ପୁରୀ ଗ୍ରାମ୍ୟବ୍ୟାଙ୍କ ଶାଖା ପରିଚାଳକଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ନିରଞ୍ଜନ ଦାଶ ନାମକ ଜଣେ ବ୍ୟାଙ୍କ ଶାଖା ପରିଚାଳକଙ୍କ ଘରୁ ଆଜି ଦିନ ଦ୍ୱିପ୍ରହରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଘର କବାଟ ଭାଙ୍ଗି ପାଖାପାଖି ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରିକରି ନେଇଥିବା ନେଇ ଅଭିଯୋଗ ହୋଇଛି । ଏ ସଂପର୍କରେ ଶାଖା ପରିଚାଳକ ଶ୍ରୀ ଦାଶ ଆଜି ସଂଧ୍ୟାରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ଏହି ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁଇଟିଯାକ ଘର କବାଟ ତାଲା ଭାଙ୍ଗି ୨ଟି ସୁନାହାର , ୪ପଟ ଚୂଡ଼ି , ୪ଟି ମୁଦି ଓ ୨ ହଳ କାନଫୁଲ ଚୋରାଇ ନେଇଛନ୍ତି । ଏ ସମସ୍ତ ଚୋରି ସୁନାଗହଣାର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗ ଗ୍ରହଣ କରି ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ ହେଁ ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ୍‌ ପାଇପାରିନି । ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ଦାଶ ଏବେ ବାଲିପାଟଣା ଥାନା ଅଧୀନ ବନମାଳିପୁର ସ୍ଥିତ ପୁରୀ ଗ୍ରାମ୍ୟବ୍ୟାଙ୍କର ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ବାଲିଅନ୍ତା ବ୍ଲକ ଅଧୀନ ବାଲିକାନ୍ଥିଆ ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଝିଅ ସୀମା ବି ଘରେ ନ ଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସେମାନଙ୍କର ଦୁଇଟି ବେଡ୍‌ରୁମ୍‌ ତାଲା ଭାଙ୍ଗି ଘର ଭିତର ପଶି ଆଲମିରା ତାଲାଭାଙ୍ଗି ତାଙ୍କର ସବୁ ଗହଣାଗାଣ୍ଠି ଲୁଟି ନେଇଥିଲେ । ଆସନ୍ତାକାଲି ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ଅନୁଧ୍ୟାନ କରିବ ବୋଲି ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି । ଶ୍ରୀ ଦାଶଙ୍କ ଅଭିଯୋଗକୁ ଆଧାର କରି ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁକରି ପୁଲିସ ଅନୁସନ୍ଧାନ ଚଳାଇଛି ।

ସମ୍ବନ୍ଧିତ ଖବର