କ୍ରାଇମ ବ୍ରାଞ୍ଚ ଜାଲରେ ଆଉ ଦୁଇ ବେପାରୀ

ଭୁବନେଶ୍ବର: କ୍ରାଇମ ବ୍ରାଞ୍ଚର ଏସଟିଏଫ୍ ଆଜି ଆଉ ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ ବଜାରର ସେକ୍ ହାଇଦର ଓ ବାଲେଶ୍ବର ପୁଲିସ ଲାଇନ୍‌ର ତନୁ ଓରଫ୍ ଦିଲ୍ଲୀପ କୁମାର ଭୂୟାଁ। ସେମାନଙ୍କ ନିକଟରୁ ୩୦୧ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଯାହାର ବଜାର ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା ହେବ। ଏହାଛଡ଼ା ସେମାନଙ୍କ ନିକଟରୁ ୨ଲକ୍ଷ ୨୨ହଜାର ୨୩୦ଟଙ୍କା, ଗୋଟିଏ ବୁଲେଟ୍‌, ୩ଟି ମୋବାଇଲ୍ ଫୋନ୍, ଡେବିଟ୍‌ କାର୍ଡ ଆଦି ଜବତ କରାଯାଇଛି। ଆଜି ଦୁଇ ଜଣଙ୍କୁ ବାଲେଶ୍ବର ସେସନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଜୋରଦାର ହେବ ବୋଲି କ୍ରାଇମ ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଆଜି କ୍ରାଇମ ବ୍ରାଞ୍ଚ ଏସଟିଏଫ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଡିଜି ପ୍ରିୟଦର୍ଶୀ କହିଛନ୍ତି, ରାଜ୍ୟରେ ଚାଲୁଥିବା ବ୍ରାଉନସୁଗାର କାରବାରର ମୂଳକୁ ଯିବା ପାଇଁ ଏସଟିଏଫ କାର୍ଯ୍ୟ କରୁଛି। ରାଜ୍ୟକୁ କେଉଁଠୁ ଓ କିଏ ବ୍ରାଉନସୁଗାର ଆଣୁଛନ୍ତି, ତା’ର ଜୋରଦାର ଖୋଳତାଡ଼ ଚାଲିଛି। ଏହା ମଧ୍ୟରେ ଏସଟିଏଫ ପୁରୀ, ବାଲେଶ୍ବର, ଅନୁଗୁଳ, ଖୋର୍ଧା, ପିପିଲି, ଢେଙ୍କାନାଳ, ଭୁବନେଶ୍ବର ଓ ଭଦ୍ରକ ଅଞ୍ଚଳରେ ଚଢ଼ଉ କରି ସାରିଛି। ଏସଟିଏଫ୍ ଅନବରତ ଭାବେ ଏହି ଚଢ଼ଉ ଜାରି ରଖିଛି। ଗତକାଲି ବିଶେଷସୂତ୍ରରୁ ଖବର ମିଳିଥିଲା କି, ବାଲେଶ୍ବର ହରି ପ୍ଲାଜା ହୋଟେଲ ନିକଟରେ ଦୁଇ ଜଣ ବ୍ରାଉନସୁଗାର ବେପାରୀ କେତେକ ଖୁଚୁରା ବେପାରୀଙ୍କ ସହିତ ମୂଲଚାଲ କରୁଛନ୍ତି। ଏହି ଖବର ପାଇବା ପରେ ଏସଟିଏଫର ସ୍ବତନ୍ତ୍ର ଟିମ୍ ସେଠାରେ ସଦଳବଳ ଚଢ଼ଉ କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା। ଦୁହିଁଙ୍କୁ ଜେରା କରିବା ପରେ ସେମାନେ ଆଉ କିଛି ବ୍ରାଉନସୁଗାର ବେପାରୀଙ୍କ ସମ୍ପର୍କରେ ସୂଚନା ମଧ୍ୟ ଦେଇଛନ୍ତି। ସେହି ସୂଚନାକୁ ଆଧାର କରି ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଏଡିଜି ପ୍ରିୟଦର୍ଶୀ କହିଛନ୍ତି।

ଏହା ପୂର୍ବରୁ ଗତ ସପ୍ତାହରେ ଏସଟିଏଫ୍ ୩୨୪ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା। ତେବେ ଗତ ୨୦ ଦିନ ମଧ୍ୟରେ ଏସଟିଏଫ୍ ୧୯ ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୮୧୮ଗ୍ରାମ ବ୍ରାଉନସୁଗାର, ୩୨୬ ଗ୍ରାମ ଅଫିମ, ୧୩ଲକ୍ଷ ୨୦ହଜାର ଟଙ୍କା, ଗୋଟିଏ କାର୍‌, ୮ଟି ବାଇକ୍, ବ୍ୟାଙ୍କ କାଗଜପତ୍ର ଆଦି ଜବତ କରିଛି। ସାମ୍ବାଦିକ ସମ୍ମିଳନୀରେ ଏସଟିଏଫ ଡିଆଇଜି ଜୟ ନାରାୟଣ ପଙ୍କଜ, ଏସଟିଏଫ୍ ଏସ୍‌ପି ରାହୁଲ ପିଆର୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର