ନୂଆଦିଲ୍ଲୀ: ୟୁଆଇଡିଏଆଇ ବା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ସାମୟିକ ଭାବେ ମୋବାଇଲ ଟେଲିକମ କମ୍ପାନି ଏୟାରଟେଲକୁ ଆଧାର ଭିତ୍ତିକ ଇ-କେଓ୍ଵାଇସି ଯାଞ୍ଚ ପାଇଁ ବାରଣ କରିଛନ୍ତି । ଏହି ଆଦେଶ ଉଭୟ ଏୟାରଟେଲ ସିମକାର୍ଡ ଓ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ କ୍ଷେତ୍ରରେ ଲାଗୁ ହେବ । ସିମ୍କାର୍ଡ ଯାଞ୍ଚ ପାଇଁ ଉଦ୍ଦିଷ୍ଟ ଆଧାର ତଥ୍ୟ ବ୍ୟବହାର କରି କମ୍ପାନି ଗ୍ରାହକମାନଙ୍କର ବିନା ଅନୁମତିରେ ପେମେଣ୍ଟ ବ୍ୟାଙ୍କ ଖାତା ଖୋଲୁଥିବାର ବାରମ୍ବାର ଅଭିଯୋଗ ଆସିବା ପରେ ୟୁଆଇଡିଏଆଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏପରି ଅଭିଯୋଗ ଆସିବା ପରେ ୟୁଆଇଡିଏଆଇ ପକ୍ଷରୁ ଗତମାସରେ ଏୟାରଟେଲ ବିରୁଦ୍ଧରେ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହିତ ଗ୍ରାହକଙ୍କ ବିନା ଅନୁମତିରେ ସେମାନଙ୍କ ବ୍ୟକ୍ତିଗତ ଆଧାର ତଥ୍ୟକୁ ବ୍ୟବହାର କରି ପେମେଣ୍ଟ ବ୍ୟାଙ୍କ ଖାତା ଖୋଲୁଥିବାରୁ ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ମିଳିଥିବା ସୂଚନା ମୁତାବକ ପ୍ରାୟ ୨୩ ଲକ୍ଷ ଏୟାରଟେଲ ଉପଭୋକ୍ତାଙ୍କର ପେମେଣ୍ଟ ବ୍ୟାଙ୍କ ଖାତା ଖୋଲାଯାଇ ସେଥିରେ ମୋଟ ୪୭ କୋଟି ଜମା ହେଉଥିବା ୟୁଆଇଡିଏଆଇ ଜାଣିବାକୁ ପାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
କମ୍ପାନି ତରଫରୁ କରାଯାଉଥିବା ଏହି କାର୍ଯ୍ୟ ଆଧାର ଆଇନର ଉଲ୍ଲଙ୍ଘନ ଓ ଏହା ଏକ ଅତି ଗୁରୁତର ଅପରାଧ ବୋଲି ପ୍ରାଧିକରଣ ମନେ କରୁଛି। ଏପରିକି ଏୟାରଟେଲ ପକ୍ଷରୁ ଖୋଲାଯାଇଥିବା ଗ୍ରାହକଙ୍କ ପେମେଣ୍ଟ ବ୍ୟାଙ୍କରେ ଗ୍ରାହକଙ୍କ ଏଲପିଜି ସବସିଡି ଅର୍ଥ ଜମା ହେଉଥିବା ଜଣାପଡ଼ିଛି, ଯେବେକି ଗ୍ରାହକମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଏଲପିଜି ସବସିଡି ଅର୍ଥ ଜମା ପାଇଁ ଲିଙ୍କ୍ କରିଥିଲେ ।
ଏପରି ଅଭିଯୋଗ ସମ୍ପର୍କରେ ସ୍ୱୀକାର କରି ୟୁଆଇଡିଏଆଇର ସିଇଓ ଅଜୟ ଭୁଷଣ ପାଣ୍ଡେ କହିଛନ୍ତି ଯେ କେତେକ ଟେଲିକମ ଅପରେଟରଙ୍କ ଏପରି କାରନାମା ସଂପର୍କରେ ଅଭିଯୋଗ ମିଳିଛି । ସେ ସଂପର୍କରେ ତଦନ୍ତ ଚାଲିଛି । ତେବେ ସେ କୌଣସି ଅପରେଟରଙ୍କ ନାଁ ନେଇ ନାହାନ୍ତି ।
ଏୟାରଟେଲକୁ ପ୍ରଥମେ ଗତ ସେପ୍ଟେମ୍ବର ୧୮ରେ ନୋଟିସ ପଠାଯାଇଥିଲା । ଏହାର ଜବାବରେ କମ୍ପାନି ପକ୍ଷରୁ କୁହାଯାଇଥିଲା ଯେ ସେମାନେ ଏହି ପ୍ରକ୍ରିୟାରେ ସଂଶୋଧନ କରିଛନ୍ତି ଓ ସିମ୍ ଭେରିଫିକେସନ ସହ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପ୍ରକ୍ରିୟାକୁ ଅଲଗା କରିଛନ୍ତି । ତେବେ ଏହା ସତ୍ତ୍ୱେ କମ୍ପାନି ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।