ଚଞ୍ଚକତା: ଚାଷୀଙ୍କ ନାଁରେ ଋଣ ଉଠାଣ: ଧରମବନ୍ଧା ଥାନାରେ ମାମଲା ରୁଜୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ପେକ୍ସରେ ଚାଷୀଙ୍କ ନାଁରେ ଚଞ୍ଚକତା କରି ଋଣ ଉଠାଣ କରିଥିବା ଅଭିଯୋଗ ହୋଇଛି। ତେବେ ସଂପୃକ୍ତ ଋଣ ଉଠାଣକାରୀଙ୍କ ନାମରେ ବୁଧବାର ଧରମବନ୍ଧା ଥାନାରେ ପେକ୍ସ ସେକ୍ରେଟାରି ଏତଲା ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ସମବାୟ ସମିତିରେ ଚାଷୀଙ୍କ କୃଷି ଋଣ ପ୍ରଦାନରେ ଚଞ୍ଚକତା ହୋଇଥିବା ଜଣାପଡ଼ିଛି। ଚୁଲାଭାଟ ଗାଁର ଚାଷୀ ଶତ୍ରୁଘନ ମାଝୀଙ୍କ ଅଜାଣତରେ ତାଙ୍କ ଜାଲ ଭୋଟର କାର୍ଡ, ପାସପୋର୍ଟ ଫଟୋ ଦାଖଳ କରି କୃଷି ଋଣ ଉଠାଣ ହୋଇଛି। ଗତ ନଭେମ୍ବର ୧୫ରେ ଶତ୍ରୁଘନ ଆଧାର ଲିଙ୍କ କରିବାକୁ ପଞ୍ଚାୟତ ଅଫିସ୍‌କୁ ଯାଇଥିଲେ। ସେଠାରେ ଧରମବନ୍ଧା ପେକ୍ସରେ ଋଣ ନେଇଥିବା ଚାଷୀଙ୍କ ତାଲିକା ଟଙ୍ଗା ହୋଇଥିଲା।

ତାଙ୍କ ନାମରେ ୫୫ ହଜାର ୩୪୦ ଟଙ୍କା କୃଷି ଋଣ ଉଠାଣ ହୋଇଥିବା ଦେଖି ଶତ୍ରୁଘନ ଆଶ୍ଚର୍ଯ୍ୟ ହୋଇଥିଲେ। ଏନେଇ ଶତୃଘନ ପେକ୍ସ କର୍ମଚାରୀଙ୍କୁ ଜଣାଇଥିଲେ। ତେବେ ତଦନ୍ତ କରିବୁ ବୋଲି ପେକ୍ସ କର୍ମଚାରୀ ଶତ୍ରୁଘନକୁ ଶାନ୍ତ୍ଵନା ଦେଇଥିଲେ। ତେବେ କିଏ ଏଭଳି ଚଂଚକତା କରିଛି ତାହା ସ୍ପଷ୍ଟ ଜଣା ପଡ଼ି ନାହିଁ। ଏନେଇ ବୁଧବାର ପେକ୍ସ ସେକ୍ରେଟାରି ଡାକେଶ୍ୱର ସାହୁ ଧରମବନ୍ଧା ଥାନାରେ ଏତଲା ଦେଇଛନ୍ତି। ତେବେ ଫାଇଲରେ ଯେଉଁ ଯୁବକଙ୍କ ଫଟୋ ଲାଗିଛି ତାଙ୍କୁ ଧରିଲେ ସବୁ ତଥ୍ୟ ସାମ୍‌ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ସେହିପରି କେହି ଚଞ୍ଚକତା କରି କୋଦୋପାଲି ଗ୍ରାମର ହୀରାମନ ରାଉତଙ୍କ ନାଁରେ ୪୨ ହଜାର ୪୦୦ ଟଙ୍କା ଋଣ ଉଠାଯାଇଥିବା ଜଣାପଡ଼ିବା ପରେ ହୀରାମନ ଧରମବନ୍ଧା ଥାନାରେ ପ୍ୟାକ୍ସ ସେକ୍ରଟାରୀଙ୍କ ନାମରେ ଅଭିଯୋଗ କରିଛନ୍ତି। ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଧରମବନ୍ଧା ଆଇଆଇସି ବିବେକାନନ୍ଦ ମହନ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର