ଯାଁଳାରୁ ଗିରଫ ହେଲା ଏଟିଏମ୍‌ ଲୁଟେରା

ଝାଡ଼ଖଣ୍ଡୀ ଧୂର୍ତ ପଛରେ ରାଜସ୍ଥାନ ପୁଲିସ

ଖଣ୍ଡଗିରି: ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ସହଯୋଗରେ ଆଜି ରାଜସ୍ଥାନ ପୁଲିସ ଟିମ୍‌ ଏକ କୁଖ୍ୟାତ୍‌ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌ର ଜଣେ ସଦସ୍ୟକୁ ଗିରଫ କରିଛି। ଗିରଫ ଏହି ଝାଡ଼ଖଣ୍ଡୀ ଧୂର୍ତ ହେଉଛି ବିକାଶ ମଣ୍ଡଳ(୧୯)। ଝାଡ଼ଖଣ୍ଡ ଭିଡି ଜିଲ୍ଲାର ବାସିନ୍ଦା ବିକାଶ ଏକ ପଲିଟେକିନିକ୍‌ ଇଂଜିନିୟର। ଏହି ର‍୍ୟାକେଟ୍‌ର ଅନ୍ୟ ସଦସ୍ୟମାନେ ଖୁବ୍‌ ଶୀଘ୍ର ଗିରଫ ହେବେ ବୋଲି ପୁଲିସ ସୂଚନା ଦେଇଛି।

ସୂଚନାନୁସାରେ ବିକାଶ ଓ ତା’ର ଗ୍ୟାଙ୍ଗ୍‌ ଫୋନ୍‌ କରି ଲୋକଙ୍କଠାରୁ ବ୍ୟାଙ୍କ ଏଟିଏମ୍‌ ଓ ତା’ର ସିକ୍ରେଟ୍‌ ପାସ୍‌ଓ୍ଵାର୍ଡ ସଂଗ୍ରହ କରନ୍ତି। ନିଜକୁ ମୁମ୍ବାଇ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ ସେମାନେ ଏଭଳି କରନ୍ତି। ପରେ ଏଟିଏମ୍‌ ନମ୍ବର ଓ ପାସ୍‌ଓ୍ଵାର୍ଡ ପାଇଗଲା ପରେ ନକଲି ଏଟିଏମ୍‌ କାର୍ଡ ବଳରେ ଆକାଉଣ୍ଟରୁ ଟଙ୍କା ଉଠାଇ ନିଅନ୍ତି। ରାଜସ୍ଥାନ ପୁଲିସ ସୂଚନାନୁସାରେ ବିକାଶ ଓ ତା’ର ଗ୍ୟାଙ୍ଗ୍‌ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଏମିତି ଭାବେ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ରାଜସ୍ଥାନ ପୁଲିସ ଏହି ଗ୍ୟାଙ୍ଗ୍‌ର ପିଛା କରିଥିଲା ଓ ବିକାଶକୁ ଠାବ କରିଥିଲା। ତେବେ ବିକାଶର ମୋବାଇଲ୍‌ ନମ୍ବର ଓଡ଼ିଶାରେ ଥିବା ଜଣାପଡ଼ିବାରେ ଆଜି ସେମାନେ ଯାଁଳା ଫାଣ୍ଡି ପୁଲିସର ସହଯୋଗ ଲୋଡ଼ିଥିଲେ। ପରେ ମୋବାଇଲ୍‌ଟି ପିତାପଲ୍ଲୀ ଛକରେ ଥିବା ଜଣାପଡ଼ିଥିଲା ଓ ପୁଲିସ ବିକାଶକୁ ସେଠାରୁ ଧରିବାରେ ସଫଳ ହୋଇଥିଲା। ଖୋର୍ଧା ମଳିପଡ଼ାସ୍ଥିତ ଏକ ଘରୋଇ ପଲିଟେକ୍‌ନିକ୍‌ କଲେଜରେ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ବେଳେ ବିକାଶକୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର