ବାନ୍ଧବୀଙ୍କ ପାଇଁ ପରିଚୟପତ୍ର ନକଲ କରି ଧରାପଡ଼ିଲେ ଇଣ୍ଡି‌ଗୋ ଅଧିକାରୀ

ଭୁବନେଶ୍ବର: ବାନ୍ଧବୀଙ୍କୁ କମ୍‌ ଭଡ଼ାରେ ବିମାନରେ ବୁଲାଇ ନେବା ମହଙ୍ଗା ପଡ଼ିଛି। ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ବେଳେ ନକଲି ପରିଚୟପତ୍ର ଧରାପଡ଼ିଯିବାରୁ ଦୁଇ ବନ୍ଧୁଙ୍କୁ କୋଚି ପୁଲିସ ହେପାଜତରେ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୨୬ରେ କେରଳର କୋଚି ବିମାନବନ୍ଦରରେ ୨୩ବର୍ଷୀୟ ଜଣେ ଯୁବତୀ ବିମାନରେ ଆସିବାକୁ ଥିବା ବେଳେ ସିଆଇଏସ୍‌ଏଫ୍‌ ଯବାନଙ୍କ ଚେକିଂ ସମୟରେ ସେ ନକଲି ଆଧାର କାର୍ଡ ବ୍ୟବହାର କରୁଥିବା ଜଣାପଡ଼ିଥିଲା। ସୁରକ୍ଷା କର୍ମୀଙ୍କ ସନ୍ଦେହ ହେବାରୁ ଉକ୍ତ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ଏଥିରେ ଜଣାପଡ଼ିଥିଲା ଯେ ଉକ୍ତ ଯୁବତୀ ଯେଉଁ ଆଧାରକାର୍ଡ ବ୍ୟବହାର କରୁଥିଲେ, ତାହା ତାଙ୍କ ପୁରୁଷ ବନ୍ଧୁଙ୍କ ଭଉଣୀର। ସେଥିରେ ଚଞ୍ଚକତା କରି ଯୁବତୀଜଣଙ୍କ ତାଙ୍କ ପରିଚୟ ପତ୍ର ଲଗାଇଛନ୍ତି। ଏହି ସବୁ କାର୍ଯ୍ୟ ସେ ତାଙ୍କ ପୁରୁଷ ବନ୍ଧୁ ରାକେଶ ବ୍ୟାସଙ୍କ ସହାୟତାରେ କରିଛନ୍ତି। ଏହାପରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପୁଲିସ ତନାଘନାରୁ ଜଣାପଡ଼ିଥିଲା ଯେ ରାକେଶ ଭୁବନେଶ୍ବର ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ସେ ଇଣ୍ଡିଗୋର ଷ୍ଟାଫ୍‌ ଟିକେଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ହେଁ ତାଙ୍କ ବାନ୍ଧବୀ ଯୋଗ୍ୟ ହେଉନଥିଲେ। ତେଣୁ ସେ ତାଙ୍କ ଭଉଣୀର ଆଧାର ନମ୍ବର ଉପରେ ବାନ୍ଧବୀଙ୍କ ଫଟୋ ଲଗାଇଥିଲେ। ରାକେଶଙ୍କର ସମସ୍ତ ଡକୁମେଣ୍ଟ ଠିକ୍‌ ଥିଲେ ହେଁ ବାନ୍ଧବୀଙ୍କ ପାଇଁ ସେ ଅଡ଼ୁଆରେ ପଡ଼ିଥିଲେ।

ସମ୍ବନ୍ଧିତ ଖବର