ଯୁବକଙ୍କୁ ପୋଡ଼ି ମାରିଦେବା ଘଟଣା: ଗୁହାରି କରିବାରୁ ମହିଳାଙ୍କୁ ନିର୍ଯାତନା

ପୁଲିସ୍‌ ବାବୁ ସାଜିଛନ୍ତି ବସ୍ତି ମୁରବି

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଚିରଗାଲ୍‌ଟୋଲା ବସ୍ତିରେ ଘଟିଯାଇଥିବା ହତ୍ୟା ଘଟଣାରେ ଦେଖାଯାଇଛି ଏକ ନୂଆ ମୋଡ଼। ସେହି ବସ୍ତିର ସୁବାସ ଦାସ ନାମକ ଜଣେ ଯୁବକ ତାଙ୍କ ପଡ଼ୋଶୀ ବଣ୍ଟି ସାକ୍‌ସେନାଙ୍କୁ ଶୋଇଥିବା ବେଳେ କିରୋସିନ ଢାଳି ପୋଡ଼ିଦେବାରୁ ବଣ୍ଟିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ନ୍ୟାୟ ଆଶାରେ ବଣ୍ଟିଙ୍କ ସ୍ତ୍ରୀ ପ୍ରିୟା ଇନ୍‌ଫୋସିଟି ଥାନାରେ ଗୁହାରି କରିବାରୁ ଏବେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ସେହି ବସ୍ତିରେ ରହୁଥିବା ଜଣେ ପୁଲିସ୍‌ ବାବୁ ବସ୍ତିରେ ଲୋକଙ୍କୁ ମତାଇ ପ୍ରିୟାଙ୍କୁ ବସ୍ତିରୁ ବହାର କରିବାକୁ ଚକ୍ରାନ୍ତ ଚଲାଇଛନ୍ତି। ଥାନାରୁ ଅଭିଯୋଗ ଉଠାଇ ଆଣିବା ପାଇଁ ତାଙ୍କ ଉପରେ ଚାପ ପକାଯାଉଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତକୁ କଚ୍ଛପ ଗତିରେ ଆଗକୁ ନେଉଥିବା ଜଣାପଡ଼ିଛି। ହତ୍ୟା ଘଟଣା ଦିନ ବସ୍ତିର କିଛି ଲୋକ ସବୁକିଛି ଦେଖିଥିବା ବେଳେ ସେମାନଙ୍କ ମଧ୍ୟରୁ କାହାକୁ ଜେରା କରାଯାଇନାହିଁ। ଅପରପକ୍ଷରେ ମୁରବିଗିରି ଦେଖାଉଥିବା ପୁଲିସବାବୁ ମଧ୍ୟ ଏହି ଘଟଣାକୁ ରଫାଦଫା କରାଇବା ପାଇଁ କିଛି ରାଜନୈତିକ ଲୋକଙ୍କ ସହାୟତା ଲୋଡ଼ୁଥିବା ଜଣାପଡ଼ିଛି। ଏହି ଘଟଣାର ଖୋଳତାଡ଼ କରାଗଲେ ବଣ୍ଟି ହତ୍ୟା ବିଷୟରେ ଅନେକ ତଥ୍ୟ ବାହାରକୁ ବାହାରିବା ସହ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମୁଖା ଖୋଲିବ ବୋଲି ଚର୍ଚା ହେଉଛି।

ମୃତ୍ୟୁ ପୂର୍ବରୁ ହସ୍ପିଟାଲରେ ରେକଡ଼ିଂ ହୋଇଥିବା ଭିଡିଓରେ ବଣ୍ଟି ଅଭିଯୁକ୍ତ ସୁବାସଙ୍କ ନାମରେ ସଂଗିନ ଅଭିଯୋଗ କରିଥିବାବେଳେ ଏବେ ସେହି ଭିଡିଓ ଭାଇରାଲ୍‌ ହେବାକୁ ଲାଗିଛି। ହେଲେ ପୁଲିସ ସବୁକିଛି ଜାଣି କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି। ଏହି ଘଟଣା ପଛରେ ଜଣେ ପୁଲିସ୍‌ ବାବୁଙ୍କ ହାତ ଥିବା କୁହାଯାଉଥିବା ବେଳେ ସେହି ପୁଲିସ ଜଣଙ୍କ ବସ୍ତିରେ ଅନେକ ଘର କରି ଆଦିବାସୀ ମେଳି ଚଲାଇଥିବା ସୂଚନା ମିଳିଛି। ଗତକାଲି ରାତି ଓ ଆଜି ସଂଧ୍ୟାରେ ବସ୍ତିରେ ବୈଠକ କରାଯାଇଥିଲେ ମଧ୍ୟ ସ୍ୱାମୀଙ୍କୁ ହରାଇ ୪ ଛୋଟ ଛୋଟ ପିଲାଙ୍କୁ କୋଳରେ ଧରି ବିଳକ ହେଉଥିବା ପ୍ରିୟାଙ୍କୁ ବସ୍ତିବାସିନ୍ଦା କିମ୍ବା ପୁଲିସ ପକ୍ଷରୁ କୌଣସି ନ୍ୟାୟ ପ୍ରଦାନ କରାଯାଇନାହିଁ। ଫେରାର୍‌ ଥିବା ଅଭିଯୁକ୍ତ ସୁବାସ କେବେ ଧରାପଡ଼ିବ ସେ ନେଇ ପୁଲିସ ଚୁପ୍‌ ହୋଇ ବସିଛି। ଅପରପକ୍ଷରେ ପ୍ରିୟାଙ୍କୁ ନ୍ୟାୟ ନ ମିଳିଲେ ସେ ତାଙ୍କ ୪ପିଲାଙ୍କ ସହ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରି ନ୍ୟାୟ ମାଗିବେ ବୋଲି ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର