲକ୍ଷ୍ମୀ ବିଳାସ ବ୍ୟାଙ୍କ। ଠିକ୍ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବାରୁ ୟେସ୍‌ ବ୍ୟାଙ୍କ ଓ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉଦ୍ଧାର ପାଇଛି। ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଯିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇ ଦିଆଯାଇଥିଲା। କିଛି ମାସ ଭିତରେ ୟେସ୍‌ ବ୍ୟାଙ୍କ ନେତୃତ୍ବରେ ଅନ୍ୟ କିଛି ବ୍ୟାଙ୍କ ଜରିଆରେ ଏହାକୁ ଉଦ୍ଧାର କରାଯାଇଥିଲା। ସେହି ସମାନ ଢଙ୍ଗରେ ସିଙ୍ଗାପୁରର ବ୍ୟାଙ୍କ ଡିବିଏସ୍‌ ବ୍ୟାଙ୍କର ଭାରତୀୟ ଶାଖା ସଂସ୍ଥା ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ଜରିଆରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ପିଏମ୍‌ସି ବ୍ୟାଙ୍କ ସମସ୍ୟାକୁ ସମାଧାନ କରିବା ଲାଗି ଉଦ୍ୟମ ଜାରି ରହିଛି। ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ସମସ୍ୟା ସହ ଯୋଡ଼ି ହୋଇଥିବାରୁ ଡିଏଚ୍‌ଏଫ୍‌ଏଲ୍‌ର ଅବସ୍ଥା ଖରାପ ହୋଇଯାଇଥିଲା। ଗତବର୍ଷ ନଭେମ୍ବରରେ ଉକ୍ତ ସଂସ୍ଥାକୁ ରିଜର୍ଭ ବ୍ୟାଙ୍କ ନିଜ ନିୟନ୍ତ୍ରଣକୁ ଆଣିବା ପରେ ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍ ମାଧ୍ୟମରେ ତାହାର ସମାଧାନ ଲାଗି ଉଦ୍ୟମ ଜାରି ରହିଛି।

ଉପସ୍ଥାପନା: ରୁଦ୍ର ପ୍ରସାଦ ଜେନା, ପ୍ରଭାତ ପଟ୍ଟନାୟକ, ଅଳଙ୍କରଣ: ଦୀପ୍ତିରଞ୍ଜନ

ସମ୍ବନ୍ଧିତ ଖବର